ବରଗଡ଼: ଓଡ଼ିଆ ଏବେ ଛତିଶଗଡ଼ିଆ ଭୋଟର। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଇଲାକାର କଥା ବୁଝିବା ପରେ ଜଣାପଡ଼ିଥିଲା ଓଡ଼ିଶା ଛାଡ଼ି ଛତିଶଗଡ଼କୁ ଲୋକ ଯାଉଛନ୍ତି। ଏନେଇ ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ କଣ୍ଡପଲା ପଞ୍ଚାୟତ ବିର୍ଜୁପାଲି ସୀମାନ୍ତ ଗାଁକୁ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଭୋଟରଙ୍କୁ ଭେଟିଛନ୍ତି। ସେମାନଙ୍କ ସବୁ ସୁବିଧା ଅସୁବିଧା ସଂପର୍କରେ ଗ୍ରାଉଣ୍ଡ ଜିରୋକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି। ଏହାସହ ଆରପଟରେ ଛତିଶଗଡ଼ର ବଡେନୱାପରା ପଞ୍ଚାୟତର ମଧୁଡିପା ଗାଁକୁ ମଧ୍ୟ ଯାଇଛନ୍ତି। ପ୍ରାୟ ୩୦ ବର୍ଷ ପୂର୍ବରୁ ବିର୍ଜୁପାଲିରୁ ଆରପଟକୁ ଲୋକ ଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ପାଇଛନ୍ତି।
ମିଳିଥିବା ସୂଚନାନୁସାରେ, ଅମ୍ବାଭୋନା ବିଡିଓ ଓ ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ଏକ ଟିମ ପ୍ରଥମେ ବିର୍ଜୁପାଲି ଗାଁକୁ ଯାଇଥିଲେ। ସେଠାରେ ଭୋଟର ତାଲିକା ଯାଞ୍ଚ କରିଥିଲେ। କେତେ ଜଣ ବିର୍ଜୁପାଲିରୁ ଛତିଶଗଡ଼ ମଧୁଡିପା ଗାଁକୁ ଯାଇଛନ୍ତି? କ’ଣ ପାଇଁ ଓ କିଏ କେବେଠୁ ଗଲେଣି ? ତାହା ଗାଁ ଲୋକଙ୍କୁ ପଚାରି ବୁଝିଥିଲେ। ଏହାପରେ ନାଳ ଆରପଟ ମଧୁଡିପା ଗାଁକୁ ଯାଇ ସବୁ ତଥ୍ୟ ସଂଗ୍ରହ କରିଥିଲେ। ବିର୍ଜୁପାଲିରୁ ଯାଇ ମଧୁଡିପାରେ ବସବାସ କରୁଥିବା ଲୋକଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ଅମ୍ବାଭୋନା ବିଡିଓ ଶଙ୍କର ବାଗ କହିଛନ୍ତି, ମଧୁଡିପାରେ ରହୁଥିବା ଲୋକମାନେ ଛତିଶଗଡ଼ ଭୋଟର ହୋଇଗଲେଣି। ଜମି କିଣି ସେମାନେ ସେଠାରେ ରହୁଛନ୍ତି। କିନ୍ତୁ ବିର୍ଜୁପାଲିରେ ଚାଷ ଜମି ଥିବାରୁ ଏଠି କେତେ ପରିବାର ଚାଷବାସ କରୁଛନ୍ତି। ଲାଗି ଲାଗି ଦୁଇ ଗାଁ ଅଛି। ନାଳ ଡେଇଁଲେ ମଧୁଡିପା ପଡ଼ୁଛି। ବହୁ ବର୍ଷ ହେଲା ରହୁଥିବାରୁ ମଧୁଡିପା ଲୋକେ ଛତିଶଗଡ଼ ସରକାରଙ୍କ ସ୍କୁଲ ଯାଉଛନ୍ତି। ଏପଟେ ଓଡ଼ିଶା ତଥା ବରଗଡ଼ ଜିଲ୍ଲାର ବିର୍ଜୁପାଲି ଲୋକ ଏଠିକାର ଯୋଜନାରେ ସାମିଲ ଅଛନ୍ତି। ସେମାନଙ୍କୁ ଓଡ଼ିଶା ନ ଛାଡ଼ିବାକୁ ସଚେତନ କରିଛୁ। ଲୋକଙ୍କୁ ସବୁ ବୁଝାସୁଝା କରାଯାଇଛି ବୋଲି କହିଥିଲେ। ବ୍ଲକ୍ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ବିର୍ଜୁପାଲି ଗାଁ ଲୋକ ନିଜ ସମସ୍ୟା ଜଣାଇବା ସହ ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ କହିଥିଲେ।
ସୀମାନ୍ତରେ ପହଞ୍ଚିଲା ପ୍ରଶାସନ, ଭୋଟରଙ୍କୁ ଭେଟି ଭଲମନ୍ଦ ବୁଝିଲେ ଅଧିକାରୀ
Advertisment
Follow Us