ପର୍ଯ୍ୟଟନର ଅନନ୍ୟ ସମାହାର ଭଞ୍ଜନଗର ବେଲେଶ୍ବର ପୀଠ

Advertisment
ପର୍ଯ୍ୟଟନର ଅନନ୍ୟ ସମାହାର ଭଞ୍ଜନଗର ବେଲେଶ୍ବର ପୀଠ

ଭଞ୍ଜନଗର:  ଐତିହାସିକ ସହର ଘୁମୁସର ମାଟି। କଳା ସାହିତ୍ୟ ସଂସ୍କୃତିରେ ଭରପୁର ହୋଇ ରହିଛି ଘୁମୁସର ଅଞ୍ଚଳ। ନିଘଞ୍ଚ ଜଙ୍ଗଲ ଠାରୁ ଆରମ୍ଭ କରି ପ୍ରାକୃତିକ ସୌନ୍ଧର୍ଯ୍ୟ ଏହି ମାଟିକୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରେ। ଏଥିସହ ଅଞ୍ଚଳ କୃଷି ଓ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ବିଟ୍ରିଶ ଅମଳରୁ ନିର୍ମାଣ ହୋଇଥିବା ଭଞ୍ଜନଗର ଜଳ ଭଣ୍ଡାର ମଧ୍ୟ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ହୋଇ ରହିଛି।

ଜଳ ଭଣ୍ଡାରକୁ ଲାଗି ବିସ୍ତିଣ୍ଣ ଇଲାକାରେ ଶିଶୁ ଉଦ୍ୟାନ ରହିଥିବା ‌ବେଳେ ଏହା ନିକଟରେ ଥିବା ପାହାଡ ଉପରେ ନିମିର୍ତ୍ତି ୬୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବେଲେଶ୍ବର ପ୍ରତିମା ସାରା ରାଜ୍ୟ ପର୍ଯଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିଛି। ସୁଉଚ୍ଚ ସୁନ୍ଦର ପ୍ରଭୂ ଶିବଙ୍କ ପ୍ରତିମୂର୍ତ୍ତି ସାଙ୍ଗକୁ ସୁନ୍ଦର କାରୁକାର୍ଯ୍ୟରେ ନିମିର୍ତ୍ତି ଭବ୍ୟ ମନ୍ଦିର ମାନ ଆଗନ୍ତୁକ ମାନଙ୍କୁ ଅଟକାଇ ରଖିବାକୁ ବାଧ୍ୟ କରିଥାଏ। ଏଥିସହ ବେଲେଶ୍ବର ପାହାଡ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରାୟୋଗ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରେ। ପର୍ଯ୍ୟଟନର ବହୁଳ ସମାହାର ରହିଥ‌ିଲେ ମଧ୍ୟ କରୋନା ପାଇଁ ଏହି ସ୍ଥାନ ବର୍ତ୍ତମାନ ନିର୍ଜନ ପାଲଟିଛି।

ବିଟ୍ରିଶ ଶାସନ ଅମଳରେ ୧୮୯୪ ମସିହାରେ ସ୍ଥାନିୟ ଅଞ୍ଚଳରେ ଜଳ ସେଚନର ସୁବିଧା କରିବା ସହ ପାନିୟ ଜଳ ସମସ୍ୟା ଦୂରୀ କରଣ କରିବା ନିମନ୍ତେ ଭଞ୍ଜନଗର ଜଳଭଣ୍ଡାର ନିର୍ମାଣ କରାଯାଇଥିଲା। ଜଳଭଣ୍ଡାର ସ୍ଥାନରେ ଅନେକ ଗ୍ରାମ ରହିଥିବା ବେଳେ ସେମାନଙ୍କୁ ବିସ୍ତାପିତ କରାଯାଇଥିଲା। ତେବେ ସେଠରେ ଥିବା ସପ୍ନେଶ୍ବର ମନ୍ଦିର ଜଳ ଭଣ୍ଡାର ଭିତରେ ରହିଯାଇଥିବା ବେଳେ  ଚେଦାଭୂମୀ ଗ୍ରାମରେ ପରେ ସପ୍ନେଶ୍ବର ମନ୍ଦିର ନିର୍ମାଣ କରାଯାଇଥିଲା। ଜନଶ୍ରୁତି ଅନୁଯାୟୀ ଏହି ସମୟରେ ଜଳଭଣ୍ଡାର ନିକଟରେ ମହାଦେବ ରହିଥିବା ନେଇ ଜଣେ ବ୍ୟକ୍ତିଙ୍କୁ ସ୍ବପ୍ନାଦେଶ ହୋଇଥିଲା। ଏହାପରେ ୨୦୧୧ରେ ଏହି ପାହାଡକୁ ‌ବେଲେଶ୍ବର ପାହାଡରେ ନାମିତ କରାଯାଇଥିବା ‌ବେଳେ ୨୦୧୩ ମସିହାରେ ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ(ବିଡେକା) ପକ୍ଷରୁ ୬୧ ଫୁଟ ଉଚ୍ଚତାରେ ଶିବ ମୂର୍ତ୍ତି ସ୍ଥାପନ କରାଯାଇଥିଲା।

publive-image

ଏଥିସହ ଭକ୍ତଙ୍କ ଦର୍ଶନ ଲାଗି ଚନ୍ଦ୍ର ଶେଖର ସ୍ବାମୀଙ୍କ ମନ୍ଦିର ସ୍ଥାପନ କରାଯାଇଥିଲା। ଏହି ଶିବ ମୂ୍ର୍ତ୍ତି ପୃଥିବୀରେ ୯ମ ସର୍ବ‌ୋଚ୍ଚ ଓ ଦେଶର ଷଷ୍ଠତମ ଉଚ୍ଚ ମୂର୍ତ୍ତି ହୋଇଥିବା ବେଳେ ରାଜ୍ୟର ପ୍ରଥମ। ପାଖରେ ଜଳଭଣ୍ଡାର ‌ଓ ଶିଶୁ ଉଦ୍ୟାନ ଲାଗି ରହିଥିବାରୁ ପ୍ରକୃତି ମନୋରମ ମଧ୍ୟରେ ଏହି ବେଲେଶ୍ବର ପୀଠ ସମସ୍ତଙ୍କୁ ଆର୍କଷିତ କରିଥାଏ। ଏଠ‌ାରେ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରୁ ୨୦୧୫ ମସିହାରେ ଏକ ବିଜୁ ମୀନାର ନିର୍ମାଣ କରାଯାଇଛି।

ଏହି ମୀନାର ଉ‌ପରେ ଏକ ସ୍ବୟଂ ଚାଳିତ କାଚ ଘର ରହିଛି। ଏହା ମଧ୍ୟରେ ପର୍ଯ୍ୟଟକ ମାନ‌େ ବହୁ ଉଚ୍ଚା ସ୍ଥାନରୁ ଜଳଭଣ୍ଡାର,ଶିଶୁ ଉଦ୍ୟାନ,ବ‌େଲେଶ୍ବର ପୀଠ ସହ ସହରର ଦୃଶ୍ୟ ତଥା ପାରିପାଶ୍ବିକ ସ୍ଥାନର ମଜା ଉଠାଇଥାନ୍ତି। ବିଡେକାର ସଦସ୍ୟ ମାନଙ୍କ ମନୋବଳ ଯୋଗୁ ୨୦୧୯ ମସିହାରେ ଏଠାରେ ସଂପୂର୍ଣ୍ଣ ପଥରରେ ସୁନ୍ଦର କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଆଉ ୭ ଗୋଟି ମନ୍ଦିର ନିର୍ମାଣ କରାଯାଇଛି। ସେଥି ମଧ୍ୟରୁ ୪ ଶିବ ମନ୍ଦିର ହୋଇଥିବା ‌ବେଳେ ଆଉ ତି‌ନୋଟି ମନ୍ଦିର ନିର୍ମାଣ କରି ବହୁ ଆଡମ୍ବର ସହକାରେ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

ଭୂବନେଶ୍ବର ଲିଙ୍ଗରାଜ ମନ୍ଦିର ଭଳି ୪୫ ଫୁଟ ଉଚ୍ଚତାରେ ସ୍ଫଟିକ ଲିଙ୍ଗ ସ୍ଥାପନ କରାଯାଇ ବେଲେଶ୍ବର ମନ୍ଦିର ପ୍ରତିଷ୍ଠା କରାଯାଇଥିବା ବେଳେ ରାମେଶ୍ବର,ବିଶେଶ୍ବର ତ୍ରୟମ୍ବକେଶ୍ବର ମନ୍ଦିର ସହ ପାର୍ବତୀ,ଗଣେଷ ଓ କାର୍ତ୍ତିକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ପର୍ଯ୍ୟଟକ ମାନଙ୍କ ଆର୍କଷଣ ପାଇଁ ସମୁଦ୍ର ମନ୍ଥନର ଏକ ପ୍ରତିକାତ୍ମକ ପ୍ରତିମୂ୍ର୍ତ୍ତି ସହ ୱାଟର ଫା‌ଉଣ୍ଟେନ୍‌ ନିର୍ମାଣ କରାଯାଇଛି। ଏଥିସହ ଭୋଜି କରିବା ପାଇଁ ସ୍ବତନ୍ତ୍ର ଭୋଗ ମଣ୍ଡପ ପୂଜା ମଣ୍ଡପ ନିର୍ମାଣ କରାଯାଇଛି। ଏଠାରେ ସଂନ୍ଧ୍ୟାରେ ଶିବ ପ୍ରତିମୂର୍ତ୍ତି ଉପରେ ପଡୁଥିବା ଲେଜର ଲାଇଟ ସୋ ଏହି ସ୍ଥାନର ଆଉ ଏକ ବିଶେଷତ୍ବ। ଆଧ୍ୟାତ୍ମିକ ବାତ୍ତାବରଣ ସହ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଏହା ରାଜ୍ୟର ଅନ୍ୟ ପର୍ଯ୍ୟଟନ କ୍ଷେତ୍ରୁ ଏହାକୁ ନିଆରା କରିପାରିଛି। ସାରା ରାଜ୍ୟରେ ଏହା ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe