ବରଗଡ଼: ଗଙ୍ଗାଧର ପ୍ରକଳ୍ପ ଉଦଘାଟନ ପରେ ବରଗଡ଼ କେନାଲକୁ ନେଇ ଅଡୁଆ ବଢ଼ିଛି। ରବିରେ ଚାଷ ପାଇଁ ଅଦଳବଦଳ ଦିନରେ ବିଭିନ୍ନ ଗାଁକୁ ପାଣି ଦିଆଯିବ। ଆସନ୍ତା ୨୬ ତାରିଖରୁ କିଏ କେଉଁ ଦିନ ପାଣି ଛାଡ଼ିବେ ସେ ନେଇ ଅତାବିରା ସହକାରୀ ନିର୍ବାହୀ ଯନ୍ତ୍ରୀ ୪ଟି କେନାଲ ଷ୍ଟେସନ(ଲଛିଦା, ଅତାବିରା, ରେମୁଣ୍ଡା, ପପଙ୍ଗା)ର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଚିଠି କରିଛନ୍ତି । ଆଉ ରବି ଚାଷ ପାଇଁ ଏବେଠୁ ଦିବସ ଅନୁସାରେ ପାଣି ଛାଡ଼ିବା ନେଇ ବିଧିବଦ୍ଧ ଚିଠି ହେବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହେଲାଣି । ଗଙ୍ଗାଧର ପ୍ରକଳ୍ପ ପାଇଁ ବରଗଡ଼ କେନାଲ ପ୍ରଭାବିତ ହେଉ ନାହିଁ ତ ବୋଲି ଚାଷୀ ସଂଗଠନ ପ୍ରଶ୍ନ କଲେଣି । ଏପରିକି ଏହାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି ।
ମିଳିଥିବା ସୂଚନା ଅନୁସାରେ, ହୀରାକୁଦ ନଦୀବନ୍ଧର ପାଣି ୪ଟି ପୋଲ ଜରିଆରେ ବରଗଡ଼ ମୁଖ୍ୟ କେନାଲକୁ ଛଡ଼ାଯାଏ । ତାପରେ କିଛି ବର୍ଷ ତଳେ ପାୱାର ଜେନେରେସନ ୟୁନିଟ୍ ହେବା ପରେ ଦୁଇଟି ପୋଲର ପାଣିକୁ ପାଇପ ଲଗାଇ ପାୱର ଜେନେରେସନ ଷ୍ଟେସନରେ ପହଞ୍ଚାଯାଇଥିଲା । ସେହି ପାଣି ପୁଣି ଆସି ବରଗଡ଼ ମୁଖ୍ୟ କେନାଲରେ ମିଶୁଥିଲା ଓ ଚାଷୀଙ୍କ ଚାଷ ଜମିକୁ ଯାଉଥିଲା । ଏବେ ପାୱାର ଜେନେରେସନ ପରେ ବାହାରୁଥିବା ପାଣିକୁ ସେହି ଜାଗାରୁ ଲିଫ୍ଟ କରିବାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି କମିଲାଣି ବୋଲି ଚାଷୀମାନେ ସନ୍ଦେହବ୍ୟକ୍ତ କରିଛନ୍ତି । ଆରମ୍ଭରୁ ନିର୍ଦ୍ଧାରିତ ଦିନ ଅନୁସାରେ କେନାଲରେ ପାଣି ଛାଡ଼ିବା ନେଇ ଚିଠି ହେବା ପରେ ସଂଯୁକ୍ତ କୃଷକ ସଂଗଠନ ତୀବ୍ର ଉଦବେଗ ପ୍ରକାଶ କରିଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଦିବସ ଅନୁସାରେ ପାଣି ଦିଆଯିବା ନେଇ ଚାଷୀ ଅସନ୍ତୋଷ ରହିଥିଲା। ୨୦୦୭-୦୮ ମସିହାରେ ଆନ୍ଦୋଳନ ପରେ ତାହା ୨୦୨୦ ଯାଏଁ ହେଉନଥିଲା । ମଝିରେ ମଝିରେ କେବେ କେମିତି ଦିବସ ଅନୁସାରେ ପାଣି ଛଡ଼ାଯାଉଥିଲା । କିନ୍ତୁ ଏଭଳି ବିଧିବଦ୍ଧ ଚିଠି କେବେ ହୋଇନଥିଲା । ଯାହା ଜଣାପଡୁଛି ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ପାଇଁ ବରଗଡ଼ ମୁଖ୍ୟ କେନାଲରେ ପାଣି କମିଛି । ଏଣୁ ଜଳସେଚନ ପାଇଁ ବରଗଡ଼ ମୁଖ୍ୟ କେନାଲରୁ ପର୍ଯ୍ୟାପ୍ତ ପାଣି ଯୋଗାଇବାକୁ ଦାବି କରାଯାଇଛି ।
ଏ ନେଇ ଉପର ମହାନଦୀ ଅବବାହିକା ପରିଚାଳକ ତଥା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ବରଗଡ଼ ମୁଖ୍ୟ କେନାଲର ଜିରୋ ପଏଣ୍ଟ ଯେଉଁଠୁ ଆରମ୍ଭ ହୋଇଛି ସେଠି ୪ଟି ଭେଣ୍ଟ(ପୋଲ) ରହିଥିଲା । ଦୁଇଟି କାକଟିଆ ପାୱାର ଜେନେରେସନକୁ ଯାଇଛି । ସେଇଠୁ ପୁଣି ଟେଲ ରେସ ଚେନାଲରୁ ପାଣି ବାହାରୁଛି । ସେଠାରୁ ଗଙ୍ଗାଧର ମେହେର ପ୍ରକଳ୍ପକୁ ନିଆଯାଉଛି । ତେବେ ବରଗଡ଼ମୁଖ୍ୟ କେନାଲର କ୍ଷମତା ୪୮୦୦ କ୍ୟୁସେକ । କିନ୍ତୁ ୩୮୦୦ କ୍ୟୁସେକ ପାଣି ପୂର୍ବରୁ ବରଗଡ଼ ମୁଖ୍ୟ କେନାଲକୁ ଦିଆଯାଉଥିଲା । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ୭୨୭ କ୍ୟୁସେକ ପାଣି ଯୋଗାଣ କରାଯାଉଛି । ତେବେ ପାଣିର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି।