କେନ୍ଦ୍ରୀୟ ସମବାୟ ସଂସ୍ଥାରେ ବ୍ୟାପକ ଅନିୟମିତତା, ଚାକିରିରୁ ବିଦା ହେଲେ ସଂପାଦକ, ରୁଜୁ ହେବ ଫୌଜଦାରୀ ମାମଲା

Advertisment
ଘରୋଇ ବ୍ୟାଙ୍କରେ ହେବ ସରକାରୀ କାରବାର, ମାର୍ଚ୍ଚରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ

Photo: neoiascap.com

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସମବାୟ ପାଇକାରୀ ଭଣ୍ଡାର ଭଳି କେନ୍ଦ୍ରୀୟ ସମବାୟ ସଂସ୍ଥାରେ ବ୍ୟାପକ ଅନିୟମିତତା ପଦାକୁ ଆସିଛି। ଉକ୍ତ ସଂସ୍ଥାରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ବେଆଇନ୍ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିବା ପରେ କ‌ାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ରହ୍ମପୁର ସମବାୟ ପାଇକାରୀ ଭଣ୍ଡାରର ସମ୍ପାଦକ ଶଙ୍କର ପ୍ରସାଦ ଦାସଙ୍କୁ ସମବାୟ ସମିତି ସମୂହର ଉପନିବନ୍ଧକ (ଡ଼ିଆରସିଏସ୍‌) ଚାକିରରୁ ବହିଷ୍କାର କରିଛନ୍ତି। ସବ୍‌ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋପରେଟିଭ୍‌ ସୋସାଇଟି(ଏସ୍‌ଏଆରସିଏସ୍) ପ୍ରମୋଦ ପଣ୍ଡାଙ୍କୁ ଉକ୍ତ ସଂସ୍ଥାର ସମ୍ପାଦକ ଓ ଏଆରସିଏସ୍‌ ବ୍ରହ୍ମପୁର ଶିବପ୍ରସାଦ ସ୍ବାଇଁଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଏହି ବେନିୟମ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଖୁବ୍‌ଶୀଘ୍ର ଫୌଜଦାରୀ ମକଦ୍ଦମା ରୁଜୁ ହେବ ବୋଲି ଜଣାପଡ଼ିଛି।  
ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରର ହିଲ୍‌ପାଟଣା ଠାରେ ରହିଛି ବ୍ରହ୍ମପୁର ସମବାୟ ପାଇକାରୀ ଭଣ୍ଡାର। ଏହି ସମବାୟ ସଂସ୍ଥାର ପ୍ରମୁଖ କାର୍ଯ୍ୟ ହେଲା, ପ୍ରାଥମିକ ସେବା ସମବାୟ ସମିତି ମାନଙ୍କୁ ପାଇକାରୀ ଜିନିଷ ଯୋଗାଇବା। କିନ୍ତୁ ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ହେଲା ଏହି ସଂସ୍ଥା ସ୍ଥାଣୁ ପାଲଟିଯାଇଛି। ଏହାର ପାଇକାରୀ ବ୍ୟବସାୟୀ ଆଉ ନାହିଁ। ହିଲ୍‌ପାଟଣା ନେହରୁ ପାର୍କ ନିକଟରେ ସଂସ୍ଥାର ୧୩ଟି ଦୋକାନ ଗୃହ ରହିଛି। ଦୋକାନ ଗୃହର ଭଡ଼ା ଅର୍ଥ ହିଁ ଏହି ସଂସ୍ଥାର ବର୍ତ୍ତମାନ ଆୟ କହିଲେ ଚଳେ।
ବ୍ରହ୍ମପୁର ସମବାୟ ପାଇକାରୀ ଭଣ୍ଡାରରେ ସମ୍ପାଦକ ଭାବେ ଦେବେନ୍ଦ୍ର କୁମାର ଦାସ କାର୍ଯ୍ୟ କରୁଥିଲେ। ସଂସ୍ଥାରେ ତାଙ୍କ ପୁଅ ଶଙ୍କର  ୨୦୧୭ରେ ଆକାଉଣ୍ଟାଣ୍ଟ୍ ଭାବେ ଚାକିରି ପାଇଥିଲେ। ଦେବେନ୍ଦ୍ରଙ୍କ ଅବସର ପୂର୍ବରୁ ତାଙ୍କ ପୁଅ ଶଙ୍କର ଉକ୍ତ ସୋସାଇଟି ସମ୍ପାଦକ ଭାବେ ପଦୋନ୍ନତି ପାଇଥିଲେ। ପୁଅକୁ ପଦରେ ବସାଇବା ଲାଗି ଦେବେନ୍ଦ୍ର ସବୁ ନିୟମକୁ ଜଳାଞ୍ଜଳି ଦେଇଥିଲେ। କାରଣ ଏହି କେନ୍ଦ୍ରୀୟ ସୋସାଇଟିରେ ନିଯୁକ୍ତି ଲାଗି ଏକ କମିଟି ରହିଛି। କମିଟିରେ ଡିଆରସିଏସ୍‌ ସଦସ୍ୟ ରହିଛନ୍ତି। ଡିଆରସିଏସ୍‌ଙ୍କ ଅଗୋଚରରେ ବେଆଇନ ଭାବେ ଏହି ନିଯୁକ୍ତି ଦିଆଯାଇଥିଲା। ଆକାଉଣ୍ଟାଣ୍ଟ୍ ଭାବେ ନିଯୁକ୍ତ ବେଳେ ବି ସର୍ବାଧିକ ପ୍ରସାରିତ ସମ୍ବାଦପତ୍ରରେ ମଧ୍ୟରେ ବିଜ୍ଞାପନ ପ୍ରକାଶ କରାଯାଇ ନଥିଲା।
ଅନ୍ୟପକ୍ଷରେ ସେତେବେଳେ ସମ୍ପାଦକ ଥିବା ଦେବେନ୍ଦ୍ର କୁମାର ଦାସ ତାଙ୍କ ପୁଅ ଆକାଉଣ୍ଟାଣ୍ଟ୍ ପଦବି ଲାଗି ଆବେଦନ କରିଥିବା ସମ୍ପର୍କରେ ଉପରିସ୍ଥ ଅଧିକାରୀ ଏବଂ ଡିଆରସିଏସ୍‌ଙ୍କୁ ଅବଗତ କରିନାହାନ୍ତି। ପ୍ରାଶାସନିକ ମଞ୍ଜୁରି ବିନା ଆକଉଣ୍ଟାଣ୍ଟ୍ ଶଙ୍କରଙ୍କୁ ପଦୋନ୍ନତି ଦିଆଯାଇଛି।  ତଦନ୍ତରୁ ଏହି ନିଯୁକ୍ତି ସମ୍ପୂର୍ଣ୍ଣ ବେଆଇନ ଜଣାପଡ଼ିବା ପରେ ଶଙ୍କରଙ୍କୁ ଚାକିରି ବହିଷ୍କାର କରାଯାଇଛି। ସୂଚନା ଯୋଗ୍ୟ ଯେ, ଏହି କେନ୍ଦ୍ରୀୟ ସୋସାଇଟିର ଏକ ନିର୍ବାଚିତ ବୋର୍ଡ଼ ରହିଥିଲା। ଏହି ବୋର୍ଡ଼ର କାର୍ଯ୍ୟକାଳ ସରିବା ପରେ ବର୍ତ୍ତମାନ ସରକାରୀ କଳ ହାତରେ ଏହି ସୋସାଇଟି ରହିଛି। ଆଉ ଏହି ଅନିୟମିତତା ଏବେ ପଦାକୁ ଆସିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe