ଅନନ୍ୟ ଉଦାହରଣ ସୃଷ୍ଟି କଲେ ବରଗଡ଼ର ନେପାଳ ସାହୁ

Advertisment
ଅନନ୍ୟ ଉଦାହରଣ ସୃଷ୍ଟି କଲେ ବରଗଡ଼ର ନେପାଳ ସାହୁ

ବରଗଡ଼/ପଦ୍ମପୁର: ଜୀବିତ ଥିବା ବେଳେ ରକ୍ତଦାନ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇଥିଲେ। ଏବେ ମୃତ୍ୟୁ ପରେ ଚକ୍ଷୁଦାନ କରି ଅନନ୍ୟ ଉଦାହରଣ ସୃଷ୍ଟି କରିଗଲେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ ସରେଇକେଲା ଗାଁ’ର ନେପାଳ ସାହୁ (୨୮)। ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ନେପାଳଙ୍କ ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ଇଚ୍ଛା ମୁତାବକ ଚକ୍ଷୁଦାନ କରିଛନ୍ତି।
ପ୍ରାପ୍ତ ସୂଚନାନୁସାରେ ଗତକାଲି ଭୋର୍‌ ପ୍ରାୟ ୫ଟା ବେଳେ ନେପାଳ ବାଇକ୍‌ ଯୋଗେ ପଦ୍ମପୁର-ଜଗଦଲପୁର ରାସ୍ତାରେ ଯାଉଥିବା ସମୟରେ ସାମ୍‌ନା ପଟୁ ଆସୁଥିବା ଏକ ପାଇପ୍‌ ବୋଝେଇ ପିକ୍‌ଅପ୍‌ ସହ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପଦ୍ମପୁର ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିବା ବେଳେ ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା।

ନେପାଳଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କ ସାନଭାଇ ସତ୍ୟପାଳ ସାହୁଙ୍କ ଅନୁମତିକ୍ରମେ ଚକ୍ଷୁ ବ୍ୟାଙ୍କର ଅଧିକାରୀ ସୁନୀଲ ସା ଚକ୍ଷୁ ସଂଗ୍ରହ ପ୍ରକ୍ରିୟା ଶେଷ କରିଥିଲେ। ତାଙ୍କ ଭାଇଙ୍କ ଚକ୍ଷୁ ଦ୍ବାରା ଦୁଇ ଜଣ ଚକ୍ଷୁହୀନ ବ୍ୟକ୍ତି ଦୁନିଆ ଦେଖିପାରିବେ। ସେମାନଙ୍କ ମଧ୍ୟରେ ତାଙ୍କ ଭାଇ ଅମର ହୋଇ ରହିବେ ବୋଲି ସତ୍ୟପାଳ କହିଛନ୍ତି। ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲଙ୍କ ସହ ସଦସ୍ୟମାନେ ଡାକ୍ତରଖାନାରେ ଉପସ୍ଥିତ ରହି ସହାୟତା କରିଥିଲେ। ଗାଁ’ରେ ଶବ ପହଞ୍ଚିବା ପରେ ଗ୍ରାମବାସୀ ସଂକୀର୍ତ୍ତନ ସହ ଶୋଭଯାତ୍ରାରେ ଶ୍ମଶାନକୁ ନେଇଥିଲେ। ସେଠାରେ ଶେଷକୃତ୍ୟ କରାଯାଇଥିଲା। ନେପାଳଙ୍କ ମୃତ୍ୟୁ ପରେ ବାପା, ମା’ ଓ ଭାଇଙ୍କ ସହ ପତ୍ନୀ ସନ୍ତୋଷିନୀ ଓ ୯ ମାସର ପୁଅ କ୍ରିଷ୍ଣା ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୧୪ ତାରିଖରେ ବରଗଡ଼ ଟାଉନହଲରେ ସଂକଳ୍ପ ପରିବାର ଓ ‘ସମ୍ବାଦ- ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ନେପାଳ ରକ୍ତଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe