ଋଣ ପରିଶୋଧ ନ କରିବା ମହଙ୍ଗା ପଡ଼ିଲା, ଗ୍ୟାସ୍‌ ଗୋଦାମ ଓ ଜମି ଦଖଲକୁ ନେଲା ବ୍ୟାଙ୍କ

Advertisment
ଋଣ ପରିଶୋଧ ନ କରିବା ମହଙ୍ଗା ପଡ଼ିଲା, ଗ୍ୟାସ୍‌ ଗୋଦାମ ଓ ଜମି ଦଖଲକୁ ନେଲା ବ୍ୟାଙ୍କ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ଗୁଡ଼ିଘାଟ ରାସ୍ତାରେ ଥିବା ଏଲ୍‌ପିଜି ଗ୍ୟାସର ଗୋଦାମ ଗୃହ ଓ ଜମିକୁ ବୁଧବାର ନିଜ ଦଖଲକୁ ନେଇଛି ଇଣ୍ଡିଆନ୍ ବ୍ୟାଙ୍କ। ଗୋଦାମ ମାଲିକ ବ୍ୟାଙ୍କରୁ ନେଇଥିବା ଋଣ ପରିଶୋଧ ନ କରିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି। ସୂଚନାନୁସାରେ କଣ୍ଟାବାଞ୍ଜି- ଗୁଡ଼ିଘାଟ ରାସ୍ତାରେ ଥିବା ଗୋଗୋନ ବେହେରା ଏଲ୍‌ପିଜି ଗ୍ୟାସ ଗୋଦାମ ଓ ନିଜ ବ୍ୟବସାୟ କରିବା ପାଇଁ ବ୍ୟାଙ୍କରୁ ଋଣ ନେଇଥିଲେ। ପୂର୍ବରୁ ସେ ଋଣ ପରିଶୋଧ କରି ଆସୁଥିଲେ ହେଁ ୨୦୨୧ ମସିହାରୁ ତାହା ବନ୍ଦ କରି ଦେଇଥିଲେ। ବ୍ୟାଙ୍କ ତାଙ୍କ ନିକଟରୁ ସୁଧ ସହ ମୋଟ ୬୭ ଲକ୍ଷ ଟଙ୍କା ପାଇବାର ଥିଲା। ମାତ୍ର ଋଣ ପରିଶୋଧ ନ କରିବାରୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ବାରମ୍ବାର ଶ୍ରୀ ବେହେରାଙ୍କୁ ନୋଟିସ୍‌ ଦେଇଥିଲେ।

ତଥାପି ଶ୍ରୀ ବେହେରା କର୍ଣ୍ଣପାତ ନ କରିବାରୁ ବୁଧବାର ଭୁବନେଶ୍ୱରରୁ ୧୧ ଜଣିଆ ଟିମ୍ ଆସି ଉକ୍ତ ଗୋଦାମ ଓ ଜମିର ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ। ପରେ ସେଠାରେ ଥିବା ଗ୍ୟାସ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରି ଗୋଦାମ ଘର ଓ ଜମିକୁ ନିଜ ଦଖଲକୁ ନେଇଥିଲେ। ଗୋଦାମ ଘରର ୩୨ ଡିସମିଲ୍ ଓ ଅନ୍ୟ ଏକ ସ୍ଥାନରେ ଥିବା ୯ ଡିସିମିଲ ଜମି ବ୍ୟାଙ୍କ ଦଖଲରେ ନେଇଥିବା ଜଣାପଡ଼ିଛି। ଏହି ଚଢ଼ଉରେ ବ୍ୟାଙ୍କ୍‌ର କଣ୍ଟାବାଞ୍ଜି ଶାଖା ପରିଚାଳକ ଓ କର୍ମଚାରୀଙ୍କ ସହ କଣ୍ଟାବାଞ୍ଜି ଥାନା ଏସ୍‌ଆଇ ପୂର୍ଣ୍ଣିମା ଓରାମ, ଏଏସ୍ଆଇ ଈଶ୍ୱର ମାଝୀ ତଥା ୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସାମିଲ ହୋଇଥିଲେ। ସୂଚନାଥାଉ କି ତାହା କଣ୍ଟାବାଞ୍ଜି ସହରର ଏକ ପୁରାତନ ଗ୍ୟାସ ଗୋଦାମ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe