ଭୁବନେଶ୍ବର/ବରଗଡ଼: ମୁଖ୍ୟମନ୍ତ୍ରୀ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା-୨୦୨୫ ଦେଖିବେ। ଏହା ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ। ବରଗଡ଼ର ଧନୁଯାତ୍ରା ଦେଖିବା ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଘୋଷଣା କରିଛନ୍ତି। ବରଗଡ଼ ଜିଲ୍ଲା ସୋହେଲା ଠାରେ ଇନ୍ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ଅବସରରେ ସେ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବରଗଡ଼ ଧନୁଯାତ୍ରା କମିଟି ମହଲରେ ଖୁସିର ଲହରି ଦେଖାଯାଇଛି। ଏହାର କାରଣ ହେଲା ଦୀର୍ଘ ୨୩ ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଧନୁଯାତ୍ରାରେ ଯୋଗଦେବେ। ବରଗଡ଼ ଧନୁଯାତ୍ରାରେ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୨୦୦୨ରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ୧୯୯୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ୧୯୭୦ରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ବରଗଡ଼ ଧନୁଯାତ୍ରାରେ ଯୋଗ ଦେଇଥିଲେ।
ଏହି ଖବର ପଢ଼ନ୍ତୁ: କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ ଡିଏସ୍ କୁଟ୍ଟେ
ଆଗାମୀ ଧନୁଯାତ୍ରରେ ଯୋଗଦେବା ପାଇଁ ବରଗଡ଼ ଜିଲ୍ଲାର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହା ପରେ ବିଧାୟକଙ୍କର ଅନୁରୋଧକୁ ରକ୍ଷା କରି ସୋହେଲା ଠାରେ ଇନ୍ପୁଟ୍ ସହାୟତା ରାଶି ବଣ୍ଟନ ଅବସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବରଗଡ଼ ଧନୁଯାତ୍ରାରେ ଯୋଗ ଦେବା ପାଇଁ ଘୋଷଣା କରିଥିଲେ।
ଏହି ଖବର ପଢ଼ନ୍ତୁ: ଚାକିରିରୁ ନିଲମ୍ବିତ ହେଲେ ହୃଷୀକେଶ
ଆସନ୍ତା ଜାନୁଆରି ୩ ତାରିଖରୁ ୭୭ତମ ଧନୁଯାତ୍ରା ଆରମ୍ଭ ହେବ। ଏକାଦଶ ଦିବସୀୟ ଏହି ମୁକ୍ତାକାଶ ରଂଗମଞ୍ଚ ଜାନୁଆରି ୧୩ ତାରିଖ ଯାଏଁ ଜାରି ରହିବ। ମହାରାଜ କଂସଙ୍କ ସଂଳାପରେ ଗଗନ ପବନ ପ୍ରକମ୍ପିତ ହେବ। ବରଗଡରେ ମହାରାଜ କଂସଙ୍କ ରାଜୁତି ଚାଲିବ।
ଏହି ଖବର ପଢ଼ନ୍ତୁ: ଭୁବେନଶ୍ବର ପ୍ରଧାନଙ୍କ ନାମରେ ମୋହର ମାରିଲା ଚୟନ କମିଟି
ମୁଖ୍ୟମନ୍ତ୍ରୀ ଧନୁଯାତ୍ରା ଦେଖିବା ଯେତିକି ବଡ଼ କଥା ନୁହେଁ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଏହି ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚରେ ଉପସ୍ଥିତ ରହିବା ହେଉଛି ଗୁରୁତ୍ବପୂର୍ଣ୍ଣ ବିଷୟ। ପଶ୍ଚିମ ଓଡ଼ିଶାରେ ସମ୍ବଲପୁରର ଶୀଳତ ଷଷ୍ଠୀ ପରେ ବରଗଡ଼ର ଧନୁଯାତ୍ରା ହେଉଛି ଅନ୍ୟତମ ବିଶାଳ ଆୟୋଜନ, ଯେଉଁଠି ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥାଏ। ଏଗାର ଦିନ ଧରି ଜାରି ରହୁଥିବା ଏହି ଯାତ୍ରାରେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଲୋକଙ୍କର ମଧ୍ୟ ଉପସ୍ଥିତି ରହିଥାଏ।
ଧନୁଯାତ୍ରାରେ ନୂଆ କଳାକାର
ଏଥର ଧନୁଯାତ୍ରାକୁ ଏଥର ନୂଆ କଂସ ମିଳିଛି। ଭୁବନେଶ୍ବର ପ୍ରଧାନ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଧନୁଯାତ୍ରା ସମୟରେ ବରଗଡ଼ ସହରରେ ରାଜ୍ କରିବେ। ସେ କଡ଼ା ସଂଳାପ କହି ମୁକ୍ତାକାଶ ରଂଗମଞ୍ଚକୁ ଦୁଲୁକାଇବେ। ସେହିପରି ୩ ଜଣ ଶିଶୁ କଳାକାରଙ୍କୁ ଚୟନ କରାଯାଇଛି। ମନୋନୀତ ତିନି ଶିଶୁ କଳାକାର କୃଷ୍ଣ, ବଳରାମ ଓ ରାଧା ଭୂମିକାରେ ଅଭିନୟ କରିବେ। ଏଥର ଶ୍ରୀକୃଷ୍ଣ ଭୂମିକାରେ ସ୍ୱପ୍ନିଳ ମହାପାତ୍ର, ରାଧା ଭୂମିକାରେ ସାଇନା ପ୍ରଧାନ ଓ ବଳରାମ ଭୂମିକାରେ ଦିବ୍ୟାଂଶୁ ବିର୍ତ୍ତିଆ ଅଭିନୟ କରିବେ।
ଏହି ଖବର ପଢ଼ନ୍ତୁ: ଶ୍ରୀକୃଷ୍ଣ ସ୍ୱପ୍ନିଳ, ରାଧା ସାଇନା ଓ ବଳରାମ ଦିବ୍ୟାଂଶୁ