ଭଦ୍ରକ( ଡ ହରିହର ନାୟକ ):ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ। ମା ଭଦ୍ରକାଳୀ ନାମରେ ନାମିତ ହୋଇଛି ଭଦ୍ରକ। ମା ଭାଦକାଳୀଙ୍କର ପବିତ୍ର ଓ ମହାନପର୍ବ କାଳୀପୂଜା ପାଇଁ ମା’ଙ୍କ ପୀଠ ସଜେଇ ହେଲାଣି। ଆଉ ଦୁଇ ଦିନପରେ କାଳୀପୂଜା। ଏହି ଅବସରରେ ମା’ଙ୍କୁ ସପ୍ତ ମାତୃକା ବେଶରେ ପୂଜା କରାଯିବ। ମା’ଙ୍କର ସପ୍ତ ମାତୃକା ବେଶ ସହିତ ପୀଠରେ ବିଶ୍ଵର ଜନ କଲ୍ୟାଣ ନିମନ୍ତେ ଏକ ମହାଯଜ୍ଞ ଅନୁଷ୍ଠିତ ହେବ।
ଚଳିତବର୍ଷ ଆସନ୍ତା ୨୦ ତାରିଖ ଠାରୁ ମହାଯଜ୍ଞର ଶୁଭାରମ୍ଭ ହେବ। ମହାଯଜ୍ଞର ପ୍ରଥମ ଦିବସରେ ମା ବେଦମାତା ବେଶ ଧାରଣ କରି ପୂଜା ପାଇବେ। ଏଥିନିମନ୍ତେ ପ୍ରଥମେ ସେବାୟତ ବୈଠକ ହୋଇଥିଲା। ପୁଣି ମନ୍ଦିର ପ୍ରଶାସନ ମ୍ୟାନେଜିଙ୍ଗ ଟ୍ରଷ୍ଟି ଭଦ୍ରକ ଜିଲ୍ଲା ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀଙ୍କ ଅଧକ୍ଷତାରେ ଜିଲ୍ଲାର ସବୁ ବିଭାଗର ପ୍ରାଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ସେବାୟତମାନଙ୍କୁ ବସାଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସପ୍ତମାତୃକା ବେଶରେ ମା’ଙ୍କର ସାତ ଦିନର ବେଶ, ପୂଜା ନୀତିକାନ୍ତି, ମାନସିକ କଳସ ଶୋଭାଯାତ୍ରା, ଯଜ୍ଞ ମଣ୍ଡପରେ ବିଦ୍ଧି ଅନୁଯାୟୀ ପୂଜା ଓ ଆହୁତି, ପ୍ରସାଦ ବଣ୍ଟନ, ପହୁଡ଼ ଭୋଗ, ତୋରଣ ସଜା, ଆଲୋକ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୁଲିସ ବ୍ୟବସ୍ଥା, ପାନୀୟ ଜଳ, ଯାନ ବାହାନ ପାର୍କିଂ, ମୁଖ୍ୟ ରାସ୍ତାର ମରାମତି ଆଦି ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସେବାୟତମାନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି।
ସପ୍ତମାତୃକା ବେଶର ପ୍ରଥମ ଦିନ ମା ବେଦମାତା ବେଶରେ ପୂଜା ପାଇବେ। ଦ୍ୱିତୀୟ ଦିନ ମା’ଙ୍କ ର ମହାକାଳୀ ବେଶ ଓ ତୃତୀୟ ଦିନ ମା’ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ। ଚତୁର୍ଥ ଦିନ ମା’ ସିଂହ ବାହିନୀ ବେଶରେ ପୂଜା ପାଇବାକୁ ଥିବାବେଳେ ପଞ୍ଚମ ଦିନ ରେ ମା’ଙ୍କର ଜଗଦ୍ଧାତ୍ରୀ ବେଶ ଓ ଷଷ୍ଠ ଦିବସରେ ମା’ ମହାସରସ୍ଵତୀ ବେଶ ଧାରଣ କରିବେ। ଅନ୍ତିମ ଦିବସ ଆସନ୍ତା ୨୬ ତାରିଖରେ ମା’ଙ୍କର ମହାଲକ୍ଷ୍ମୀ ବେଶ ସହିତ ମହାଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ।
ଆହୁରି ପଢ଼ନ୍ତୁ: ଅଘୋରୀ ନାଚର ତାଳେ ତାଳେ ବିଦାୟ ନେଲେ ମା’ ମହାଲକ୍ଷ୍ମୀ
ଆସନ୍ତାବର୍ଷ ୨୦୨୬କୁ ମହାଯଜ୍ଞର ୨୫ ବର୍ଷ ପୂର୍ତ୍ତି ଅବସରରେ ମା’ଙ୍କର ସୁନା ବେଶ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି। ଏହି ସୁନାବେଶ ନିମନ୍ତେ ଏବେଠାରୁ ଆଗ୍ରହୀ ଭକ୍ତମାନେ ଦାନ କରିପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ମା’ଙ୍କ ର ସାତ ଦିନର ବେଶକୁ ବେଶକରୀ ସେବକ ପ୍ରାତଃ ୭.୪୫ ମିନିଟ ସୁଦ୍ଧା ସମାପନ କରିବ। ପରେ ଭକ୍ତଙ୍କ ନିମନ୍ତେ ସାହ ଣ ମେଳା ଦର୍ଶନ ଆରମ୍ଭ ହେବ। ପୀଠରେ ମହାଯଜ୍ଞ ଓ ସପ୍ତମାତୃକା ବେଶ ନିମନ୍ତେ ପ୍ରସ୍ତୁତି ପ୍ରାୟ ଚୁଡାନ୍ତ ହୋଇଥିଲା ବେଳେ ସନ୍ଧ୍ୟାଠାରୁ ସଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାଯଜ୍ଞର ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶାର ସୁନାମ ଧନ୍ୟ ପାଲା ଗାୟକ ସନାତନ ଦାଶ ପାଲା ପରିବେଷଣ କରିବେ। ବ।ଣ ଫୁଟା ନିମନ୍ତେ ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟା ବନ୍ଦ ଥିବା ବେଳେ ତୃତୀୟ ସନ୍ଧ୍ୟାରେ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରବଚନ ଦେବେ। ଚତୁର୍ଥ ସନ୍ଧ୍ୟାରେ ଓଡ଼ିଶୀ, ସମ୍ବଲପୁରୀ ଏବଂ ଓଡ଼ିଶାର ଲୋକ କଥା, ଲୋକଗୀତ ଉପରେ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପଞ୍ଚମ, ଷଷ୍ଠ ଓ ସପ୍ତମ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବିଭାଗ ଦ୍ବାରା ଭଜନ ସନ୍ଧ୍ୟା, ନୃତ୍ୟ ଓ ଗୀତିନାଟ୍ୟ ପରିବେଶଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ପୀଠର ମହାଯଜ୍ଞର ମାନସିକ କଳସ ଶୋଭାଯାତ୍ରାଠାରୁ ପୂର୍ଣ୍ଣାହୂତି ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ସେବାୟତମାନଙ୍କ ମଧ୍ୟରେ ଭାଗିରଥୀ ଦୀକ୍ଷିତ, ଅନୁଗ୍ରହ ଦୀକ୍ଷିତ, ପଞ୍ଚାନନ ଦୀକ୍ଷିତ, ମନ୍ଦର ଧର ଦୀକ୍ଷିତ, ମଧୁସୂଦନ ଦୀକ୍ଷିତ, ଶେଖର ମହାପାତ୍ର ପ୍ରଫୁଲ୍ଲ ସାହୁ,ବିଜୟ ଦୀକ୍ଷିତ, ନିକୁଞ୍ଜ ଦୀକ୍ଷିତ, ମଦନ ମୋହନ ଦୀକ୍ଷିତ, ପ୍ରଦୀପ ପଣ୍ଡା, ସମର ଦୀକ୍ଷିତ, ଜୀବନ ଦୀକ୍ଷିତ, ପ୍ରଶାନ୍ତ ଦୀକ୍ଷିତ,ଅରବିନ୍ଦ ଦୀକ୍ଷିତ, କୃଷ୍ଣ ପ୍ରସାଦ ଦୀକ୍ଷିତ, ସୁଶାନ୍ତ ପଣ୍ଡା, ଅଜିତ ପଣ୍ଡା, ଅନିଲ ବେହେରା ପ୍ରମୁଖଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଚଳିତବର୍ଷ ମା’ଙ୍କ ପୀଠରେ ଶାନ୍ତି ଶୃଙ୍ଖଳାର ସହ ମା ଭଦ୍ରକାଳୀ ଙ୍କ ପୀଠରେ କିପରି ଭକ୍ତମାନେ ମା’ଙ୍କ ଦରଶନ କରିବେ ସେଥିପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି ବୋଲି ଭଦ୍ରକ ଏସପି ମନୋଜ ରାଉତ ପ୍ରକାଶ କରୁଛନ୍ତି ।