Photo by : tayyar.org
ଅମ୍ବାଭୋନା : ଅମ୍ବାଭୋନା ଥାନା ଭୁକ୍ତା ବସ୍ଷ୍ଟାଣ୍ଡରେ ମଙ୍ଗଳବାର ବିଳମ୍ବିତ ରାତିରେ ଛତିଶଗଡ଼ ପଟରୁ କେତେକ ଦୁର୍ବୃତ୍ତ ଆସି ଗୁଳିକାଣ୍ଡ ଘଟାଇ ଫେରାର ମାରିଛନ୍ତି। ଏକ ଚାରିଚକିଆ ଡଷ୍ଟର (ସିଜି-୧୦ଭି-୫୮୭୧) ଗାଡିରେ ୩/୪ ଜଣ ଦୁର୍ବୃତ୍ତ ଆସି ସ୍ଥାନୀୟ ନେତାଜୀ ଯୁବକ ସଂଘ ସମ୍ମୁଖରେ ହଠାତ୍ ଏକ ରାଉଣ୍ଡ ଗୁଳି କରିବାରୁ ନିକଟରେ ଥିବା ବୁଲା କୁକୁର ମୁଣ୍ଡରେ ବାଜିଥିଲା। ଘଟଣାସ୍ଥଳରେ ହିଁ କୁକୁରର ମୃତ୍ୟୁ ହୋଇଯାଇଥିଲା। ସଂଗେ ସଂଗେ ସେଠାରୁ ଦୁର୍ବୃତ୍ତମାନେ ଫେରାର ମାରିଥିଲେ। ସେଠାରେ କିଛି ଲୋକେ ନିଅାଁ ତାପୁଥିବା ବେଳେ ଏହି ଘଟଣା ଦେଖି ଭୟଭୀତ ହୋଇ ଚାଲିଥିଲେ। ଖବର ପାଇ ଅମ୍ବାଭୋନା ଥାନା ଏଏସ୍ଆଇ ପୀତାମ୍ବର ବେହେରା, କନେଷ୍ଟେବଲ ମଧୁ ସାହୁ, ରାକେଶ ପାଣ୍ଡେ ସଦଳବଳେ ଘଟଣାସ୍ଥଳରେ ପହଂଚି ମୃତ କୁକୁରକୁ ଜବତ କରିଥିଲେ। ଗୁଳିକାଣ୍ଡ ଘଟଣା ନେଇ କୁକୁରକୁ କେଉଁ ଉଦ୍ଦେଶ୍ୟରେ ମାରିଲେ ଏନେଇ ଅଂଚଳରେ ଆତଙ୍କ ଖେଳିଯାଇଛି। ପୁଲିସ୍ ବିଭିନ୍ନ ଛକ, ଦୋକାନ ବଜାର, ରାସ୍ତାକଡ଼ରେ ଲଗାଯାଇଥିବା ସିସି କ୍ୟାମେରା ଯାଂଚ କରିବା ସଂଗେ ସଂଗେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ କରୁଥିବା ଜଣାପଡିଛି।
Follow Us