ଭଦ୍ରକ: କାରଗିଲ ବିଜୟକୁ ୨୧ବର୍ଷ ପୁରି ଯାଇଛି। ଆଜି କାରଗିଲ ବିଜୟ ଦିବସ ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହି କ୍ରମରେ ଭଦ୍ରକ ଚାନ୍ଦବାଲି ବ୍ଲକ ପାଙ୍ଗୁଡା ଗାଁର ନିରଞ୍ଜନ ବେହେରାଙ୍କୁ ମନେ ପକାଇ ଝୁରୁଛି ଗାଁ ମାଟି । ନିରଞ୍ଜନଙ୍କୁ ଝୁରୁଛନ୍ତି ବୃଦ୍ଧ ବାପା ଓ ପତ୍ନୀ।
ମାତ୍ର ୧୬ ବର୍ଷ ବୟସରେ ନିରଞ୍ଜନ ବେହେରା ଘରୁ ଲୁଚି ସେନା ବାହିନୀରେ ଯୋଗଦେଇଥିଲେ। କାରଗିଲ ଯୁଦ୍ଧସମୟରେ ନିରଞ୍ଜନଙ୍କ ଚିଠି ପାଇଁ ପାଇ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇ ଯାଇଥିଲେ। ଏହି ଚିଠିରେ ସେ ଲେଖିଥିଲେ, ‘ଯୁଦ୍ଧ ସରିଆସିଲାଣି ଓ ମୁଁ ଶୀଘ୍ର ଘରକୁ ଫେରିଯିବି’।
ମାତ୍ର ସମୟର ଗତି ଥିଲା ଅଲଗା । ଶତ୍ରୁପକ୍ଷର ଗୁଳିରେ ମାତ୍ର ୨୮ ବର୍ଷ ବୟସରେ ନିରଞ୍ଜନ ପ୍ରାଣ ହରାଇଥିଲେ। ବର୍ତ୍ତମାନ ନିରଞ୍ଜନ ବେହେରାଙ୍କ ପୁଅ ସମ୍ବିତ ବେହେରା ୨୪ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରତିଦିନ ବାପାଙ୍କୁ ମନେ ପକାଇ ଫଟୋ ଆଲବମ ଦେଖି ଝୁରୁଛନ୍ତି।
ଏପଟେ ଶୀଘ୍ର ଘରକୁ ଫେରିଆସିବା ପାଇଁ ସ୍ୱାମୀ ଲେଖିଥିବା ଶେଷ ଚିଠିକୁ ଶେଷ ସନ୍ତକ ଭାବ ନିରଞ୍ଜନଙ୍କ ପତ୍ନୀ ସନ୍ଧ୍ୟାରାଣୀ ସାଇତି ରଖି ଗୁମୁରିଗୁମୁରି କାନ୍ଦୁଛନ୍ତି। ସ୍ୱାମୀ ସହିଦ ହେବା ପରେ ପତ୍ନୀ ସନ୍ଧ୍ୟାରାଣୀ ଚାନ୍ଦବାଲି ତହସିଲରେ ନିଯୁକ୍ତି ପାଇଛନ୍ତି। ପୁଅ କୋଲାକତାରେ କାମ କରୁଛନ୍ତି ।
Follow Us