‘ଦିଶା’ରେ ଜଣାପଡ଼ିଲା ଦୁର୍ଦ୍ଦଶା: ସବୁ ବିଭାଗର କାମରେ ଲାଗିଛି ସମସ୍ୟା

Advertisment
‘ଦିଶା’ରେ ଜଣାପଡ଼ିଲା ଦୁର୍ଦ୍ଦଶା: ସବୁ ବିଭାଗର କାମରେ ଲାଗିଛି ସମସ୍ୟା

ବରଗଡ଼: ଜିଲ୍ଲାରେ ସବୁ ଠିକ୍‌ଠାକ୍‌ ଚାଲିଥିବା ଉପର ଠାଉରିଆ ଜଣାପଡ଼ୁଛି। କିନ୍ତୁ ସବୁ ବିଭାଗର କାମରେ ଲାଗିଛି ସମସ୍ୟା। କେଉଁଠି କାମ ବିଳମ୍ବ, ତ କେଉଁଠି ମୂଳରୁ ଆରମ୍ଭ ହୋଇନାହିଁ। ଶନିବାର 'ଦିଶା' ସମୀକ୍ଷା ବୈଠକରେ ଯେଉଁ ବିଭାଗକୁ ହାତ ମାରିଲେ ଅନିୟମିତତା କିମ୍ବା ମାତ୍ରାଧିକ ମନ୍ଥର କାମ ମାମଲା ସାମନାକୁ ଆସିଲା। ସ୍ଥିତି ଏଭଳି ଯେ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଚିହିଁକି ଉଠିଥିଲେ। ଗ୍ରାମୀଣ ଜଳଯୋଗାଣ ବିଭାଗ ପକ୍ଷରୁ କାର୍ଯ୍ୟରେ ମନ୍ଥରତାକୁ ସେ କଡ଼ା ଭାଷାରେ ସମାଲୋଚନା କରିଥିଲେ।

ଅତାବିରା, ବରଗଡ଼, ଭେଡ଼େନ ଏବଂ ବରପାଲି ବ୍ଲକ୍‌ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୮୩୦ କୋଟି ଟଙ୍କାରେ ପାନୀୟ ଜଳଯୋଗାଣ ଯୋଜନା ରହିଛି। ଏହି ପ୍ରକଳ୍ପ ପାଇଁ ରାସ୍ତାକଡ଼େ ପାଇପ୍‌ ପଡ଼ିଛି। କେଉଁଠି ଗାତ ଖୋଳା ସରିଛି। ପାଇପ୍‌ ପଡ଼ି ପଡ଼ି ନଷ୍ଟ ହେଉଥିବାବେଳେ କାମ କିନ୍ତୁ ଆରମ୍ଭ ହୋଇନାହିଁ। ଯାହାକୁ ନେଇ ଶ୍ରୀ ଆଚାର୍ଯ୍ୟ ଜୋର୍‌ ବିଗିଡ଼ିଛନ୍ତି। ପୌରାଞ୍ଚଳର କାର୍ଯ୍ୟର ସମୀକ୍ଷା ବେଳେ ଅଧିକାରୀମାନଙ୍କ କାର୍ଯ୍ୟକଳାପରେ ବିଗିଡ଼ିଥିଲେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ। ବୈଠକରେ ଶିକ୍ଷାର ଭିତ୍ତିଭୂମି ଉପରେ ବି ସମୀକ୍ଷା ହୋଇଥିଲା। ଶିକ୍ଷକ ଅବସର ନେବା ପରେ ଆଉ ନୂତନ ନିଯୁକ୍ତି ହେଉନାହିଁ। ଗୁଡ଼ାଏ ସ୍କୁଲ କୋଠା ବିପଦସଙ୍କୁଳ ଅବସ୍ଥାରେ ରହିଛି ବୋଲି ସାଂସଦ ପ୍ରତିନିଧି ସୁରେଶ୍ବର ଶତପଥୀ ମତ ରଖିଥିଲେ। ସେହିପରି ନିମ୍ନମାନର ଛତୁଆ ବଣ୍ଟନ ପ୍ରସଂଗ ବି ଉଠିଛି। ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ଅନିୟମିତତା ଚାଲିଥିବା ପୌରାଧ୍ୟକ୍ଷା କଳ୍ପନା ମାଝୀ ଅଭିଯୋଗ ଆଣିଥିଲେ। ତେବେ ଏହାର ତଦନ୍ତ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ବୈଠକର ଅଧ୍ୟକ୍ଷତା କରିଥିଲେ ସାଂସଦ ସୁରେଶ ପୂଜାରୀ, ମନ୍ତ୍ରୀ ରୀତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ମୁଖ୍ୟ ଉନ୍ନୟନ ଅଧିକାରୀ ଆଦିତ୍ୟ ଗୋୟଲ ମଞ୍ଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe