ମାର୍ଚ୍ଚରୁ ବରଗଡ଼ ପିଇବ ସ୍ୱଚ୍ଛ ପାଣି:ମୁଣ୍ଡ ଟେକୁଛି ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ

Advertisment
ମାର୍ଚ୍ଚରୁ ବରଗଡ଼ ପିଇବ ସ୍ୱଚ୍ଛ ପାଣି:ମୁଣ୍ଡ ଟେକୁଛି ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ

ବରଗଡ଼: ବରଗଡ଼ ସହର ପାଇଁ ବିଶୁଦ୍ଧ ପାନୀୟ ଜଳ ଏକ ଚିରାଚରିତ ସମସ୍ୟା ଭାବେ ଛିଡ଼ା ହୋଇଛି। ନିର୍ଭରଯୋଗ୍ୟ ଜଳଉତ୍ସ ନଥିବାରୁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ। ଖରାଦିନେ ସ୍ଥିତି ଆହୁରି ଜଟିଳ। ବୁନ୍ଦାବୁନ୍ଦା ପାଣି ପାଇଁ ଲୋକେ ଡହଳବିକଳ ହେଉଥିବା ଦେଖାଯାଏ। କିନ୍ତୁ ଆସନ୍ତା ମାର୍ଚ୍ଚ ମାସରେ ଏହି ଜଳକଷ୍ଟରେ ପୂର୍ଣ୍ଣ ବରାମ ଲାଗିବାକୁ ଯାଉଛି। ସହର ଉପକଣ୍ଠସ୍ଥ ବରଗାଁରେ ପ୍ରସ୍ତାବିତ ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି। ସୂଚନା ଅନୁସାରେ, ୨୦୦୮ ମସିହାରେ ଏହି ପ୍ରକଳ୍ପ ପାଇଁ ଶୁଭ ଦିଆଯାଇଥିଲା। ପ୍ରଥମେ ଏଥିପାଇଁ ୩୦ କୋଟି ଟଙ୍କାର ବ୍ୟୟ ଅଟକଳ ରହିଥିଲା। ପରେ ଏହାକୁ ବଢ଼ାଯାଇ ୩୭ କୋଟି ଟଙ୍କା ରଖାଯାଇଛି।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସହରର ସମସ୍ତ ୧୯ଟି ଓ୍ଵାର୍ଡକୁ ନିୟମିତ ଜଳ ଯୋଗାଣ ହେବ। ଏଥି ସକାଶେ ପୂର୍ବରୁ ବିଭିନ୍ନ ଓ୍ଵାର୍ଡରେ ୮୪ କିଲୋମିଟର୍‌ ଭୂତଳ ପାଇପ୍‌ ବିଛା ଯାଇଛି। ଏହି ପ୍ରକଳ୍ପରୁ ଦୈନିକ ୧୫ ମିଲିଅନ ଲିଟର୍‌ ପାଣି ସହରକୁ ଆସିବ। ପାଣି ଯୋଗାଣ ପାଇଁ ଡ୍ୟାମ୍‌ କଲୋନି, ଗୋରୁ ବଜାର, ଗୋବିନ୍ଦପାଲି, ହାଟପଦା ପଡ଼ାଠାରେ ଗୋଟିଏ ଲେଖାଏଁ ଓଭରହେଡ୍‌ ଟ୍ୟାଙ୍କ ଏବଂ ଭୂତଳ ଜଳ ଟ୍ୟାଙ୍କ (ୟୁଜିଆର୍‌) ରହିବ। ୟୁଜିଆର୍‌ରୁ ପାଣି ଓଭରହେଡ୍‌ ଟ୍ୟାଙ୍କକୁ ଚଢ଼ିବା ପରେ ଏଠାରୁ ପାଣି ବିଭିନ୍ନ ପାଇପ୍‌ରେ ଯୋଗାଇ ହେବ। ପରବର୍ତୀ ପର୍ଯ୍ୟାୟରେ ଅମ୍ବାପାଲିକୁ ମଧ୍ୟ ଏହି ଯୋଜନାର ସଂପ୍ରସାରଣ ହେବ। ଜୀରାନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ସରିଲେ ସେତୁ ଉପରେ ପାଇପ୍‌ ଅମ୍ବାପାଲି ପହଂଚିବ। ସେଠାରେ ମଧ୍ୟ ଓଭରହେଡ୍‌ ଟ୍ୟାଙ୍କ ଏବଂ ୟୁଜିଆର୍‌ ବ୍ୟବସ୍ଥା ରହିବ। ବର୍ତମାନ କେବଳ ଫିଲ୍‌ଟରେସନ୍‌ ପ୍ଲାଣ୍ଟ ବସିବା ବାକି ରହିଛି। ପ୍ଲାଣ୍ଟ ସ୍ଥାପନ ହେଲେ ମାର୍ଚ୍ଚ ଭିତରେ ଜଳଯୋଗାଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe