ପଦ୍ମପୁର ଜିଲ୍ଲାରେ ବରପାଲିକୁ ସାମିଲ କରିବା ପ୍ରତିବାଦ: ୨୮ରେ ବନ୍ଦ ଡାକରା

Advertisment
ପଦ୍ମପୁର ଜିଲ୍ଲାରେ ବରପାଲିକୁ ସାମିଲ କରିବା ପ୍ରତିବାଦ: ୨୮ରେ ବନ୍ଦ ଡାକରା

ବରପାଲି: ବରଗଡ଼ ଜିଲ୍ଲା ବରପାଲି ଓକିଲ ସଂଘର ଆହ୍ବାନକ୍ରମେ ଓକିଲ ସଂଘ ପ୍ରକୋଷ୍ଠଠାରେ ସ୍ଥାନୀୟ ଅଞ୍ଚଳର ସାମାଜିକ ସଂଗଠନ, ରାଜନୈତିକ ଦଳର ପ୍ରତିନିଧି, ଜନପ୍ରତନିଧି ଏବଂ ବୁଦ୍ଧିଜୀବୀଙ୍କୁ ନେଇ ବୈଠକ ବସିଛି। ସଂଘର ଉପସଭାପତି ମନୋଜ ପଟ୍ଟନାୟକ ଏହାର ସଭାପତିତ୍ବ କରିଥିଲେ। ବୈଠକରେ ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ହାଇକୋର୍ଟଙ୍କ ପ୍ରାରମ୍ଭିକ ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ଗଠନ ପ୍ରକ୍ରିୟା ଜାରି ରଖିବା ସରକାରଙ୍କ ଇଚ୍ଛା ଉପରେ ହାଇକୋର୍ଟ ଛାଡ଼ି ଦେଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ତେବେ ଏହି ପ୍ରସ୍ତାବିତ ଜିଲ୍ଲାରେ ବରପାଲିକୁ ବାଦ୍‌ ଦେବା ପାଇଁ ଦୃଢ଼ ଦାବି କାୟମ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ପଦ୍ମପୁର ଜିଲ୍ଲାରେ ବରପାଲିକୁ ସାମିଲ କରିବା ଏକ ଅଯୌକ୍ତିକର ପ୍ରସଂଗ। ଆବଶ୍ୟକସ୍ଥଳେ ଏନେଇ ଓକିଲ ସଂଘ ହାଇକୋର୍ଟ ଦ୍ବାରସ୍ଥ ହେବ। କିନ୍ତୁ ପ୍ରଥମେ ଆସନ୍ତା ୨୮ ତାରିଖ ଗୁରୁବାର ଦିନ ବରପାଲି ବନ୍ଦ ପାଳନ କରିବାକୁ ସାମୁହିକ ଭାବେ ସ୍ଥିର ହୋଇଛି। ବୈଠକରେ ବଣିକ ସଂଘ, ବଜରଙ୍ଗ ଦଳ, ଟାକ୍ସି ୟୁନିୟନ ମାଲିକ ସଂଘ, ଶୀତଳ ଷଷ୍ଠୀ ଯାତ୍ରା କମିଟି, ଆଦିବାସୀ ସଂଘ, ସାମ୍ବାଦିକ ସଂଘ, ମୁସଲିମ ସଂଘ, ବେତନ୍ତ ସମିତି, ଦୈନିକ ବଜାର ସଂଘର କାର୍ଯ୍ୟକର୍ତ୍ତା, ଟିକାୟତ୍ତ ମହତ୍ତମ, ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାର, ଅଭିଷେକ ସେଠ, ପଦ୍ମଲୋଚନ ସାହୁ, ଅଧିକାରୀ ବାରିକ ଏବଂ ବିଭିନ୍ନ ସଂଗଠନ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶନିବାର ଓକିଲ ସଂଘ ସଭାପତି ଆନନ୍ଦ ସାହୁଙ୍କ ସଭାପତିତ୍ବରେ ବନ୍ଦ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ବସିଛି। ଏଥିରେ ଆସନ୍ତା ଗୁରୁବାର ଦିନ ବରପାଲି ତଥା ବ୍ଲକ୍‌ ମହକୁମାରେ ରହିଥିବା ସମସ୍ତ ପଞ୍ଚାୟତର ସ୍କୁଲ୍‌, କଲେଜ୍‌, ବ୍ୟାଙ୍କ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଈଶ୍ବର ନାଗ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe