ପରଲୋକରେ ନାଟ୍ୟକାର ଓ ନିର୍ଦ୍ଦେଶକ ବଂଶୀଧର ରାଉତ

Advertisment
ପରଲୋକରେ ନାଟ୍ୟକାର ଓ ନିର୍ଦ୍ଦେଶକ ବଂଶୀଧର ରାଉତ

Sambad

ଖୋର୍ଦ୍ଧା: ଖୋର୍ଦ୍ଧାର ଜଣାଶୁଣା ନାଟ୍ୟକାର, ଟେଲି ଚଳଚିତ୍ର ଓ ଧାରାବାହିକ ନିର୍ଦେଶକ, ପ୍ରଯୋଜକ ବଂଶୀଧର ରାଉତ(୭୪) ଙ୍କ ମଙ୍ଗଳବାର ରାତି ୯ଟାରେ ପର‌ଲୋକ ଘଟିଛି। ସେ ଗତ କିଛିଦିନ ଧରି କର୍କଟ ଓ ମସ୍ତିଷ୍କ ଟ୍ୟୁମର ଭଳି ଜଟିଳ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଶେଷ ସମୟରେ ତାଙ୍କ ନିକଟରେ ପତ୍ନୀ ଗୀତାଞ୍ଜଳି ରାଉତ, ପୁତ୍ର ବିଶ୍ୱଜିତ ଓ ସତ୍ୟଜିତ, ଦୁଇ କନ୍ୟା ଓ ନିକଟ ସମ୍ପର୍କୀୟ ଉପସ୍ଥିତ ଥିଲେ। ମୃତ୍ୟୁ ଅନ୍ତେ ତାଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା। ୧୯୪୯ ସେପ୍ଟେମ୍ବର ୧୭ ତାରିଖରେ ରଣପୁର ଗଡ଼ବାଣିକିଲରେ ସ୍ୱାଧୀନତା ସଂଗ୍ରାମୀ ଉଦୟନାଥ ରାଉତଙ୍କ ୪ର୍ଥ ସନ୍ତାନ ଭାବେ ଜନ୍ମିତ ବଂଶୀଧର ଖୋର୍ଦ୍ଧା ପୌର ପରିଷଦରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଏହାପରେ ଖୋର୍ଦ୍ଧାକୁ ନିଜର କର୍ମଭୂମି ରୂପ ଗ୍ରହଣ
କରିଥିଲେ। ନିଜର ଜୀବନକାଳ ମଧ୍ୟରେ ଜୀବନ ସଂଗୀତ, ଲକ୍ଷ୍ମଣ ରେଖା, ଦୂର ଆକାଶର ଛବି ଭଳି ୨୫ଟି ଉପନ୍ୟାସ ଏବଂ ୮୭ଟି ଗଳ୍ପ, ନାଟକ, ବେତାର ନାଟକ ଓ ରମ୍ୟ ରଚନା ଆଦି ରଚନା କରିଥିଲେ।

ଖୋର୍ଦ୍ଧାରୁ ପ୍ରକାଶ ପାଉଥିବା ମାସିକ ମହଲ ପତ୍ରିକାର ଦୀର୍ଘ ୨୪ ବର୍ଷ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ଏହାସହ ୫୪ଟି ମଞ୍ଚ ନାଟକର ନିର୍ଦେଶନା ଦେବା ସହ ଟେଲିଚଳିଚିତ୍ର ନୂଆ ସକାଳ, କଳାବାଞ୍ଛାନିଧି ବୃତ୍ତଚିତ୍ର, ଟେଲି ଧାରାବାହିକ ସନ୍ତାନ, ପ୍ରତିଦାନ, ନୂଆ ଦିଗନ୍ତ, ବିକାଶଧାରା ଆଦିର ନିର୍ଦେଶନା ଦେଇ ଉଚ୍ଚପ୍ରଶଂସିତ ହୋଇଥିଲେ। ନିଜର ଜୀବନବ୍ୟାପୀ କଳା ଓ ସାହିତ୍ୟର ସାଧନା ପାଇଁ ତାଙ୍କୁ ୨୦୧୭ରେ ଓଡ଼ିଶା ସାହିତ୍ୟ ଅକାଦମୀ ପକ୍ଷରୁ ସମ୍ମାନିତ କରଯାଇଥିଲା। ବଂଶୀଧରଙ୍କ ବିୟୋଗରେ ସତ୍ୟବାଦୀ ବଳିଆରସିଂହ, ଖୋର୍ଦ୍ଧା ସାହିତ୍ୟସଂସଦର ଗୋପାଳକୃଷ୍ଣ ଦାସ, କଳିଙ୍ଗ ପାଇକ ସଂଗଠନର ଭୀମସେନ ପ୍ରଧାନ, ବିଭୂ ପ୍ରସାଦ ହରିଚନ୍ଦନ, ଲାଲ ମୋହନ ସ୍ୱାଇଁ, ଶ୍ରୀନିବାସ ବିଶ୍ୱା, ସୁରେଶ ଛୋଟରାୟ, ସମରେନ୍ଦ୍ର ବଳିଆରସିଂହଙ୍କ ସମେତ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe