Medium
ସମ୍ବଲପୁର: ଅନ୍ଲାଇନ୍ରେ ସପିଂ କରୁଥିଲେ ସାବଧାନ ହୋଇଯାନ୍ତୁ। ସାଇବର୍ ଠକମାନେ ଏବେ ଅନ୍ଲାଇନ୍ ସପିଂ ପ୍ଲାଟ୍ଫର୍ମ ମାଧ୍ୟମରେ ଲୋକଙ୍କୁ ଠକିବା ଆରମ୍ଭ କରିଲେଣି। ୭ ଦିନ ମଧ୍ୟରେ ସମ୍ବଲପୁରର ୨ ଜଣ ଏଭଳି ବାବେ ସାଇବର୍ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଲେଣି। ସାକ୍ଷୀପଡ଼ାର ମିଲନ ରାଉତ ୨୦୦୯ରୁ ଫ୍ଲିପ୍କାର୍ଟ ଆକାଉଣ୍ଟ ଖୋଲି ସପିଂ କରି ଆସୁଛନ୍ତି। ତାଙ୍କ ଆକାଉଣ୍ଟ ହ୍ୟାକ୍ କରି କେହି ଦୁର୍ବୃତ୍ତ ୭୦ ହଜାର ଟଙ୍କାର କିଣାକିଣି କରିଥିବା ଅଭିଯୋଗ କରିଛନ୍ତି।
ତାଙ୍କ ଆକାଉଣ୍ଟ ବ୍ୟବହାର କରି ଗତ ୧୪ ତାରିଖ ଦିନ ଠକ ଲାପ୍ଟପ୍ ଓ ଘଣ୍ଟା ଅର୍ଡର ଦେଇଥିବା ବେଳେ ୧୭ ତାରିଖ ଦିନ ଅର୍ଡର ଗ୍ରହଣ କରିଥିଲା। ଫ୍ଲିପ୍କାର୍ଟ ପେ’ ଲ୍ୟାଟର୍ ସୁବିଧାର ଲାଭ ଉଠାଇ ଇଏମ୍ଆଇ ମାଧ୍ୟମରେ ପେମେଣ୍ଟ କରିଦେଇଥିଲା। ଇଏମ୍ଆଇ ଟଙ୍କା ତାଙ୍କ ଠାରୁ ଜୁନରୁ ଭରଣା ହେବ। ଫ୍ଲିପ୍କାର୍ଟରୁ କିଣିଥିବା ଲାପଟପ୍ର ସର୍ଭେ ପାଇଁ ମେସେଜ୍ ଆସିବା ପରେ ଗତ ୨୮ ତାରିଖ ଦିନ ଅପରାହ୍ଣରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ। ତାପରେ ସେ ତାଙ୍କ ଆକାଉଣ୍ଟ ଖୋଲି ଦେଖିବା ବେଳକୁ ୭୦ ହଜାର ଟଙ୍କାର କିଣାକିଣି ହୋଇଥିବା ଜାଣିଥିଲେ। ଏ ନେଇ ସେ ରବିବାର ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସମ୍ବଲପୁର ସଦର ଥାନା ଅନ୍ତର୍ଗତ ପଧାନପାଲିର ଗୋକୁଳାନନ୍ଦ ସାହୁ ମଧ୍ୟ ସମାନ ଭାବେ ଠକେଇର ଶିକାର ହୋଇଥିବା ଜୁନ୍ ୧ ତାରିଖରେ ସମ୍ବଲପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫ୍ଲିପକାର୍ଟ ପେ’ ଲ୍ୟାଟର୍ ମାଧ୍ୟମରେ ଠକ ତାଙ୍କ ଆକାଉଣ୍ଟରୁ ୩୭,୦୬୮ ଟଙ୍କା ମୂଲ୍ୟର ମୋବାଇଲ୍ ଅର୍ଡର କରିଥିଲା।
Follow Us