ବରଗଡ଼ ଶୀତଳଷଷ୍ଠୀ: ବରାତିରେ ଗୌରୀଶଙ୍କର ବାବା

Advertisment
ବରଗଡ଼ ଶୀତଳଷଷ୍ଠୀ: ବରାତିରେ ଗୌରୀଶଙ୍କର ବାବା

ବରଗଡ଼: ବରଗଡ଼ ଗୌରୀଶଙ୍କର ମନ୍ଦିର ତରଫରୁ ଚଳିତବର୍ଷ ଧୂମଧାମରେ ଶୀତଳଷଷ୍ଠୀ ଯାତ୍ରା ପାଳିତ ହେଉଛି। ମଙ୍ଗଳବାର ହନୁମାନ ନିମନ୍ତ୍ରଣରୁ ଆରମ୍ଭ ହୋଇଥିବା ଯାତ୍ରାର ପର୍ଯ୍ୟାୟରେ ଆଜି ଅପରାହ୍ନରେ ବାବା ଶଙ୍କର ବରବେଶରେ ବରଯାତ୍ରୀଙ୍କ ସହିତ ପାର୍ବତୀଙ୍କ ଘରକୁ ଯାଇଛନ୍ତି। ସକାଳେ ମନ୍ଦିର ପରିସରରେ ଉଭୟ ବର ଓ କନ୍ୟାପକ୍ଷଙ୍କ ଉପସ୍ଥିତିରେ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ପରେ ମାନସିକ କରିଥିବା କନ୍ୟାପକ୍ଷ ଆବଶ୍ୟକ ବିଧିମତେ ମାତା ପାର୍ବତୀଙ୍କୁ ନିଜ ଘରକୁ ନେଇଥିଲେ। କନ୍ୟା ପିତାମାତା ରାକେଶ ନାୟକ ଓ ରୀତା ନାୟକ ମାତା ପାର୍ବତୀଙ୍କୁ କୋଳରେ ମୁଣ୍ଡାଇ ଧରି ବାଜାଗଜାରେ ଶକ୍ତିନଗରସ୍ଥିତ ନିଜ ବାସଭବନକୁ ନେଇ ପୂଜାର୍ଚ୍ଚନା ସହ ଘରେ ପ୍ରତିଷ୍ଠା କରିଥିଲେ।

ବର ପିତାମାତା ମନୋରଞ୍ଜନ ପୂଜାରୀ ଓ ନିବେଦିତା ପୂଜାରୀ ମନ୍ଦିରରେ ବାବା ଶଙ୍କରଙ୍କ ରୁଦ୍ରାଭିଷେକ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟପୂଜକ ପଣ୍ଡିତ କିଶୋରଚନ୍ଦ୍ର ଦାଶ ଏହାକୁ ସମ୍ପାଦନ କରିଥିବା ବେଳେ ପଣ୍ଡିତ ପଞ୍ଚାନନ ମିଶ୍ର, ମନୋଜ ପଣ୍ଡା, ବାବଲୁ ତ୍ରିପାଠୀ, ପିଙ୍କୁ ଦାଶ ସହଯୋଗ କରିଥିଲେ। ଅଭିଷେକ ସମାପ୍ତ ହେବା ସହ ବିଧି ଅନୁକୂଳ କରାଯାଇ ବାବା ଶଙ୍କରଙ୍କୁ ବରବେଶରେ ସଜ୍ଜିତ କରାଯିବା ପରେ ନନ୍ଦୀ ଭୃକୁଟି ଓ ଗଣମାନଙ୍କ ଗହଣରେ ବରଯାତ୍ରୀମାନଙ୍କୁ ଧରି ବଜାଗଜାରେ ବାବା ଶଙ୍କର ଭବ୍ୟ ଶୋଭାଯାତ୍ରାରେ ବରାତିରେ ଲମ୍ବିଥିଲେ। କନ୍ୟାପକ୍ଷ ତରଫରୁ କଲ୍ୟାଣ ମଣ୍ଡପରେ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ରାତିରେ କନ୍ୟାପକ୍ଷଙ୍କ ଶକ୍ତିନଗର ବାସଭବନରେ ପାଣିଗ୍ରହଣ ସମ୍ପାଦିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe