ବଡ଼ଦାଣ୍ଡରେ ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦେଲେ ମହାବାହୁ, ରଥ ଟାଣିବାକୁ କାଲିକୁ ଅପେକ୍ଷା

ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ହଜାର ହଜାର ଭକ୍ତଙ୍କ ସମାଗମ

ବଡ଼ଦାଣ୍ଡରେ ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦେଲେ ମହାବାହୁ, ରଥ ଟାଣିବାକୁ କାଲିକୁ ଅପେକ୍ଷା

ବାରିପଦା (ରାଜ କିଶୋର ଦାଶ): ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ନେଲେ ମହାବାହୁ। ଗୋଟି ପହଣ୍ଡିରେ ମହାପ୍ରଭୂ ସୁଦର୍ଶନଙ୍କ ସହ ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ପବିତ୍ର ଘୋଷଯାତ୍ରା ଅବସରରେ ଗୁରୁବାର ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ଭକ୍ତିଭାବମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥଟଣା ହେଉଥିବା ବେଳେ ୨ୟ ଶ୍ରୀକ୍ଷେତ୍ର ଶ୍ରୀଶ୍ରୀ ହରିବଳଦେବଜୀଉ ବାରିପଦାରେ କିନ୍ତୁ ରଥଟାଣିବା ପାଇଁ ଭକ୍ତଙ୍କୁ ଶୁକ୍ରବାରକୁ ଅପେକ୍ଷା କରିବାକୁ ପଡ଼ିବ।

ରଥଟଣା ଗୋଟିଏ ଦିନ ବିଳମ୍ବରେ ହେବାକୁ ଥିଲେ ମଧ୍ୟ କାଳିଆ ଠାକୁର ଲୀଳା କରିଥିଲେ। ଅଣସର ପର୍ବ ପରେ ଶ୍ରୀ ମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧାମୂର୍ତ୍ତି ଆଜି ରଥ ଉପରୁ ଥାଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ହଜାର ହଜାର ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଉଛୁଳି ପଡିଛି। କିଏ କାଳିଆ କାଳିଆ ଡାକୁଥିଲା ତ’ ଆଉ କିଏ କହୁଥିଲା ହେ ଜଗନ୍ନାଥ। ରଥ ପଛେ ଗୋଟିଏ ଦିନ ବିଳମ୍ବରେ ଟାଣିବି କିନ୍ତୁ ବଡ଼ ଦାଣ୍ଡରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆତ୍ମା ତୃପ୍ତ ହେଉ। ପୁନର୍ଜନ୍ମରୁ ମୁକ୍ତି ମିଳୁ। ଏମିତି ଭକ୍ତିମୟ ମନରେ ରଥ ଉପରୁ ମହାପ୍ରଭୂଙ୍କୁ ଦର୍ଶନ କରିଥିଲେ ଭକ୍ତ ସମାଜ।

publive-image

ପରମ୍ପରା ମୁତାବକ ଆଜି ପ୍ରାତଃ କାଳରୁ ମହାପ୍ରଭୂଙ୍କ ନିକଟରେ ମଙ୍ଗଳ ଆଳତୀ ଶେଷ ହେବା ପରେ ମହାସ୍ନାନ ଓ ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ପ୍ରଥମେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସହିତ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପ୍ରତିଷ୍ଠା ସହ ପୂଜାନୀତି ସମ୍ପନ୍ନ ହୋଇଥିଲା। ପରେ ମନ୍ଦିର ପରିଚ୍ଛା ଦୁର୍ଗାଚରଣ ଜିତବାବୁ ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀ ମା ଅମ୍ବିକା ଠାକୁରାଣୀଙ୍କ ନିକଟରୁ ଖଡ୍‌ଗ ଓ ଆଜ୍ଞାମାଳ ନେଇ ଦାସୀଙ୍କ ଦ୍ୱାରା ରଥ ପ୍ରଦକ୍ଷଣ କାର୍ଯ୍ୟ ଆଦି ସମ୍ପନ୍ନ ହୋଇଥିଲା। ଏହା ପରେ ଅପରାହ୍ନରେ ସମସ୍ତ ନୀତି ଓ ମହାପ୍ରଭୂଙ୍କ ପହଡ଼ ଓ ପୁନର୍ବାର ପହଡ଼ ଭଙ୍ଗ କାର୍ଯ୍ୟ, ଆଳତୀ, ଆରିସାପିଠା ଓ ଛେନାପଣା ଭୋଗ ଲାଗି ହେବା ପରେ ପ୍ରଚଳିତ ନୀତିରୀତି ଓ ପରମ୍ପରା ଅନୁସାରେ ଚକାଛଡ଼ା ହୋଇଥିଲାଯ ମନ୍ଦିରର ପରିଚ୍ଛାଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟ ସମାପନ ହୋଇ ଆରମ୍ଭ ହୋଇଥିଲା ପହଣ୍ଡିବିଜେ।

publive-image

ଗୋଟିଏ ପରେ ଗୋଟିଏ ତିନି ଠାକୁର ଗୋଟି ପହଣ୍ଡିରେ ରଥାରୁ ହୋଇଥିଲେ। ପରମ୍ପରା ଅନୁସାରେ ମହାରାଜାଙ୍କ ପ୍ରତିନିଧିଭାବେ ପରିଚ୍ଛା ସେବକ ଛେରା ପହଁରା କରିଥିଲେ। ଶ୍ରୀକ୍ଷେତ୍ର ସମେତ ଚାରିଆଡ଼େ ଆଜି ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ବାରିପଦାରେ ଗୋଟିଏ ଦିନ ବିଳମ୍ବରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଶୁକ୍ରବାର ଜ୍ୟୋଷ୍ଠଭ୍ରାତା ହଳାୟୁଧ ବଳରାମଙ୍କ ରଥ ତାଳଧ୍ୱଜ ଟଣାଯିବ। ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ପର୍ଯ୍ୟନ୍ତ ଯାଇ ଟାଉନ୍‌ ଥାନା ପାଖରେ ଅଟକିବାର ପରମ୍ପରା ରହିଛି। ପର ଦିନ ମହାପ୍ରଭୂ କାଳିଆ ସାଆନ୍ତଙ୍କ ରଥ ଟଣାଯିବ। ଏହାସହିତ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବା, ରଥ ଉପରୁ ଭକ୍ତଙ୍କୁ ଶ୍ରଦ୍ଧାଲଡ଼ୁ ବଣ୍ଟାଯିବା ଭଳି ନିଆରା ପରମ୍ପରା ଏଠାରେ ଚଳିଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe