ସମ୍ବଲପୁର: ବରଗଡ଼ ଜିଲ୍ଲାର ଦେବ୍ରିଗଡ଼ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ ହୋଇଥିବା ଜଣାଯାଇଛି। ଗତ ରାତିରେ ଏମାନେ ଶିକାର ଲାଗି ଯାଇଥିବା ବେଳେ ଭୋର ସମୟରେ ହୀରାକୁଦ ବନ୍ୟଜନ୍ତୁ ଡିଭିଜନର ରାତି ପାଟ୍ରୋଲିଂ ଟିମ୍ ହାତରେ ଧରାପଡ଼ିଛନ୍ତି। ଦେବ୍ରିଗଡ଼ ଅଭୟାରଣ୍ୟର ରେଙ୍ଗାଲି ବିଟ ନିକଟରୁ ଧରାପଡ଼ିଥିବା ଏହି ୩ ଶିକାରୀଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଛୁରୀ, କୁରାଢ଼ି ଏବଂ ଦିଆସିଲି ଆଦି ଜବତ ହୋଇଛି। ରାତି ପାଟ୍ରୋଲିଂ ଟିମ୍ ଯେତେବେଳେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଗୋଡ଼େଇ ଥିଲେ, ସେତେବେଳେ ସେମାନେ ବନ ବିଭାଗ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ମାତ୍ର କୌଶଳକ୍ରମେ ରାତି ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।
୩ ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା କୁକେଟିରାର ସୁଭାସ ଗର୍ଡିଆ (୪୭), ବରଗଡ଼ ଜିଲ୍ଲା ରେଙ୍ଗାଲି ଗ୍ରାମର ରଘୁପତି ଧାରୁଆ(୫୨) ଓ ଦିଗମ୍ବର ସାହୁ (୪୬)। ସେମାନଙ୍କୁ ଆଜି ଅତାବିରା କୋର୍ଟକୁ ଚାଲାଣ କରାଯାଇଛି। ଏନେଇ ଅଧିକ ଅନୁସନ୍ଧାନ ଚାଲିଛି।
ପ୍ରାଥମିକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ସମ୍ବଲପୁର ଜିଲ୍ଲାର କିସିଣ୍ଡା ଅଞ୍ଚଳ ମେଗପାଲ ଆଣ୍ଡ ବାସୁପାଲି ନିକଟରେ ଦେଶୀ ବନ୍ଧୁକ ପାଇଁ ବନ୍ଧୁକ ପାଉଡର ତିଆରି କରନ୍ତି। ଏମାନେ ବନ୍ୟଜନ୍ତୁ ଶିକାର କରି ତାର ଚମଡ଼ା ଓ ମାଂସ ବିକ୍ରି କରିବାର ଯୋଜନା କରିଥିଲେ।
ଦେବ୍ରିଗଡ଼ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ
Advertisment
Follow Us