ଘରେ ପଶି ଗୁଳି ମାରିଲେ : ବରଗଡ଼ରେ ଡକାୟତି ବେଳେ ଗୃହକର୍ତ୍ତାଙ୍କ ଶାଳକଙ୍କୁ ହତ୍ୟା

ବ୍ରଜରାଜନଗରରେ ଠିକାଦାର ସଂଜୟ ଗୁପ୍ତା ଗୁରୁତର, ପେଟକୁ ୨ ରାଉଣ୍ଡ୍‌

ଘରେ ପଶି ଗୁଳି ମାରିଲେ : ବରଗଡ଼ରେ ଡକାୟତି ବେଳେ ଗୃହକର୍ତ୍ତାଙ୍କ ଶାଳକଙ୍କୁ ହତ୍ୟା

Daily Post

ବରଗଡ଼ : ବରଗଡ଼ ସହର ଉପକଣ୍ଠସ୍ଥ ଜମୁର୍ଡ଼ା ଗାଁରେ ରବିବାର ବିଳମ୍ବିତ ରାତିରେ ଗୁଳି ଫୁଟିଛି। ଡକାୟତି ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ବସନ୍ତ ପ୍ରଧାନ(୫୫)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବସନ୍ତଙ୍କ ଘର ଧମା ଥାନା ବରଗାଁରେ। ସେ ଜମୁର୍ଡ଼ାସ୍ଥିତ ନିଜ ଭିଣୋଇ ହୀରାଲାଲ ମହନ୍ତ ଏବଂ ଭଉଣୀ ମଂଜୁଲତା ପ୍ରଧାନଙ୍କ ଘରେ ପ୍ରାୟ ୨ବର୍ଷ ହେଲା ରହୁଥିଲେ। ହୀରାଲାଲଙ୍କ ଛତୁଆ ୟୁନିଟ୍ ରହିଛି। ସେଠାରେ ବସନ୍ତ ତାଙ୍କ ସହଯୋଗ କରୁଥିଲେ। ରବିବାର ରାତିରେ ଘରେ ସମସ୍ତେ ଖାଇ ସାରିବା ପରେ ବସନ୍ତ ଛାତ ଉପରକୁ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ଗୋଟାଏ ବେଳେ ବସନ୍ତଙ୍କ ଚିତ୍କାର ଶୁଣି ଘର ଲୋକେ ଛାତ ଉପରକୁ ଯାଇଥିଲେ। ବସନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। ତାଙ୍କ ଛାତି ଏବଂ ବେକ ପାଖରେ ଦୁଇଟି ଗୁଳି ବାଜିଥିଲା। ଏତିକି ବେଳେ ୩ଜଣ ଦୁର୍ବୃତ୍ତ ଘରୁ ଡେଇଁ ପଳାଇଥିଲେ। ଘର ଲୋକେ ଗୁରୁତର ଅବସ୍ଥାରେ ବସନ୍ତଙ୍କୁ ବିକାଶ ମଲ୍ଟି ହସ୍ପିଟାଲ ଏବଂ ପରେ ବୁର୍ଲା ମେଡିକାଲ୍‌ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବରଗଡ଼ ଏସ୍‌ପି ମୁକେଶ ଭାମୁ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଥିଲେ। ‌ଛାତ ଉପରୁ ଗୋଟିଏ ଜୀବନ୍ତ ଗୁଳି, ୨ଟି ଖୋକା ଜବତ ହୋଇଛି। ଡକାୟତି ଉଦ୍ୟମରେ ଦୁର୍ବୃତ୍ତମାନେ ଘର ଛାତ ଦେଇ ଆସିଥିଲେ। ବସନ୍ତ ଉଠି ପଡ଼ିବାରୁ ତାଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ ବୋଲି ପୁଲିସ୍‌ ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରୁଛି।

ବ୍ରଜରାଜନଗରରେ ଠିକାଦାର ସଂଜୟ ଗୁପ୍ତା ଗୁରୁତର, ପେଟକୁ ୨ ରାଉଣ୍ଡ୍‌

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ସୋମବାର ସକାଳୁ ଗୁଳି ଫୁଟିଛି। ଗୁଳିମାଡ଼ରେ ବ୍ରଜରାଜନଗର ପୌର ପରିଷଦର ପୂର୍ବ କାଉନ୍‌ସିଲର ନିତୁ ଗୁପ୍ତାଙ୍କ ସ୍ବାମୀ ତଥା ଠିକାଦାର ସଞ୍ଜୟ ଗୁପ୍ତା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପେଟରେ ଦୁଇଟି ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟ ଏବଂ ସେଠାରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଗୁଳିମାଡ଼ କରି ଜଣେ ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଓରିଏଣ୍ଟ ଥାନା କାଳୀନଗରରେ ସୋମବାର ସକାଳ ୮ଟାରେ ଏହି ଘଟଣା ଘଟିଥିଲା। ଗୁଳି କରିଥିବା ଦୁର୍ବୃତ୍ତଜଣକ ଏକ ବାଇକ୍‌ରେ ଆସିଥିଲା। ସଞ୍ଜୟଙ୍କ ଘର ନିକଟରେ ବାଇକ୍‌ ରଖି ଚାଲି ଚାଲି ଆସିଥିଲା। ଗେଟ୍‌ ନିକଟରେ ଛିଡ଼ା ହୋଇଥିବା ସଞ୍ଜୟଙ୍କ ଭାଇଙ୍କୁ ‘ସେ ଗୁଡ୍ଡୁ ଗୁପ୍ତା କି’ ବୋଲି ପଚାରିଥିଲା। ଗୁଡ୍ଡୁ ହେଉଛି ସଞ୍ଜୟଙ୍କ ଡାକ ନାମ। ତାଙ୍କ ଭାଇ ମନା କରିଥିଲେ। ଏହି ସମୟରେ ଘରେ ଥିବା ସଞ୍ଜୟ ନିଜେ ବାହାରକୁ ଆସି ପରିଚୟ ଦେଇଥିଲେ। ଯୁବକଜଣଙ୍କ ତାଙ୍କ ନିକଟକୁ ଯାଇ କଥା ହେବା ବାହାନାରେ ପିସ୍ତଲ ବାହାର କରି ତିନି ରାଉଣ୍ଡ ଗୁଳି ଚଳାଇଥିଲା। ଗୋଟିଏ ରାଉଣ୍ଡ ଗୁଳି ମିସ୍‌ ଫାୟାର ହୋଇଥିଲା। ୨ ରାଉଣ୍ଡ ଗୁଳି ସଞ୍ଜୟଙ୍କ ପେଟରେ ବାଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe