Times Now
ବାସୁଦେବପୁର: ବାସୁଦେବପୁର ସହରରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। କେତେ ବେଳେ ଗହଣା ଦୋକାନରୁ ତ କେତେ ବେଳେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହେଉଛି। ଆଜି ଅପରାହ୍ଣରେ ଜଣେ ବାଇକ ଆରୋହୀଙ୍କ ଠାରୁ ଦୁର୍ବୃତ୍ତ ୫ ଲକ୍ଷ ଝାମ୍ପିନେଇ ଚମ୍ପଟ ମାରିଛନ୍ତି। ଫଳରେ ଏ ଅଞ୍ଚଳ ଯେ ଲୁଟେରାଙ୍କ ଭୂସ୍ୱର୍ଗ ପାଲଟିଛି, ତାହା ସ୍ପଷ୍ଟହୋଇ ଯାଇଛି।
ଆଜି ଅପରାହ୍ଣରେ ବାଲିମେଦ ଅଞ୍ଚଳର କମଳାକାନ୍ତ ଘଡେଇ ଷ୍ଟେଟ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇଥିଲେ। ସେ ଟଙ୍କା ଭର୍ତି ବ୍ୟାଗ ବାଇକ ହ୍ୟାଣ୍ଡଲରେ ଝୁଲାଇ ଭଉଣୀ ଘର ବିନାୟକପୁରକୁ ଯାଉଥିଲେ। ସରକାରୀ ବାଳିକା ବିଦ୍ୟାଳୟ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ମୁହଁରେ କଳାକନା ବାନ୍ଧି ଅଚାନକ ପଛରୁ ଆସି ତୁମର କଣ ପଡିଗଲା ବୋଲି କମଳାକାନ୍ତଙ୍କୁ କହିଥିଲେ। ସେ ପଛକୁ ଅନାଇବା ବେଳେ ଦୁର୍ବୃତ୍ତ ଦୁହେଁ ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ। କମଳାକାନ୍ତ ସେମାନଙ୍କୁ ପିଛା କରି ପଦ୍ମପୁର ପଯ୍ୟର୍ନ୍ତ ଯାଇଥିଲେ ବି ସନ୍ଧାନ ପାଇନଥିଲେ। ଏନେଇ ବାସୁଦେବପୁର ଥାନାକୁ ଜଣାଇବା ପରେ ପୁଲିସ ଏହାର ତଦନ୍ତ କରୁଛି। ସୂଚନାଯୋଗ୍ୟ; ସପ୍ତାହେ ପୂର୍ବରୁ ବନ୍ଧୁକ ଦେଖାଇ କୁମାରପୁର ଅଞ୍ଚଳରୁ ଲୁଟ କରି ଲୁଟେରା ଖସି ପଳାଇଥିବା ବେଳେ ପୁଲିସ ଏ ପଯ୍ୟର୍ନ୍ତ ଲୁଟେରାଙ୍କ ସନ୍ଧାନ ପାଇନାହିଁ। ବାସୁଦେବପୁର ଅଞ୍ଚଳରେ ଦିନକୁ ଦିନ ଲୁଟ ବଢ଼ି ଚାଲିବା ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
Follow Us