Sambad
ଖୋର୍ଦ୍ଧା: ଚର୍ଚ୍ଚିତ ବାସୁଦେବ ପ୍ରଧାନ ଅପହରଣ ଓ ହତ୍ୟା ମାମଲାରେ ପୁଲିସ ରେକର୍ଡ ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବା ଓ ଘଟଣାର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଥିଲେ। ମଧ୍ୟ ୪ ଦିନ ପରେ ଆଜି ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ କ୍ଷତିପୂରଣ ଦାବି କରି ପରିବାର ସଦସ୍ୟ ଓ ଗ୍ରାମବାସୀ ରାସ୍ତା ଅବରୋଧ କରିବାପରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛି। ମୁଖ୍ୟ ଅଭିଯୁକ୍ତ ରବି ମୁଦୁଲି ଓ ଅନ୍ୟ ସହଯୋଗୀଙ୍କ ସୂଚନାଧାରରେ ଗତକାଲି ଏକ ଅର୍ଦ୍ଧ-ବିଘଟିତ ମୃତଦେହକୁ ଆଠଗଡ଼ ନିକଟରୁ ପୁଲିସ ଉଦ୍ଧାର କରିଥିଲା। ବାସୁଦେବଙ୍କ ପରିବାର ସଦସ୍ୟ ମୃତଦେହକୁ ଚିହ୍ନଟ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଆଜି ଅପରାହ୍ନରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ତେବେ କ୍ଷତିପୂରଣ ଦାବିରେ ପରିବାର ସଦସ୍ୟ ଓ ଗ୍ରାମବାସୀ ପୁବୁସାହି ଠାରେ ୫୭ ନମ୍ବର ଜାତୀୟ ରାଜପଥ ଅବସରୋଧ କରିଥିଲେ। ପ୍ରାୟ ୩୦ ମିନିଟ୍ ଅବରୋଧ କରିବା ପରେ ଏସପି ସିଦ୍ଧାର୍ଥ କଟ୍ଟାରିଆ, ତହସିଲଦାର, ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀ ସଂଜୟ ସିଂହ ପ୍ରମୁଖ ସେଠାରେ ପହଂଚି ସେମାନଙ୍କ ବୁଝାଶୁଝା କରିଥିଲେ।
ରେଡକ୍ରସ ଓ ହରିଶ୍ଚନ୍ଦ୍ର ଯୋଜନାରୁ ଆର୍ଥିକ ସହାୟତା, ଯଦି ଭୂମିହୀନ ତେବେ ଘର ଢିହ ଓ ଅନ୍ୟ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଗାଁଲୋକ ଅବରୋଧ ହଟାଇଥିଲେ। ଅପରପକ୍ଷରେ, ହତ୍ୟା ଘଟଣା ନେଇ ପୁଲିସ ଏଯାଏଁ ମୁହଁ ଖୋଲି ନାହିଁ। ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନାରେ ବାସୁଦେବଙ୍କ ମୃତ୍ୟୁ ଆଘାତଜନିତ ବୋଲି ଜଣାପଡ଼ିଛି। ଏଥିରେ କବାଡ଼ି ଗୋଦାମର ମାଲିକ ରବି ମୁଦୁଲି ସହ ଆଉ ୩ ଜଣ ସଂପୃକ୍ତ ଥିବା ଜଣାଯାଇଛି। ସମସ୍ତଙ୍କୁ ଅଟକ ରଖାଯାଇଛି। ତେବେ ମାମଲାର ଅନୁସନ୍ଧାନର ଅନ୍ୟ କେତେକ ଦିଗ ଅନୁସନ୍ଧାନ କରିବା ବାକି ରହିଛି ଏବଂ ଫରେନସିକ ଟିମ୍ ଓ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇନାହିଁ। ଏହି ସମସ୍ତ ଅନୁସନ୍ଧାନ ଓ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
Follow Us