ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାର ଉପକୂଳ ଅଞ୍ଚଳରେ ଲୁଣାବନ୍ଧ ପାଇଁ ବହୁଦିନର ଦାବି ହୋଇ ଆସୁଛି। ମାତ୍ର ଲୁଣାବନ୍ଧ ନିର୍ମାଣ ନେଇ ସରକାରଙ୍କର ଆନ୍ତରିକତା ପ୍ରକାଶ ପାଉନି। ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ପରି  ସମୁଦ୍ର ଉପକୂଳ  ବ୍ଲକରେ ‘ସାଲାଇନ୍ ବନ୍ଧ’ ନିର୍ମାଣ ଦିଗରେ ସରକାରଙ୍କର ଯୋଜନା ରହିଛି। ଏଇ ଯୋଜନା ଅନୁଯାୟୀ ସ୍ବତନ୍ତ୍ର ଅନୁଦାନ ଯୋଗାଇ ସମୁଦ୍ର କୂଳେକୂଳେ ବନ୍ଧ ନିର୍ମାଣ କରାଯିବ। ବନ୍ଧ ନିର୍ମାଣ ହେଲେ  ସମୁଦ୍ରର ଲୁଣା ଜଳ ଆଉ ଏହିସବୁ  ଅଞ୍ଚଳର ଚାଷ ଜମିକୁ ପ୍ରବେଶ କରି ପାରନ୍ତା ନାହିଁ। ମାତ୍ର ବର୍ଷ ବର୍ଷ ଧରି ସାଲାଇନ୍ ବନ୍ଧ ନିର୍ମାଣ ହେଉ ନଥିବାରୁ ଜୁଆର ସମୟରେ ସମୁଦ୍ରର ଲୁଣା ଜଳ ଚାଷ ଜମି ଆଡ଼କୁ ମାଡି ଆସୁଛି।

Advertisment

ଲୁଣା ଜଳ ବିଶେଷ କରି ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ବ୍ୟାପକ ଚାଷଜମିରେ ମାଡ଼ି ଯିବାରୁ ଏଇ ସବୁ ଅଞ୍ଚଳରେ ହଜାର ହଜାର ଏକର ଚାଷଜମି କ୍ଷତିଗ୍ରସ୍ତ ହେଉଛି। ବିଶେଷ କରି ଧାନ ଚାଷୀମାନେ କ୍ଷତି ସହୁଛନ୍ତି। ବିଶେଷକରି ଏଇ ଦୁଇ ବ୍ଲକ୍‌ ଦେଇ ଯାଇଥିବା ମନ୍ତେଇ ନଦୀରେ ସମୁଦ୍ରର ଲୁଣା ଜଳ ପ୍ରବେଶ କରିବା ପରେ ଏହା ଚାଷଜମି ଆଡ଼କୁ ମାଡ଼ି ଆସୁଛି। ମନ୍ତେଇ ନଦୀର ଦୁର୍ବଳ ନଦୀବନ୍ଧ ପାଇଁ ବ୍ୟାପକ ଚାଷଜମି ନଷ୍ଟ ହେଉଛି। ସେହପିରି ଚାଚନ୍ଦାବଲି ବ୍ଲକରେ ବୈତରଣୀ ନଦୀର ସମୁଦ୍ରର ଲୁଣାଜଳ ପ୍ରବେଶ କରିବା କାରଣରୁ ଏଇ ଅଞ୍ଚଳରେ ଚାଷ ଜମିରେ ଲୁଣା ଜଳ ପ୍ରବେଶ କରୁଛି। ଲୁଣା ଜଳର ଆତଙ୍କ  ଏଇ ଅଞ୍ଚଳର ଚାଷୀଙ୍କୁ  ଚିନ୍ତାରେ ପକାଇ ଥିବା ବେଳେ ଲୁଣାବନ୍ଧ ନିର୍ମାଣ ପାଇଁ ଏଇ ଦୁଇ ବ୍ଲକର ହଜାର ହଜାର ଚାଷୀ ବର୍ଷ ବର୍ଷ ଧରି ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି।

ରାଜ୍ୟ ସରକାରଙ୍କୁ ଦାବିପତ୍ର

ଲୁଣାବନ୍ଧ ନିର୍ମାଣ ହେଲେ ଅନେକ ଚାଷ ଜମି ରକ୍ଷା ପାଇଯାଆନ୍ତା ବୋଲି ଚାନ୍ଦବାଲି ଅଞ୍ଚଳର ଚାଷୀ ରମେଶ ନାୟକ କହିଥିବା ବେଳେ ବହୁବାର ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇଛୁ। କିନ୍ତୁ ଫଳ କିଛି ହୋଇ ନାହିଁ। ଆମ ଅଞ୍ଚଳର ଏଇ ମୁଖ୍ୟ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଉ ନାହାନ୍ତି। କୃଷିର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ଚାନ୍ଦବାଲି ଅଞ୍ଚଳର ଚାଷୀ କିଭଳି ଲୁଣା ଜଳ ଦାଉରୁ ରକ୍ଷା ପାଇବେ ସେ ଦିଗ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ ବୋଲି ଶ୍ରୀ ନାୟକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ଚାଷ ଲୁଣା ଜଳରେ ନଷ୍ଟ ହେଉଛି: ଚାଷୀ

ସେହିପରି ଧାମରା ଦୋଷିଙ୍ଗା ଅଞ୍ଚଳର ଚାଷୀ  ସୁଶାନ୍ତ ରାଉତ ନିଜ ପ୍ରତିକ୍ରିୟାରେ କହନ୍ତି, ଆମେ  ଚାଷୀ ଲୋକ। ବର୍ଷ ବର୍ଷ ଧରି ଆମ ଧାନ ଚାଷ ଲୁଣା ଜଳରେ ନଷ୍ଟ ହେଉଛି। ମାତ୍ର ଆମ ଦୁଃଖ କେହି ଶୁଣୁ ନାହାନ୍ତି। ଚରଦିଆର ବଟକୃଷ୍ଣ ଜେନା ଓ କିଣୁରାମ ଜେନା ମଧ୍ୟ ଲୁଣା ଜଳରେ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଧାମରାରୁ ବାଂଶଡା ପର୍ଯ୍ୟନ୍ତ ମନ୍ତେଇ ନଦୀର ୯ କିଲୋମିଟର ପର୍ଯ୍ୟନ୍ତ ନଦୀବନ୍ଧର ଆଡି ସବୁ ଜୁଆର ଆସି ଧୋଇଯାଇଛି। ଏଇ ନଦୀର ବନ୍ଧ  ଚାଷ ଜମିରେ ମିଶି ଯାଇଥିବା ବେଳେ ସମୁଦ୍ରରେ ଜୁଆର ଆସିଲେ ଜୁଆର ପାଣି ମନ୍ତେଇ ନଦୀରେ ପ୍ର‌େଶ କରି ଚାଷ ଜମି ଆଡକୁ ମାଡି ଆସୁଛି। ଯାହା ଫଳରେ ବ୍ୟାପକ ଧାନ ଚାଷ ନଷ୍ଟ ହେଉଛି। 

ଆହୁରି ପଢ଼ନ୍ତୁ: Bhitarkanika: କ୍ରୁଜ୍‌ରେ ଭିତରକନିକା ବୁଲିବାର ମଜା ନେବେ ପର୍ଯ୍ୟଟକ, ରାତିକୁ ୨୫ ହଜାର ଟଙ୍କା ଭଡ଼ା

ଚାଷୀଙ୍କ ଅଭିଯୋଗ

ଧାମରା ନିକଟବର୍ତ୍ତୀ କନକପ୍ରସାଦରୁ ଦୋସିଙ୍ଗା ପଞ୍ଚାୟତ ଦେଇ କରଂଜମାଳ ଅଞ୍ଚଳ  ୭ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର କୂଳେ କୂଳେ ସାଲାଇନ୍ ବନ୍ଧ ନାହିଁ। ଯାହା ହୋଇଥିଲା, ତାହା ସବୁ ଜୁଆର ପାଣିରେ ନଷ୍ଟ ହୋଇ ଯାଇଛି। ସମୁଦ୍ରର ଜୁଆରିଆ ଲୁଣାପାଣି ଏହି ଅଞ୍ଚଳର ଚାଷ ଜମିକୁ ନଷ୍ଟ କରୁଛି। ସମୁଦ୍ର ମୁହାଣ ଜଳ ଓ ମନ୍ତେଇର ଲୁଣାଜଳ ଆମ ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଚାଷ ଜମିକୁ ପ୍ରଭାବିତ କରୁଛି ବୋଲି ଏହି ଚାଷୀମାନେ ଅଭିଯୋଗ ଉଠାଇଛନ୍ତି। କବେଳ ଚାନ୍ଦବାଲି ବ୍ଲକର ଚାଷ ଜମି କ୍ଷତିଗ୍ରସ୍ତ ହେଉ ନାହିଁ। ମନ୍ତେଇ ନଦୀର ଲୁଣା ଜଳରେ ବାସୁଦେବପୁରର ଅନେକ ଚାଷ ଜମି ଲୁଣା ପ୍ଲାବିତ ହୋଇ କ୍ଷତିଗ୍ରସ୍ତ ହେଉଥିବା ବେଳେ ବାସୁଦେବପୁରର ଇରମ ଅଞ୍ଚଳରେ ଅନେକ ଚାଷ ଜମି ଲୁଣା ଜଳରେ କ୍ଷତିଗ୍ରସ୍ତ ହେଉଛି ବୋଲି ଏଇ ଅଞ୍ଚଳ ଚାଷୀ ଚଗୁଲି ଖିଲାର, ଲକ୍ଷ୍ମୀଦାସପୁର ଅଞ୍ଚଳର ଚାଷୀ  ନିତ୍ୟାନନ୍ଦ ବେହେରା  ଲୁଣା ଜଳ  ନେଇ ନିଜର ପ୍ରତିକ୍ରିୟା ପ୍ରକାଶ  କରିଥିବା ବେଳେ  ଏଇ ଅଞ୍ଚଳରେ ଥିବ‌ା  ପାରାପୋଖରୀ କେନାଲ ଦେଇ ସମୁଦ୍ରର ଲୁଣା ଜଳ ଚାଷ ଜମିକୁ ପ୍ରବାଶ କରୁଛି ବୋଲି ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: Neglect: ବାପୁଙ୍କ ପୂଜ୍ୟପୂଜା ପ୍ରତି ଅବହେଲା: ମରିଗଲା ଗଛ, ଲାଗୁନି ଲାଇଟ୍