ବିଜେପୁର ବିଜେପିରେ ବିଦ୍ରୋହ, ନାରାୟଣଙ୍କ ଇସ୍ତଫା

ବିଜେପୁର ବିଜେପିରେ ବିଦ୍ରୋହ, ନାରାୟଣଙ୍କ ଇସ୍ତଫା

ବରଗଡ଼ : ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନ ପାଇଁ ଉତ୍ସାହିତ ବିଜେପିକୁ ବଡ଼ ଝଟ୍‌କା ଲାଗିଛି। ଦଳର ଜିଲ୍ଲା ସଭାପତି ନାରାୟଣ ସାହୁ ଏବଂ ୫ଜଣ ମଣ୍ଡଳ ସଭାପତି ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ତେବେ ରବିବାର ରାତିରୁ ଶ୍ରୀ ସାହୁଙ୍କ ମୋବାଇଲ୍‌ ସ୍ୱିଚ୍‌ ଅଫ୍‌ ଥିବାବେଳେ ବରପାଲି ସମାବେଶରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା। ଶ୍ରୀ ସାହୁଙ୍କ ଇସ୍ତଫା ସଂପର୍କରେ କୌଣସି ନେତା ମଧ୍ୟ ମୁହଁ ଖୋଲୁନାହାନ୍ତି। ଏବାବଦରେ କିଛି ଜଣାନଥିବା ସଫେଇ ଦେଉଛନ୍ତି। ସମ୍ଭବତଃ ଶ୍ରୀ ସାହୁଙ୍କ ଇସ୍ତଫାକୁ ଟାଳିବା ପାଇଁ ବିଜେପି ଉଦ୍ୟମ କରୁଥିବା କୁହାଯାଉଛି।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଗତକାଲି ବରଗଡ଼ଠାରେ ବସିଥିବା ବୈଠକ ପରେ ଶ୍ରୀ ସାହୁ ବିଜେପୁରରେ ନିଜର କିଛି ଖାସ୍‌ ସମର୍ଥକଙ୍କ ସହ ବୈଠକ କରିଥିଲେ। ଏହାପରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ସେ ଇସ୍ତଫା ପତ୍ର ପଠାଇଥିଲେ। ଶ୍ରୀ ସାହୁଙ୍କ ସମେତ ବିଜେପୁରର ୩ ଏବଂ ବରପାଲିର ୨ଜଣ ମଣ୍ଡଳ ସଭାପତି ମଧ୍ୟ ଇସ୍ତଫା ଦେଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଏହି ଖବର ମିଳିବା ପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ମନାଇବା ପାଇଁ ରାତିତମାମ ଚେଷ୍ଟା କରିଥିଲେ। କିନ୍ତୁ ଶ୍ରୀ ସାହୁ ନିଜ ଜିଦ୍‌ରେ ଅଟଳ ଥିବା କୁହାଯାଉଛି। ଏପରିକି ସୋମବାର ବରପାଲିଠାରେ ମିଶ୍ରଣ ପର୍ବ ଚାଲିଥିବାବେଳେ ଶ୍ରୀ ସାହୁ ଏବଂ ତାଙ୍କ ସମର୍ଥକମାନେ ବିଜେପୁର ଅଂଚଳରେ ବୈଠକ କରିଥିବା ଚର୍ଚ୍ଚା ଚାଲିଛି।
ସୂଚନାଯୋଗ୍ୟ, ଅଶୋକ ପାଣିଗ୍ରାହୀଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱକୁ ଶ୍ରୀ ସାହୁ ମୂଳରୁ ବିରୋଧ କରି ଆସୁଛନ୍ତି। ସୋମବାର ବରଗଡ଼ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା। ଏହାପୂର୍ବରୁ ଅଶୋକଙ୍କୁ ବିଜେପି ପ୍ରାର୍ଥୀ ଭାବେ ସାମନାକୁ ଆଣିଲେ କଡ଼ା ବିରୋଧ ହେବ ବୋଲି ମୂଳ ବିଜେପି କର୍ମୀମାନେ ଚେତାବନୀ ଦେଇଛନ୍ତି। ଖୋଦ୍‌ ଜିଲ୍ଲା ସଭାପତି ନାରାୟଣ ସାହୁ ମଧ୍ୟ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀ ସାହୁଙ୍କ ଜରିଆରେ ଦଳୀୟ ରାଜ୍ୟ ସଭାପତିଙ୍କୁ ବିଜେପୁରର କିଛି ମଣ୍ଡଳ ସଭାପତି ଚିଠି ଲେଖି ପ୍ରତିକ୍ରିୟା ଜଣାଇଥିବା ସୂଚନା ମିଳିଛି।

ଅପରପକ୍ଷେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ସେ ଏଭଳି ଚିଠି ପାଇଛନ୍ତି। ତେବେ କାହାର ଇସ୍ତଫା ଗ୍ରହଣ କରାଯାଇନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe