ରାଜପଥରେ ଧାନ ଛାଡ଼ିଗଲା ଚାଷୀ

Advertisment
ରାଜପଥରେ ଧାନ ଛାଡ଼ିଗଲା ଚାଷୀ

ବରଗଡ଼: ବାରମ୍ବାର ମରୁଡ଼ି, ରୋଗପୋକ ଯୋଗୁଁ ଜିଲ୍ଲାର ଚାଷୀ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ଫସଲ ବୀମା ଚାଷୀର କଷ୍ଟ ଲାଘବ କରିବା ବଦଳରେ କଷ୍ଟ ଦୁଇ ଗୁଣା କରି ଦେଉଛି। ବୀମା ବିଭ୍ରାଟରେ ସନ୍ତୁଳି ହେଉଥିବା ଚାଷୀକୁ ଅଦିନିଆ ବର୍ଷା ସାଂଘାତିକ ଝଟ୍‌କା ଦେଇଛି। ଯେଉଁଥିରୁ ଚାଷୀ ମୁକୁଳି ପାରି‌ବା ଗୋଟିଏ ହିସାବରେ ଅସମ୍ଭବ।

ବୁଧବାର ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ବର୍ଷା ହୋଇଛି। ଜିଲ୍ଲାବ୍ୟାପୀ ବର୍ଷା ଲାଗି ରହିଥିଲା। ଖରିଫ୍‌ ଧାନ ସଂଗ୍ରହ ମନ୍ଥର ଚାଲିଥିବାବେଳେ ବର୍ଷା ଧାନକୁ ବରବାଦ୍‌ କରି ଦେଇଛି। ଆକଳନ ଅନୁସାରେ ଜିଲ୍ଲାରେ ୨୨୪ଟି ଧାନ କେନ୍ଦ୍ର‌ର ଅଧିକାଂଶ ସ୍ଥାନରେ ଧାନ ଭିଜି ଯାଇଛି। ବରଗଡ଼ରେ ମଣ୍ଡିଗୁଡ଼ିକର ତଳସ୍ତରରେ ଥିବା ଧାନବସ୍ତା ବୋତରି ଯାଇଛି। ଏଗୁଡ଼ିକୁ ଶୁଖାଇବା ବି ଅସମ୍ଭବ। ବିଳମ୍ବରେ ଧାନ କିଣା ଏବଂ ମନ୍ଥର ପ୍ରକ୍ରିୟାର ସବୁ କ୍ଷତି ଆଗକୁ ଚାଷୀ ହିଁ ଭୋଗିବାକୁ ଯାଉଛି। ପ୍ରଶାସନ ପାଖରେ ପାଣିପାଗର ପୂର୍ବାନୁମାନ ରିପୋର୍ଟ ରହୁଥିଲେ ହେଁ କିଛି ବିହିତ ପଦ‌‌‌କ୍ଷେପ ହେଲା ନାହିଁ। ମଣ୍ଡିଗୁଡ଼ିକରେ ସେଭଳି ଖୋଲା ଆକାଶ ତଳେ ଧାନ ବସ୍ତା ପଡ଼ି ରହିଲା। ଘୋଡ଼ାଇବାକୁ ତାର୍ପୋଲିନ୍‌ ମଧ୍ୟ ଯୋଗାଇ ଦିଆଗଲା ନାହିଁ। ଗୋଟିଏ ହିସାବରେ କହିବାକୁ ଗଲେ, ପ୍ରଶାସନ ଏବଂ ଅଦିନିଆ ବର୍ଷା ମିଳିତ ଭାବେ ଜିଲ୍ଲାର ଚା‌ଷୀଙ୍କ ବିପର୍ଯ୍ୟୟର କାରଣ ପାଲଟିଛନ୍ତି।

ଲଗାତାର କୋହଲା ପାଗ ଯୋଗୁଁ ଚାଷୀ ରାଜପଥରେ ଧାନ ଶୁଖାଇଥିଲା। କିନ୍ତୁ ବର୍ଷା ଦ୍ବାରା ଚାଷୀ ତାକୁ ସୁରକ୍ଷା ଦେଇପାରିଲା ନାହିଁ। ଧାନ ସେଭଳି ରାଜପଥରେ ଛାଡ଼ି ଚାଷୀ ଘରକୁ ବାହୁଡ଼ିଛି। ଜିଲ୍ଲାରେ ଖରିଫ୍‌ ଧାନ ବିକ୍ରି ପାଇଁ ୧,୪୬,୮୮୫ ଜଣ ଚାଷୀ ପଞ୍ଜିକୃତ। କିନ୍ତୁ ବର୍ତ୍ତମାନ ଯାଏଁ ୧୫,୨୮୭ଜଣ ଚାଷୀଙ୍କ ୮,୦୩୮୧୭ କ୍ବିଣ୍ଟାଲ ଧାନ ବିକ୍ରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe