ଅମ୍ବାଭୋନା ବ୍ଲକ୍‌ରେ ଟାଣଖରାରେ ବି ବନ୍ୟା ପରିସ୍ଥିତି

Advertisment
ଅମ୍ବାଭୋନା ବ୍ଲକ୍‌ରେ ଟାଣଖରାରେ ବି ବନ୍ୟା ପରିସ୍ଥିତି

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ରେ ଟାଣଖରାରେ ବି ବନ୍ୟା ପରିସ୍ଥିତି ଉପୁଜିଛି। ବ୍ଲକ୍‌ରେ ଦୁଇଦିନ ତଳେ ସାମାନ୍ୟ ବର୍ଷା ହୋଇଛି। ମାତ୍ର ଛତିଶଗଡ଼ ଉପର ମୁଣ୍ଡରେ ଲଗାଣ ବର୍ଷା ହୋଇଛି। ମହାନଦୀ ଗର୍ଭକୁ ସରଗୁଜା, ଗାଙ୍ଗରେଲ, ସାରାଡ଼ିହି, କଲ୍‌ମା ଆଦି ବ୍ୟାରେଜରୁ ମାତ୍ରାଧିକ ବର୍ଷା ଜଳ ନିଷ୍କାସନ ଯୋଗୁଁ ମହାନଦୀରେ ଜଳପତ୍ତନ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ମାତ୍ରାଧିକ ବର୍ଷାଜଳ ମହାନଦୀକୁ ଛଡ଼ାଯିବା ଏବଂ ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରୁ କମ୍‌ ବନ୍ୟାଜଳ ନିଷ୍କାସନ ଯୋଗୁଁ ଏଠାରେ ବନ୍ୟା ପରିସ୍ଥିତି ଲାଗି ରହିଛି।

ଅମ୍ବାଭୋନା ବ୍ଲକ୍‌ର ଚିଖିଲି, ବେନିଆଁପାଲି, ଅନ୍ତରାଡ଼ି, ଘୁଘୁରାପାଲି, ବଡ଼ମାଲ, ସଉନ୍ତାମାଲ ଆଦି ଗ୍ରାମର ପାଖାପାଖି ୨୫୦ ହେକ୍ଟର ଚାଷଜମିରେ ବନ୍ୟାଜଳ ମାଡ଼ିଛି। ମହାନଦୀ ଜଳସ୍ତର ବଢ଼ିବା ନେଇ ଦ୍ବନ୍ଦ୍ବରେ ରହିଛନ୍ତି ଚିଖିଲି ଗ୍ରାମବାସୀ। ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗା ମଧ୍ୟ ଭାସିଯାଇଛି। ପନିପରିବା ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ମହାନଦୀର ପଛୁଆ ପାଣି ପ୍ରତି ବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ହୀରାକୁଦ ବନ୍ଧରୁ ଯଦି ଜଳ ନିଷ୍କାସନରେ ବିଳମ୍ବ ହୁଏ, ତେବେ ମହାନଦୀ କୂଳର ଅନ୍ୟ ଗ୍ରାମରେ ବହୁ କ୍ଷୟକ୍ଷତି ଘଟିବା ଆଶଙ୍କା ରହିଛି। ଖବର ଲେଖା ପର୍ଯ୍ୟନ୍ତ ମହାନଦୀର ପଛୁଆ ପାଣି ଚିଖିଲି ଗାଁ ସ୍କୁଲକୁ ଛୁଇଁଛି। ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ବିଡିଓ ପ୍ରଣବ ଚାନ୍ଦ କହିଛନ୍ତି। ବନ୍ୟା ପରିସ୍ଥିତି ମୁକାବିଲା କରିବା ପାଇଁ ତହସିଲଦାର ଗଙ୍ଗାରାମ ବୁଡ଼େକ ସମସ୍ତ ଆର୍‌ଆଇ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଯୋଗୁଁ କହ୍ନେଇପାଲି ପୋଲ ଉପରେ ୬ଫୁଟ ବନ୍ୟା ଜଳ ଥିବାରୁ ଅମ୍ବାଭୋନା ବାଞ୍ଜିପାଲି ରାସ୍ତାରେ ଯାତାୟତ ଠପ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe