ଗଜପତି: ତବାରସିଂ ପୁତିସାହି ଗ୍ରାମବାସୀଙ୍କ ଦୁଃଖ ବରଗଛ ନାଳ

Advertisment
ଗଜପତି: ତବାରସିଂ ପୁତିସାହି ଗ୍ରାମବାସୀଙ୍କ ଦୁଃଖ ବରଗଛ ନାଳ

ରା.ଉଦୟଗିରି: ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଠାରୁ ୬୬କିଲୋମିଟର ଦୂର ରାୟଗଡା ବ୍ଲକର ମାର୍ଲବା ପଞ୍ଚାୟତ। ଏଠାରୁ ୪କିମି ରାସ୍ତା ପୁତିସାହି ଓ ପୁତିସାହି ଠାରୁ କେବଳ ୧କିମି ରାସ୍ତା ତବାରସିଂ ଗ୍ରାମ। ତେବେ ବର୍ଷାଦିନେ ଏହି ଗ୍ରାମଗୁଡିକ ଉପଯୁକ୍ତ ରାସ୍ତାଘାଟ ଅଭାବରୁ ଯେମିତି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି। ଏହି ଦୁରାବସ୍ଥା ଆଜିକାର ନୁହଁ । ଏହି ଗ୍ରାମ ସ୍ଥାପନ ହେବା ଠାରୁ ସମସ୍ତ ଉନ୍ନୟନ ଠାରୁ ଯେମିତି କୋଷ ଦୂରରେ ଅଛନ୍ତି ତବାରସିଂ ଗ୍ରାମବାସୀ, ଯେଉଁଠି ନିଜ ମୌଳିକ ସୁବିଧା କଣ ଗ୍ରାମବାସୀ ଜାଣନ୍ତି ନାହିଁ ସେଇଠି ସେମାନଙ୍କର ଉନ୍ନୟନ କାମ ମଧ୍ୟ ଭୁଲି ଯାଇଛି ରାୟଗଡା ବ୍ଲକ ପ୍ରଶାସନ, ‌ଯେଉଁଠି ପ୍ରଶାସନ ରାସ୍ତା ଖଣ୍ଡେ ଦେବାକୁ ଭୁଲି ଯାଇଛି ସେଇଠି ଗ୍ରାମର ଉନ୍ନୟନ ଆଶା କରିବା ନିରର୍ଥକ । ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ। ଏହି ଗ୍ରାମବାସୀ କେମିତି ଗଛ କୋରଡ଼ ଦେଇ ଯିବା ଆସିବା କରୁଛନ୍ତି। ଜୀବନ ଓ ମୃତ୍ୟୁ ମଧ୍ୟରେ ଯେମିତି ୧୦/୧୫ଫୁଟ ଓ କେଇ ମିନିଟର ବ୍ୟବଧାନ।

ସାମାନ୍ୟ ଅସାଵଧାନ ହେଲେ ଅଘଟଣ ନିଶ୍ଚିତ। ମାର୍ଲବା ପଞ୍ଚାୟତର ଜିରାସାହି ଗ୍ରାମର ସୁକନ୍ୟା ଶକ୍ତି ସଂଗଠନ କୋର୍ଡିନେଟର ମାମିନି କାର୍ଜି ଓ ମଧୁସ୍ମିତା ରାଇକା ତବାରସିଂ ଗ୍ରାମକୁ ଯିବା ସମୟରେ ଏହି ନଦୀ ପାର ହୋଇଥିଲେ ବରଗଛ କୋରଡ଼ ଦେଇ। ସୁକନ୍ୟା ଶକ୍ତି ସଂଗଠନର ଏହି ଦୁଇ କୋର୍ଡିନେଟର ତବାରସିଂ ଗ୍ରାମରେ ବୁଝାଇଥିଲେ ଅପରାଧ ମୁକ୍ତ ସମାଜ ଓ ସୁଧ ମୁକ୍ତ ସମାଜ କେମିତି ଗଠନ ହୋଇପାରିବ। ତେବେ ମୌଳିକ ସୁବିଧା ଯୁକ୍ତ ଓ ଅସୁବିଧା ମୁକ୍ତ ସମାଜ ଗଠନ କେମିତି ଗଠନ ହେବ ସେହି ପ୍ରଶ୍ନର ଉତ୍ତର ଖୋଜୁଥିଲେ ବରଗଛର ଝୁଲନ୍ତା ସେତୁକୁ ଦେଖି ।

ମାର୍ଲବା ପଞ୍ଚାୟତ ଠାରୁ ରାୟଗଡା ବ୍ଲକ କେବଳ ୧୦ରୁ ୧ ୨ କିମି ଦୂର। ଆଉ ମଣିଷଖିଆ ମାର୍ଲବା ଘାଟି ଠାରୁ ପୁତିସାହି ଗ୍ରାମର ଦୂରତା କେବଳ ୭ କିମି ମଧ୍ୟରେ। ମାର୍ଲବା ଘାଟିରେ ଲୋକଙ୍କ ଧନଜୀବନ ସୁରକ୍ଷା ନାମରେ ଜିଲ୍ଲା ପ୍ରଶାସନ ଯେତିକି ଟଙ୍କା ସାରିଲାଣି ତାର କାଣିଚାଏ ମଧ୍ୟ ରାୟଗଡା ବ୍ଲକ ପ୍ରଶାସନ ଖର୍ଚ୍ଚ କରିନି ତବାରସିଂ ଓ ପୁତିସାହି ଗ୍ରାମବାସୀଙ୍କ ଦାବି ଏହି ଛୋଟିଆ ପୋଲ ପାଇଁ। ସ୍ୱାଧୀନତାର ଦୀର୍ଘ ୭୪ବର୍ଷ ପରେ ମଧ୍ୟ ଏହି ଗ୍ରାମବାସୀ ଅପେକ୍ଷାରେ ସୁରକ୍ଷିତ ରାସ୍ତାଟିଏ ପାଇଁ । ତବାରସିଂ ଗ୍ରାମରେ ବିଦ୍ୟାଳୟ ନଥିବାରୁ କୁନି କୁନି ଶିଶୁମାନେ ପୁତିସାହି କିମ୍ବା ମାର୍ଲବା ଆସନ୍ତି ପଢିବା ପାଇଁ ଝୁଲନ୍ତା ପୋଲ ଦେଇ। ଆଉ ପିଲାମାନେ ଘରକୁ ଫେରିବା ପର୍ଯ୍ୟନ୍ତ ବାପାମାଙ୍କ ଅବସ୍ଥା ସହଜରେ ଅନୁମେୟ। ତେବେ ଅଘଟଣ ପୂର୍ବରୁ ଯେତେ ଶୀଘ୍ର ହୋଇପାରିବ ବ୍ଲକ ପ୍ରଶାସନ ଏହି ଗ୍ରାମରେ ପହଞ୍ଚି ସ୍ଥାୟୀ ପୋଲ ନିର୍ମାଣ କରିବା ଆବଶ୍ୟକ ବୋଲି ରାମଗିରି ସ୍ଥିତି ନେତାଜୀ ଯୁବକସଂଙ୍ଘ ସହ କିଛି ସ୍ବେଛାସେବୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe