ମହାନଦୀ ଜଳ ପରିଚାଳନାରେ ଛତିଶଗଡ଼ର ମନମାନି: ତଳମୁଣ୍ଡରେ ଜାଲରେ ପଡ଼ୁନି ମାଛ, ଚିନ୍ତାରେ ମତ୍ସ୍ୟଜୀବୀ

Advertisment
ମହାନଦୀ ଜଳ ପରିଚାଳନାରେ ଛତିଶଗଡ଼ର ମନମାନି: ତଳମୁଣ୍ଡରେ ଜାଲରେ ପଡ଼ୁନି ମାଛ, ଚିନ୍ତାରେ ମତ୍ସ୍ୟଜୀବୀ

ବରଗଡ଼(ଅଞ୍ଜନ ପ୍ରଧାନ): ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ଜଳ ପରିଚାଳନା ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି। ସ୍ଥିତି ଅନୁଧ୍ୟାନ ପାଇଁ ଆମେ ପହଞ୍ଚିଥିଲୁ ମହାନଦୀ ଅବବାହିକା‌ରେ ଓଡ଼ିଶାର ଶେଷ ମୁଣ୍ଡରେ ଥିବା ଗୋବିନ୍ଦପୁର ଗାଁରେ। ଏହି ଗାଁର ଜନସଂଖ୍ୟା ୫ଶହ ପାଖାପାଖି। ଭୋଟର୍‌ ସଂଖ୍ୟା ୨୫୦। ଗାଁର ସବୁ ଲୋକ ମହାନଦୀରୁ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି। ମହାନଦୀ ଅବବାହିକାର ଓଡ଼ିଶା ସୀମାରେ ପ୍ରଥମ ମତ୍ସ୍ୟଜୀବୀ ସମବାୟ ସମିତି ଅମ୍ବାଭୋନା ବ୍ଲକ୍‌ ତାମଦେଇଠାରେ ରହିଛି। ଗୋବିନ୍ଦପୁର ଗାଁର ସବୁ ମତ୍ସ୍ୟଜୀବୀ ଏହି ସମିତି ସହ ଅନୁବନ୍ଧିତ। ମାଛ ଧରିବା ଛଡ଼ା ଏମାନଙ୍କ ପାଖ‌ରେ ପରିବାର ପ୍ରତିପୋଷଣ କରିବାକୁ ଆଉ କିଛି ବିକଳ୍ପ ନାହିଁ। କିନ୍ତୁ ବର୍ତ୍ତମାନ ଜାଲରେ ମାଛ ପଡ଼ୁନଥିବାରୁ ଏମାନଙ୍କ ଜୀବନଜୀବିକା ସଂକଟ ଦେଇ ଗତି କରୁଛି। ଯାହା ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଜଣାପଡ଼ୁଛି।

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ପାଣି ଗାଁ ପାଖକୁ ମାଡ଼ି ଯାଇଛି। ପ୍ରଜନନ ଋତୁ ଯୋଗୁଁ ହୀରାକୁଦରେ ମାଛ ଧରିବା ଉପରେ କଟକଣା ରହିଛି। କେବଳ ସମବାୟ ସମିତିର ମତ୍ସ୍ୟଜୀବୀଙ୍କୁ ଏହି କଟକଣାରୁ ବାଦ୍‌ ଦିଆଯାଇଛି। ମତ୍ସ୍ୟଜୀବୀମାନେ ପାଖାପାଖି ୫୦ଟି ଡଂଗା ନେଇ ମାଛ ଧରୁଛନ୍ତି। କିନ୍ତୁ ଦୈନିକ ବହୁ କଷ୍ଟରେ ୪ କ୍ବିଣ୍ଟାଲରୁ କମ୍‌ ମାଛ ଜାଲରେ ଲାଗୁଛନ୍ତି। ପୂର୍ବରୁ ଜାଲରେ ୨୦ରୁ ୨୫ କ୍ବିଣ୍ଟାଲ ମାଛ ଲାଗୁଥିଲେ। ଛତିଶଗଡ଼ର ମନମୁଖି ଯୋଗୁଁ ସେମାନଙ୍କ ଏଭଳି ଦୁର୍ଦ୍ଦଶା ଥିବା ମତ୍ସ୍ୟଜୀବୀମାନେ କହୁଛନ୍ତି। ବର୍ତ୍ତମାନ ଛତିଶଗଡ଼ ପଟେ ଥିବା ସବୁ ବ୍ୟାରେଜ୍‌ର ଗେଟ୍‌ ଖୋଲା ରହିଛି। ତେଣୁ ମାଛଗୁଡ଼ିକ ପ୍ରଜନନ ପାଇଁ ଉପରମୁଣ୍ଡକୁ ଯାଉଛନ୍ତି। ପ୍ରଜନନ ସରିବା ପରେ ଛତିଶଗଡ଼ ବ୍ୟାରେଜ୍ ବନ୍ଦ କରି ଦେଉଛି। ଯଦ୍ବାରା ବଡ଼ ମାଛ ଏବଂ ଅଣ୍ଡା ଛତିଶଗଡ଼ ପଟେ ରହି ଯାଉଛି। ମାଛ ବଂଶ ବିସ୍ତାର ସେଠାରେ ହେଉଥିବା ବେଳେ ଓଡ଼ିଶା ପଟ ଖାଲି ପଡ଼ୁଛି। ଏଠାରେ ମାଛ କାରବାର କରୁଥିବା ଯୋଗେଶ୍ବର ନାଏକ କୁହନ୍ତି, ଦଶ ବର୍ଷ ପୂର୍ବରୁ ଏଠାକାର ମତ୍ସ୍ୟଜୀବୀମାନେ ବର୍ଷତମାମ ମାଛ ଧରୁଥିଲେ। କିନ୍ତୁ ଏବେ ଆଉ ମାଛ ଲାଗୁ ନାହାନ୍ତି। ଗତ ଜୁନ୍‌ ଏବଂ ଜୁଲାଇ ମାସରେ‌ କେବଳ ତିନି ଦିନ ୪ରୁ ୫ କ୍ବିଣ୍ଟାଲ ଲେଖାଏଁ ମାଛ ଧରିଛନ୍ତି। ମାଛର ପରିମାଣ ସହ ପ୍ରଜାତି ବି ହୀରାକୁଦରେ କମିବାକୁ ଲାଗୁଛନ୍ତି। କଲାପିଆ, ରୋହି ଏବଂ ଭାକୁରକୁ ଛାଡ଼ି ଅନ୍ୟ ମାଛ ଆଉ ମିଳୁନାହାନ୍ତି। ଛତିଶଗଡ଼ର କାରବାର ଉପରେ ଲଗାମ ନ ଲାଗିଲେ, ଆଗକୁ ଓଡ଼ିଶାର ମତ୍ସ୍ୟଜୀବୀଙ୍କ ସ୍ଥିତି ଦୁର୍ବିସହ ହେବ ବୋଲି ଯୋଗେଶ୍ବର କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe