୨ ଡାକ୍ତର ବଦଳି:ଡେପୁଟେସନ୍‌ରେ ଚାଲିବ କାମ

Advertisment
୨ ଡାକ୍ତର ବଦଳି:ଡେପୁଟେସନ୍‌ରେ ଚାଲିବ କାମ

ବରଗଡ଼: ବହୁ ବାଦବିବାଦ ଏବଂ ଟଣାଓଟରା ପରେ ବରଗଡ଼ ଜିଲ୍ଲାରୁ ଶେଷରେ ଦୁଇ ଡାକ୍ତରଙ୍କୁ ସିଡିଏମ୍‌ଓ ରିଲିଭ୍‌ ଅର୍ଡର ଦେଇଛନ୍ତି। ଫଳରେ ସୋହେଲା ସିଏଚ୍‌ସିର ଡା. ଶଂକର ରାମଚନ୍ଦାନୀ ଏବଂ ବରପାଲି ସିଏଚ୍‌ସିର ଡା. ସୁବ୍ରତ ପ୍ରଧାନ ବୁର୍ଲା ମେଡିକାଲରେ ଯୋଗ ଦେବା ପଥ ପରିଷ୍କାର ହୋଇଛି। ବୁର୍ଲା ମେଡିକାଲରେ ଡାକ୍ତର ସମସ୍ୟା ଦୂର କରିବା ପାଇଁ ଗତବର୍ଷ ଡିସେମ୍ବର ୨୦ ତାରିଖ ରାଜ୍ୟ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ଚିଠି ଜାରି କରିଥିଲେ। ୧୯ଜଣଙ୍କ ମଧ୍ୟରୁ ୧୭ଜଣ କାର୍ଯ୍ୟରେ ଯୋଗଦାନ କରିସାରିଥିବା ବେଳେ ଡା. ରାମଚନ୍ଦାନୀ ଏବଂ ଡା. ପ୍ରଧାନଙ୍କ ରିଲିଭକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। କୌଣସି ବିକଳ୍ପ ବ୍ୟବସ୍ଥା ନକରି ସରକାର ଏଭଳି କଠୋର ନିଷ୍ପତ୍ତି ନେଇଥିବାରୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା।

ସୋହେଲା ସିଏଚ୍‌ସିରେ ଡାକ୍ତର ଅଭାବ ଯୋଗୁଁ ଡା. ରାମଚନ୍ଦାନୀଙ୍କ ବଦଳି ବାତିଲ କରିବାକୁ ଦାବି ହୋଇଥିଲା। ଧାରଣା ଏବଂ ରାସ୍ତାରୋକ ଚାଲିଥିଲା। କୌଣସି ମତେ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ପ୍ରଶମିତ କରିଥିଲା। ଗୋଟିଏ ଅନୁଷ୍ଠାନରେ ଡାକ୍ତର ଭର୍ତ୍ତି ପାଇଁ ଜରୁରୀ ସ୍ଥାନରୁ ଡାକ୍ତର ବଦଳି କରିବା ସରକାରୀ ନୀତିକୁ ସମାଲୋଚନା କରାଯାଉଛି। ସରକାର ଡାକ୍ତର ବଦଳି ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରିବା କଥା ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଅସ୍ଥାୟୀ ଭାବେ ସମସ୍ୟାର ସମାଧାନ ପାଇଁ ଡେପୁଟେସନ୍‌ରେ ଡାକ୍ତର ମୁତୟନ ରହିବେ ବୋଲି ସିଡିଏମ୍‌ଓ ଡା. ପ୍ରକାଶଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe