କଟକ/ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ଘଟଣା ଓ ବିକାଶ ଯେନା ହତ୍ୟାକାଣ୍ତର ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ ଓରଫ କାବୁଆଙ୍କ ମୃତ୍ୟୁକୁ ନେଇ ଲାଗିରହିଛି ହଟଚମଟ। ମୃତ୍ୟୁର କେଇଘଣ୍ଟା ପୂର୍ବରୁ ପ୍ରଫୁଲ୍ଲଙ୍କ ଫୋନ୍ କଲକୁ ନେଇ ଏବେ ଚର୍ଚ୍ଚା। ଅଭିଯୋଗ ଅନୁଯାୟୀ ମାହାଙ୍ଗା ବ୍ଲକ୍ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳଙ୍କ ହତ୍ୟା ଘଟଣାରେ ପ୍ରଫୁଲ୍ଲଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ମାମଲା ରୁଜୁ କରିଥିବା ବେଳେ ପ୍ରଫୁଲ୍ଲ ତାଙ୍କୁ ଫୋନ୍ କରିଥିଲେ। ଏହା ସହିତ ପ୍ରଫୁଲ୍ଲ ତାଙ୍କ ପୁଅ ସହିତ ବି ସେହି ରାତି ୭ଟା ୯ରେ ଫୋନରେ କଥା ହୋଇଥିଲେ। କହିଥିଲେ ‘ମାମାକୁ କହିଦେବୁ ମୁଁ ଟେନ୍ସନ୍ରେ ରହୁଛି। ମୋର ଯଦି ଦୁର୍ଘଟଣାରେ ମୃତ୍ୟୁ ହୁଏ ତେବେ କାହାକୁ ଦାୟୀ କରିବୁନି କି ଦୋଷ ଦେବୁନି।’ ପ୍ରଫୁଲ୍ଲଙ୍କ ନାବାଳକ ପୁଅ ଏ ପ୍ରକାର ସୂଚନା ଦେଉଛନ୍ତି। ଅନ୍ୟପଟେ ପ୍ରଫୁଲ୍ଲଙ୍କ ସ୍ତ୍ରୀ ତଥା ସ୍ଥାନୀୟ ଅଞ୍ଚଳର ସରପଂଚ ସବିତା ନାୟକ କହୁଛନ୍ତି ଯେ ତାଙ୍କୁ ବିଧବା ସଜାଇ ଥିବା ବ୍ୟକ୍ତିକୁ ଭଗବାନ ଦଣ୍ତ ଦେବେ।
କୌଣସି ହତ୍ୟାକାଣ୍ତରେ ତାଙ୍କ ସ୍ବାମୀ ସଂପୃକ୍ତ ନଥାଇ ବି ତାଙ୍କୁ ଯେମିତି ମୃତ୍ୟୁମୁଖକୁ ଠେଲି ଦିଆଗଲା ତାର ବିଚାର ଭଗବାନ କରିବେ। ମୃତ୍ୟୁ ପୂର୍ବରୁ ପ୍ରଫୁଲ୍ଲଙ୍କ ଏଭଳି ଫୋନ୍ କଲର ତଦନ୍ତରେ ପୁଲିସ କେତେ ଦୂର ସଫଳ ହୋଇପାରୁଛି, ତାହା ଉପରେ ଏହି ରହସ୍ୟ ଉନ୍ମୋଚନ ନିର୍ଭର କରୁଛି। ଫୋନରେ ପ୍ରକୃତରେ ପ୍ରଫୁଲ୍ଲ କାହାକୁ କ’ଣ କହିଥିଲେ, ତାହାର ସତ୍ୟାସତ୍ୟ ସାମନାକୁ ଆସିବା ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି। ପ୍ରଫୁଲ୍ଲ ଫୋନ୍ କରିବା ବେଳେ କେଉଁଠି ଥିଲେ... ଯେଉଁଠି ଦୁର୍ଘଟଣାର ଶିକାର ହେଲେ, ସେ ସ୍ଥାନକୁ ସେ କାହିଁକି ଆସିଥିଲେ... ଏସବୁ ଏବେ ତଦନ୍ତ ସାପେକ୍ଷ।
ଗଲା ୫ ତାରିଖ ରାତିରେ ପ୍ରଫୁଲ୍ଲ ଟାଙ୍ଗୀ ନିକଟରେ ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି। ସେ ତାଙ୍କ ବାଇକକୁ ରାସ୍ତା କଡରେ ରଖି ବୁଲୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ବୋଲି ପୁଲିସର ପ୍ରାଥମିକ ତଦନ୍ତ କହୁଛି। କିନ୍ତୁ ସେ ସେଠାରେ କାହାକୁ ଅପେକ୍ଷା କରିଥିଲେ ନା ଅନ୍ୟ କେଉଁ କାରଣରୁ ଅଟକି ଥିଲେ ତାହା ସ୍ପଷ୍ଟ ହେଉନାହିଁ। ସେହି ଦିନ ହିଁ ସେ ରମାକାନ୍ତ ବରାଳ ଓ ତାଙ୍କ ପୁଅ ସହ ଫୋନରେ କଥା ହୋଇଥିବା କୁହାଯାଉଛି। ପ୍ରଫୁଲ୍ଲ ତାଙ୍କ ପତ୍ନୀଙ୍କ ସହ କଥା ହେବାକୁ ଚାହୁଁ ଥିବା ବେଳେ ପତ୍ନୀଙ୍କ ଫୋନ୍ ପୁଅ ଉଠାଇ ଦେବାରୁ ସେ ପୁଅ ସହ କଥା ହୋଇଥିଲେ। କିନ୍ତୁ ତା’ ପରେ ପ୍ରଫୁଲ୍ଲଙ୍କ ପତ୍ନୀ ସବିତା ତାଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ କି? ଏ ପ୍ରଶ୍ନର ଉତ୍ତର ବି ତଦନ୍ତ ପ୍ରକ୍ରିୟାରେ ଗୁରୁତ୍ବ ରଖୁଛି। ପୁଲିସର ଉପଯୁକ୍ତ ତଦନ୍ତ ସମସ୍ତ ଘଟଣାର ରହସ୍ୟ ଉନ୍ମୋଚନ କରିପାରିବ ବୋଲି ଆଶା କରାଯାଉଛି।
Follow Us