ଶୋକ ବାର୍ତ୍ତା ଦେଇ ଘରକୁ ଫେରୁଥିବା ବେଳେ ଆକ୍ରମଣ କଲା ଭାଲୁ, ବୃଦ୍ଧ ଗୁରୁତର

ଶୋକ ବାର୍ତ୍ତା ଦେଇ ଘରକୁ ଫେରୁଥିବା ବେଳେ ଆକ୍ରମଣ କଲା ଭାଲୁ, ବୃଦ୍ଧ ଗୁରୁତର

ଭଞ୍ଜନଗର: ତାରସିଂ ଥାନା ତଥା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଗାୟଗଣ୍ଡା ସେକ୍‌ସନ୍‌ ଅଧୀନରେ ଥିବା ଗୁଣ୍ଡୁରୀବାଡି ସଂରକ୍ଷିତ ଜଙ୍ଗଲରେ ଆଜି ଜଣେ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହାତ ହୋଇଛନ୍ତି। ଗାୟଗଣ୍ଡା ପଞ୍ଚାୟତର କଦଳୀଗଡ଼ ଗ୍ରାମର ମହେଶ୍ବର ମଲିକ୍‌(୫୮) ଆଜି ମଧ୍ୟାହ୍ନ ସମୟରେ ସାଇକଲ ଧରି ଜଙ୍ଗଲ ରାସ୍ତାରେ ସାରଙ୍ଗପଟ୍ଟା ଗ୍ରାମକୁ ଯାଇ ଫେରିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

publive-image

ମହେଶ୍ବରଙ୍କ ସଂର୍ପକୀୟ ଭାଇଙ୍କ ଦେହାନ୍ତ ଘଟିଥିବାରୁ ସଂର୍ପକୀୟମାନଙ୍କୁ ଶୋକ ବାର୍ତ୍ତା ଦେବା ନିମନ୍ତେ ଜଙ୍ଗଲ ରାସ୍ତା ଅତିକ୍ରମ କରି ସେ ସାରଙ୍ଗପଟ୍ଟା ଗ୍ରାମକୁ ଯାଇଥିଲେ। ଅପରାହ୍ନ ସମୟରେ ଫେରିବା ବାଟରେ ପଛପଟୁ ଦୁଇଟି ଭାଲୁ ମହେଶ୍ବରଙ୍କୁ ଗୋଡାଇ ଆସିଥିଲେ। ଭୟରେ ‌ମହେଶ୍ବର ସାଇକଲ ଛାଡି ସେଠା‌ରେ ଗୋଟିଏ ଗଛ ଉପରକୁ ଚଢି ପଡିବା ‌ବେ‌ଳେ ଗୋଟିଏ ଭାଲୁ ତାଙ୍କ ବାମ ଗୋଡକୁ କାମୁଡି ରକ୍ତାକ୍ତ କରିବା ସହ ମାଂସ ଟାଣି ନେଇ ଖଣ୍ଡିଆ ଖାବରା କରିଦେଇଥିଲା। ମହେଶ୍ବର ଗଛ ଉପରକୁ ଚଢି ପାଟି କରିବା ଫଳରେ ଭାଲୁମାନେ ଗଛ ତଳେ କିଛି ସମୟ ରହିବା ପରେ ସେହି ସ୍ଥାନ ଛାଡି ଚାଲିଯାଇଥିଲେ। ଏହାର କିଛି ସମୟ‌ ପରେ ସେ ଗଛରୁ ‌ଓହ୍ଲାଇବା ସହ ବହୁ କଷ୍ଟରେ ସାଇକଲ ଧରି କଦଳୀଗଡ଼ ଆସିଥିଲେ। ସେଠାରେ ଗ୍ରାମବାସୀମାନେ ଏକ ଅଟୋରେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନା ଆଣୁଥିବା ବେଳେ ବାଟରେ ବନ ବିଭାଗ କର୍ମଚାରୀମାନେ ଖବର ପାଇ ତାଙ୍କୁ ବନ ବିଭାଗର ଗାଡିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ଗୁରୁତର ରହିଥିବା ବେଳେ ଭଞ୍ଜନଗର ମେଡିକାଲ୍‌ରେ ତାଙ୍କର ଚିକିତ୍ସା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe