indiarailinfo.com
ବରଗଡ଼: ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହେବା ପରେ ବି ଯାତ୍ରୀଙ୍କୁ ଟିକଟ୍ ବାବଦକୁ ଟଙ୍କା ନ ଫେରାଇବା ଅଭିଯୋଗରେ ରେଳବାଇ ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି। ୨୦୧୯ ଡିସେମ୍ବର ୧୫ ତାରିଖ ଦିନ ରାଞ୍ଚି ଯିବାକୁ ବରଗଡ଼ ଜିଲ୍ଲା କଟାପାଲି ଗ୍ରାମର ଲିଙ୍ଗରାଜ ଦାଶ ଓ ପତ୍ନୀ ପଦ୍ମାଳୟା ଦାଶ ଟୁର୍ ଏଜେନ୍ସିଠାରୁ ସେହି ମାସ ୭ ତାରିଖ ଦିନ ଟିକଟ୍ କାଟିଥିଲେ। ସେମାନେ ଟ୍ରେନ ନମ୍ବର ୧୮୩୦୯ ସମ୍ବଲପୁର-ଜମ୍ମୁ ତାୱି ଏକ୍ସପ୍ରେସ୍ରେ ଯିବାର ଥିଲା। ଟିକଟ୍ ବି ସୁନିଶ୍ଚିତ ହୋଇଥିଲା। ଟ୍ରେନ ସମ୍ବଲପୁରରୁ ବାହାରିବା ସମୟ ସକାଳ ୭ଟା ୫୫ ମିନିଟ ଥିବା ବେଳେ ଭୋର ୩ଟା ୫୫ରେ ଶ୍ରୀ ଦାଶଙ୍କ ମୋବାଇଲକୁ ଟ୍ରେନ୍ ବାତିଲ ଥିବା ମେସେଜ୍ ଆସିଥିଲା। ଫଳରେ ଦମ୍ପତି ଗନ୍ତବ୍ୟ ସ୍ଥାନକୁ ଯାଇପାରି ନଥିଲେ।
ଦୁହେଁ ରେଳ ବିଭାଗ ଡିଆର୍ଏମ୍ଙ୍କ ବିରୋଧରେ ବରଗଡ଼ ଖାଉଟି ଫୋରମରେ ଦୁଇଟି ପୃଥକ ପୃଥକ ମାମଲା ରଜୁ କରିଥିଲେ। ମାମଲାର ବିଚାର କରି କୋର୍ଟ ଅଭିଯୋଗକାରୀଙ୍କୁ ସମ୍ବଲପୁରରୁ ରାଉରକେଲା ପର୍ଯ୍ୟନ୍ତ ଟିକେଟ୍ର ମୂଲ୍ୟ ଫେରସ୍ତ କରିବା ସହ ମାନସିକ ନିର୍ଯାତନା ଓ କ୍ଷତିପୂରଣ ବାବଦକୁ ୫୦ ହଜାର ଟଙ୍କା ଏବଂ ମକଦ୍ଦମା ବାବଦକୁ ୧୦ ହଜାର ଟଙ୍କା ଦେବା ପାଇଁ ରେଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ଟଙ୍କା ୩୦ ଦିନ ମଧ୍ୟରେ ନଦେଲେ ବାର୍ଷିକ ୧୨ ପ୍ରତିଶତ ସୁଧ ହରରେ କ୍ଷତିପୂରଣ ରାଶି ଅସୁଲ କରାଯିବାକୁ କୁହାଯାଇଛି। ଅଭିଯୋଗକାରୀଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ପଣ୍ଡା ଓ ପ୍ରଭୁଦତ୍ତ ବିର୍ତ୍ତିଆ।
Follow Us