କମ୍ୟୁନିଷ୍ଟ ନେତା ରମେଶ ଚନ୍ଦ୍ର ଗୁରୁଙ୍କ ପରଲୋକ

Advertisment
କମ୍ୟୁନିଷ୍ଟ ନେତା ରମେଶ ଚନ୍ଦ୍ର ଗୁରୁଙ୍କ ପରଲୋକ

ବରଗଡ଼: ବର୍ଷିୟାନ କମ୍ୟୁନିଷ୍ଟ ନେତା ରମେଶଚନ୍ଦ୍ର ଗୁରୁ (୮୧)ଙ୍କ ମଙ୍ଗଳବାର ପରଲୋକ ଘଟିଛି। କିଛି ବର୍ଷ ହେଲା ସେ ବାର୍ଦ୍ଧକ୍ୟ କାରଣରୁ ଶଯ୍ୟାଶାୟୀ ଥିଲେ। ସ୍ୱର୍ଗତ ଗୁରୁ ଅବିବାହିତ ଥିଲେ। ଝାରସୁଗୁଡ଼ା ଜିଲ୍ଲା ଗୁରୁପାଲି ଗାଁରେ ଜନ୍ମିତ ସ୍ବର୍ଗତ ଗୁରୁ ପଚାଶ ଦଶକ ଶେଷ ଭାଗରେ ସଂସଦରେ କାର୍ଯ୍ୟାରମ୍ଭ କରି ଦେଶର ତୁଙ୍ଗ ନେତାମାନଙ୍କ ସଂସ୍ପର୍ଶରେ ଆସିଥିଲେ। କିନ୍ତୁ ଅଢ଼େଇ ବର୍ଷ ପରେ ଚାକିରି ଛାଡ଼ି କମ୍ୟୁନିଷ୍ଟ ନେତା ପ୍ରସନ୍ନ ପଣ୍ଡା, ଲେଙ୍ଗୁ ମିଶ୍ର, ନଟବର ବନଛୋରଙ୍କ ଦ୍ୱାରା ପ୍ରଭାବିତ ହୋଇ ବରଗଡ଼ରେ ସିପିଆଇ କର୍ମୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ବରଗଡ଼ ହାଟପଦାଠାରେ ଅଗ୍ନିବୀଣା ପୁସ୍ତକାଳୟ ପ୍ରତିଷ୍ଠା କରିଥିଲେ।

ସକ୍ରିୟ କମ୍ୟୁନିଷ୍ଟ ଆନ୍ଦୋଳନରେ ସେ ବହୁବାର କାରାବରଣ ମଧ୍ୟ କରିଥିଲେ। ବିୟୋଗ ଖବର ପ୍ରଚାର ହେବା ମାତ୍ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁରୁଣା କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟାଳୟକୁ ପହଞ୍ଚି ଶେଷ ଦର୍ଶନ କରିଥିଲେ। ବିଧାୟକ ଦେବେଶ ଆଚାର୍ଯ୍ୟ, ଶିରୀଶ ବଲ୍ଲଭ ମିଶ୍ର, ଶଙ୍କର ବଲ୍ଲଭ ମିଶ୍ର, ପ୍ରଦୀପ ହୋତା, ଜିଲ୍ଲା ସିପିଆଇ ସଂପାଦକ ନିରଞ୍ଜନ ପାଣିଗ୍ରାହୀ, ପବିତ୍ର ଦିଶ୍ରୀ, ଜୟଦେବ ଗଡ଼ତିଆ, ଗୋପାଳ ଅଗ୍ରୱାଲ, ଶ୍ରଦ୍ଧାକର ପ୍ରଧାନ, ପ୍ରେମଚାନ୍ଦ ଅଗ୍ରୱାଲ, ଉମେଶ ବିଶ୍ବାଳ, ବୀରେନ୍ଦ୍ର ପ୍ରଧାନ, ସିଦ୍ଧାର୍ଥ ଶଙ୍କର ପଣ୍ଡା, ବିଶ୍ୱଜିତ ମିଶ୍ରଙ୍କ ସମେତ ବହୁ ଲୋକ ଶବାଧାରରେ ସାମିଲ ହୋଇଥିଲେ। ବରଗଡ଼ ଜୀରାନଦୀ କୂଳରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା। ତାଙ୍କ ସେବାଯତ୍ନ ତୁଲାଉଥିବା ସନ୍ତୋଷ ରାଉତ ଏବଂ ଲେଙ୍ଗୁ ମିଶ୍ରଙ୍କ ନାତି ସତ୍ୟମ ସ୍ୱାଗତ ମିଶ୍ର ମିଳିତ ଭାବେ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସାଧୁ ନେପାକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe