କରୋନା କଟକଣା ଭଦ୍ରକର ପ୍ରସିଦ୍ଧ କାଳୀପୂଜାକୁ ଫିକା ପକାଇବ       

କରୋନା କଟକଣା ଭଦ୍ରକର ପ୍ରସିଦ୍ଧ କାଳୀପୂଜାକୁ ଫିକା ପକାଇବ       

Photo: gapuphotography

ଭଦ୍ରକ: ଭଦ୍ରକର ପ୍ରସିଦ୍ଧ ଚରମ୍ପା କାଳୀ ପୂଜା। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ସାରା ବିଶ୍ବକୁ ଦୋହଲାଇ ଦେଇଥିବା ବେଳେ କରୋନା କଟକଣା ଏଇ କାଳୀ ପୂଜାକୁ ଫିକା ପକାଇବ। ନିରାଡମ୍ବର ଭାବେ ଚରମ୍ପାର କାଳୀ ପୂଜା ପାଳନ କରାଯିବ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଯାନି ଯାତ୍ରା ପଡି ନାହିଁ। ମେଢ ନିକଟରେ ବଡ ତୋରଣ ନିର୍ମାଣ ହେବ ନାହିଁ।  ମେଢ ଦର୍ଶନ ବେ‌ଳେ ଲୋକମାନେ ସାମାଜିକ ଦୂରତା ରକ୍ଷା କରି ଠାକୁର ଦର୍ଶନ କରିବେ। ୭ ଜଣରୁ ଅଧିକ ଲୋକ ପୂଜା କାର୍ଯ୍ୟରେ ନିୟୋଜିତ ହୋଇ ପାରିବେ ନାହିଁ। ଯାତ୍ରା ପାର୍ଟି ପକାଇବା ପାଇଁ ନିର୍ଦ୍ଦେଶ ନାହିଁ। ଚକ୍ରି ଦୋଳି କିମ୍ବା ଅନ୍ୟାନ୍ୟ ସକର୍ସ ପଡି ପାରିବ ନାହିଁ।  ନାହିଁ ନାହିଁ ଭିତରେ ଏଥର ହେବ ଚରମ୍ପା କାଳୀ ପୂଜା। ଅନ୍ୟ ପୂଜା ପାର୍ବଣ ଯେଭଳି ନିରାଡମ୍ବର ଭାବେ ପାଳନ କରାଯାଇଛି।

ପ୍ରସିଦ୍ଧ ଚରମ୍ପାର କାଳୀ ପୂଜାକୁ ସେଭଳି ଭାବେ ପାଳନ କରାଯିବ ବୋଲି ନିର୍ଦ୍ଦେଶ ପ୍ରଶାସନ ଦେଇସାରିଛି। ପ୍ରଶାସନର ଏଭଳି ନିର୍ଦ୍ଦେଶ ପାଇବା ପରେ ଜିଲ୍ଲାର ସବୁ ପୂଜା କମିଟି  ପକ୍ଷରୁ  ମା କାଳୀଙ୍କର ପୂଜା ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଥିବା ବେଳେ ସେହି ଅନୁଯାୟୀ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି। ଭସାଣି ଉତ୍ସବ ମଧ୍ୟ ନିରାଡମ୍ବର ଭାବେ ପାଳନ କରାଯିବ। କଟକରେ ଯେଭଳି ଦୁର୍ଗା ପୂଜାର ମାହୋଲ ଥାଏ।

ଭଦ୍ରକରେ ପ୍ରସିଦ୍ଧ କାଳୀ ପୂଜାର ଆକର୍ଷଣ ମଧ୍ୟ ସେଭଳି ନିଆରା ହୋଇଥାଏ। କାଳୀ ପୂଜା ଆସ‌ିଲେ କାଳୀପୂଜା କମିଟି ଗୁଡିକ ମାସକୁ ଆଗରୁ ଜୋରଦାର ପ୍ରସ୍ତୁତି ପର୍ବ ଆରମ୍ଭ କରିଥାନ୍ତି। ଏଠାରେ ପ୍ରାୟ ୧୧ଟି ମଣ୍ଡପରେ କାଳୀ ମେଢ  ନିର୍ମାଣ କରାଯାଇ  ମା କାଳୀଙ୍କର ପୂଜା ଉତ୍ସବକୁ ପାଳନ କରାଯାଇଥାଏ। ଏଥିପାଇଁ ମୂର୍ତ୍ତି ଗଢାଠାରୁ  ଆରମ୍ଭ କରି ତୋରଣ ସଜା,  ମୀନା ବଜାର ଠାରୁ ଆରମ୍ଭ କରି ଯାତ୍ରୀ ପାର୍ଟିର ଟେଣ୍ଡ ପକା ସବୁ କିଛି ୧୫ ଦିନ ଆଗରୁ ଜମି ଯାଇଥିାଏ। କାଳୀ ପୂଜା ପାଇଁ ଚରମ୍ପାର  ଷ୍ଟସନ ବଜାର, ସ୍କୁଲରୋଡ , ଏରେଇ, ପଥର କାଳୀ, ଦକ୍ଷୀଣ କାଳୀ ଓ ମା ଭଦ୍ରକକାଳୀଙ୍କ ପୀଠ ଚଳ ଚଞ୍ଚଳ ହୋଇ ଉଠିଥାଏ। ମାତ୍ର କାଳୀ ପୂଜାର ଆଉଦିନ କେଇଟା ଥିଲେ ମଧ୍ୟ କାଳୀ ପୂଜାର ମାହୋଲ ନାହିଁ। କରୋନା ସବୁଥିରେ ଭଟ୍ଟା ପକାଇଦେଇଛି। ଭଦ୍ରକର ରଙ୍ଗା ରଙ୍ଗ କାଳୀ ପୂଜା ମାହୋଲକୁ ବେରଙ୍ଗ କରି ଦେଇଛି। କାଳୀ ପୂଜାର ରଙ୍ଗ ଛଡାଇ ନେଇଛି କରୋନା।

ପ୍ରଶାସନର ସବୁ  କଟକଣାକୁ ମାନି ନେଇଛନ୍ତି ପୂଜା କମିଟିର କର୍ମକର୍ତ୍ତା।  ପ୍ରଶାସନର ସବୁ ତାଗିଦ୍ ଓ ନାହିଁ ନାହିଁ ଭିତରେ  ନିରାଡମ୍ବର ଭାବେ ପୂଜା ପାଇବେ  ଭଦ୍ରକର ଅଧିଷ୍ଟାତ୍ରୀ ଦେବୀ ମା ଭଦ୍ରକାଳୀ, ମା ପଥର କାଳୀ ଓ ମା ଦକ୍ଷୀଣ କାଳୀ। ଭଦ୍ରକର ଏଇ ତିନି ଶକ୍ତି ପୀଠରେ ଯଥାରୀତି  ମାଙ୍କର ପୂଜା ଅର୍ଚ୍ଚନା କରାଯିବ। ସେମିତି ମଧ୍ୟ ମା କୁଣ୍ଡିକାଳୀ ପୀଠରେ ମାଙ୍କର ପୂଜା ଅର୍ଚ୍ଚନା ନିରାଡମ୍ବର ଭାବେ ପାଳନ କରାଯିବ। ଭଦ୍ରକ ସହର ଓ ଚରମ୍ପା ସହରରେ ଯେତେ କାଳୀ  ମଣ୍ଡପରେ ମା ଙ୍କ ମେଢ ପ୍ରସ୍ତୁତି  ହୋଇ ମୂର୍ତ୍ତୀ ପୂଜା କରାଯାଇ ମହା ଆଡମ୍ବରରେ କାଳୀ ପୂଜା ଉତ୍ସବ ପାଳନ କରାଯାଇଥାଏ। ଚଳିତ ବର୍ଷ ସେଭଳି ଆଡମ୍ବର ପୂର୍ଣ୍ଣ ଉତ୍ସବ ପାଳନ କରାଯାଇ ପାରିବ ନାହିଁ। ଭଦ୍ରକ କାଳୀ ପୂଜାର ଉତ୍ସବ ଫିକା ପଡିବାକୁ ଯାଉଥିବା ବେଳେ ପ୍ରାୟ ୧୦୦ କୋଟିର ବେପାର  ଠପ୍ ହେବ ବୋଲି ସ୍ପଷ୍ଟ ସୂଚନା ମିଳିଛି।

୧୧ ଦିନ ଧରି ଜିଲ୍ଲା ସଦର ମହକୁମା ଓ ଚରମ୍ପା ବଜାରରେ ଏଇ ଉତ୍ସବ ପାଳନ ହୋଇଥାଏ। ଏବେ ଏହି ଉତ୍ସବ ପାଳନ ଆଗରୁ ସବୁ ଯେମିତି ଖାଁ ଖାଁ ଲାଗୁଛି। ଭଦ୍ରକର ପ୍ରସିଦ୍ଧ କାଳୀ ପୂଜାକୁ ନିରାଡମ୍ବର ଭାବେ ପାଳନ କରିବାକୁ ଉଭୟ  ପ୍ରଶାସନ ଓ ପୁଲିସ ପକ୍ଷରୁ କଡା କଟକଣା ଲାଗୁ କରାଯାଇଛି। ଯେଉଁମାନେ ନିୟମ ଭଙ୍ଗ କରିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଜୋରିମାନା ଆଦାୟ କରାଯିବ  ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe