ଭଦ୍ରକ (ହରିହର ନାୟକ): ଭଦ୍ରକ ହେବ ସ୍ମାର୍ଟ ସହର। ଆଉ ଧାମରା ହେବ ମଡେଲ ସହର। ଏମିତି ପରିକଳ୍ପନା କରି ବିଜେଡି ସରକାର ଭଦ୍ରକ ଜିଲ୍ଲାବାସୀଙ୍କୁ ୨୪ ବର୍ଷ କାଳ ସ୍ଵପ୍ନ ଦେଖାଇ ଶେଷରେ ବିଦା ହୋଇଗଲା। ଏବେ ବିଜେପି ସରକାର କ୍ଷମତାରେ ରହିଥିବା ବେକେ ଭଦ୍ରକ ସ୍ମାର୍ଟ ସହର ପାଇଁ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଅଣ୍ଟା ଭିଡିଛନ୍ତି। ଭଦ୍ରକର ମୁଖ୍ୟ ରାସ୍ତା ଓ ଷ୍ଟେସନ ରାସ୍ତା ପାଇଁ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର କରି ଏହାର ଶିଳାନ୍ୟାସ କରିଛନ୍ତି। ଭଦ୍ରକ ସହରର ଉଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇ ରାସ୍ତା କାମ, ଭେଣ୍ଡିଂ ଜୋନ କାମ ଆରମ୍ଭ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଭଦ୍ରକ ସହରର ବିକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେକେ ଧାମରା ସହରକୁ ଅଣଦେଖା କରାଯାଉଛି। ଧାମରା ହେବ ବନ୍ଦର ନଗରୀ। ଚମକିବ ଏହି ମଡେଲ ସହର। ଏମିତି ସ୍ବପ୍ନ ବିଜେଡି ସରକାର ଦେଖାଇ ଥିଲା। ବିଜେଡି ଯେମିତି ଧାମରା ବିକାଶର ସ୍ବପ୍ନ ଦେଖଇ କିଛି କଲା ନାହିଁ। ବିଜେପି ମଧ୍ୟ କ୍ଷମତାକୁ ଆସିବାର ଦୁଇ ବର୍ଷ ବିତିବାକୁ ଯାଉଛି। ଏଠାରେ କିଛି ବିକାଶ କଲା ନାହିଁ। ବିଜେଡି ଧାମରା କୁ ଏନ୍ ଏ ସି ଘୋଷଣା କରିବ ବୋଲି ପ୍ରତିଶ୍ରୁତି ଦେଇ ଠକିଦେଲା। ଏବେ ବିଜେପି ମଧ୍ୟ ଧାମରା କୁ ଏନ୍ ଏ ସି ଘୋଷଣା କରିନାହିଁ। ଧାମରା ବାସୀଙ୍କ ସ୍ବପ୍ନ ହୋଇଛି ଚୂରମାର।
ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲାର ପ୍ରମୁଖ ସହର ଓ ରାଜ୍ୟ ଅର୍ଥନୀତିର ବିକାଶ ଦିଗରେ ଏକ ପ୍ରମୁଖ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ଧାମରା ବନ୍ଦରାଞ୍ଚଳ ହେବ ମଡେଲ ସହର। ଏଭଳି ସ୍ୱପ୍ନ ପୂର୍ବର ରାଜ୍ୟ ସରକାର ଧାମରାବାସୀଙ୍କୁ ଦେଖାଇ ଥିଲେ। ପ୍ରାୟ ୨୨ ଲକ୍ଷ ଟଙ୍କା ବ୍ୟୟରେ ଟାଉନ୍ ପ୍ଲାନିଂ ଦ୍ଵାରା ଏହି ସହରର ସର୍ଭେ କରାଯାଇଥିଲା। ୨୦୦୭ ମସିହାରୁ ବନ୍ଦର ନିର୍ମାଣ ହୋଇ ୨୦୧୧ ମସିହାରୁ କାର୍ଯ୍ୟକ୍ଷମ ହୋଇଥିଲା। ସେତେବେଳେ ସରକାର ଏହାକୁ ଏକ ବିଶ୍ଵସ୍ତରୀୟ ବନ୍ଦରର ପରିକଳ୍ପନା କରିଥିଲେ। ବନ୍ଦର ଆଗାମୀ ଦିନରେ ବିକାଶର ବଡ ଅର୍ଥନୈତିକ ମାନଦଣ୍ଡରେ ପରିଣତ ହେବ। ଏହି ବନ୍ଦରକୁ ଭିତ୍ତି କରି ଏଠାରେ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା କଥା କହି ଲୋକଙ୍କ ଠାରୁ କମି ଅଧିଗ୍ରହଣ କରାଯାଇଥିଲା।
କେଉଁଠି ଅଟକି ଗଲା ପରିକଳ୍ପନା?
ଏବେ ମଧ୍ୟ ଲୋକଙ୍କ ଜମିକୁ ଶାଗମାଛ ଦରରେ କିଣାଯାଉଛି। ଧାମରା ସହର ରାଜ୍ୟର ଏକ ମଡେଲ ସହର ହେବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷକୁ ଟାଉନ୍ ପ୍ଲାନିଂ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବାସୁଦେବପୁର ପୌରାଞ୍ଚଳ, ଧାମରା ଓ ଧାମନଗର ଏନଏସି ଅଞ୍ଚଳକୁ ନେଇ ଜିଲ୍ଲା ଟାଉନ୍ ପ୍ଲାନି ପକ୍ଷରୁ ସର୍ଭେ କାର୍ଯ୍ୟ କରାଯାଇଥିଲା। ସ୍କାଏ ଗ୍ରୁପ ଏହାର ସର୍ଭେ କରିଥିଲା। ସେଟ୍ ଲାଇଟ୍ ସର୍ଭେ ପରେ ଅଞ୍ଚଳର କ୍ଷେତ୍ରୀୟ ସର୍ଭେ କରାଯାଇ ରାଜସ୍ବ ବିଭାଗ ପ୍ରଶାସନ ଓ ସରକାରଙ୍କୁ ଏହାର ରିପୋର୍ଟ ଦେଇଥିଲେ। ଧାମରା ଏକ ଏନ୍ଏସି ହେବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ବିଜେଡି ସରକାର ଅମଳରେ କରାଯାଇଥିଲା। ମାତ୍ର ବିଜେପି କ୍ଷମତାକୁ ଆସିବା ପରେ ଧାମରା ଏନ୍ ଏ ସି ଘୋଷଣା ଦିଗରେ ନୀରବ ରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଦୃଷ୍ଟି ଦେଲେନି ବ୍ୟୋମକେଶ?
ସେତେବେଳେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିଲେ। କିନ୍ତୁ ବିଧାୟକ ଶ୍ରୀ ରାୟ ଧାମରା ଅଞ୍ଚଳର ବିକାଶ ଦିଗରେ ଅଧିକ ଦୃଷ୍ଟି ଦେଲେ ନାହିଁ। ଯେଉଁଠି ପାଇଁ ଧାମରା ଏନ୍ଏସି ବିଜେଡି ସରକାର ଅମଳରେ କରିପାରିଲେ ନାହିଁ। ଏବେ ମଧ୍ୟ ବ୍ୟୋମକେଶ ରାୟ ଏଠାରେ ବିଧାୟକ ଅଛନ୍ତି। ମାତ୍ର ଧାମରା ଏନ୍ଏସି ଗଠନ ପାଇଁ ସେ ଯେଭଳି ଭାବରେ ବିଧାନ ସଭାରେ ଓ ବିଧାନସଭା ବାହାରେ ଦାବି ଉଠାଇବା କଥା ତାହା କରୁ ନାହାନ୍ତି। ଧାମରା ଏନ୍ଏସି ଗଠନ ଓ ଧାମରା ମଡେଲ ସହର ପରିକଳ୍ପନା ସଫଳ ହେବାକୁ ହେଲେ ରାଜ୍ୟ ବିଜେପି ସଭାପତି ମାନୋହନ ସାମଲ ଚାହିଁଲେ ଧାମରାର ଭାଗ୍ୟ ବଦଳି ଯିବ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: Ajit Pawar Plane Crash: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ର ରାଜନୀତିରେ ଅନେକ ପ୍ରଶ୍ନବାଚୀ
ମନମୋହନଙ୍କର ବହୁ ଭୂମିକା
ଅତୀତରେ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ସରକାର ବେକେ ମନମୋହନ ସାମଲ ରାଜ୍ୟର ରାଜସ୍ବ ମନ୍ତ୍ରୀ ରହିଥିଲେ। ତାଙ୍କରି ସମୟରେ ଧାମରାର ଜମି ଅଧିଗ୍ରହଣ କରାଯାଇ ବନ୍ଦର ପ୍ରତିଷ୍ଠା କରାଯାଇଥିଲା। ଏହି ବନ୍ଦର ପ୍ରତିଷ୍ଠା କାମ ସୁଚାରୁ ରୁପେ ସଂପାଦନ କରାଯାଇ କାର୍ଯ୍ୟକ୍ଷମ ହେବାରେ ମନମୋହନଙ୍କର ବହୁ ଭୂମିକା ରହିଥିଲା। ଏବେ ବି ଧାମରାବାସୀଙ୍କର ଭରସା ଅଛି ମନମୋହନ ଚାହିଁଲେ ଧାମରା ବନ୍ଦର ସହରର ଭାଗ୍ୟ ବଦଳି ପାରିବ। ଯଦିବା ଏଠାରୁ ମନମୋହନ ଗତ ସାଧାରଣ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତଥାପି ଲୋକଙ୍କ ବିଶ୍ୱାସ ତାଙ୍କ ଉପରେ ରହିଛି।
ଆହୁରି ପଢ଼ନ୍ତୁ: america vs iran: ଆମେରିକାକୁ ବଡ଼ ଝଟକା: ଲଞ୍ଚପ୍ୟାଡ୍ ହେବାକୁ ମନା କଲେ ସାଉଦି ଆରବ-ୟୁଏଇ
୫୭ଟି ରାଜସ୍ବ ଗ୍ରାମକୁ ନେଇ ସର୍ଭେ
ଧାମରା ଅଞ୍ଚଳରେ ୫୭ଟି ରାଜସ୍ବ ଗ୍ରାମକୁ ନେଇ ସର୍ଭେ ଶେଷ ହୋଇଥିଲା। ଏହାର ଆୟତନ ହେଉଛି ୧୧୩, ୨୫ ବର୍ଗ କିଲୋମିଟର। ୨୦୪୦ ମସିହା ପର୍ଯ୍ୟନ୍ତ ବିକାଶକୁ ଆଖିରେ ରଖାଯାଇ ଧାମରା ସହର ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ପ୍ଲାନିଂ ଜୋନ୍ ଭିତରେ ଟ୍ରାଫିକ୍ ସିଷ୍ଟମ, ସାଧାରଣ ପରିବହନ, ବସ୍ ଟ୍ରକ୍, ଡଙ୍ଗା, ସଡକପଥ, ଜଳ ନିଷ୍କାସନ, ପାନୀୟ ଜଳ ଯୋଗାଣ, ପରିମଳ ଓ ପରିମଳ ବିଶୋଧନାଗାର, ବାଣିଜ୍ୟସ୍ଥଳ, ଶିକ୍ଷା, ସ୍ୱାସ୍ଥ୍ୟ, ଖେଳ ପଡିଆ, ବାତ୍ୟା ଆଶ୍ରୟସ୍ଥଳ, ପର୍ଯ୍ୟଟନ ସୁଯୋଗ, ସହର ସୌନ୍ଦଯ୍ୟକରଣ, ବୃକ୍ଷରୋପଣ ଉପରେ ଗୁରୁତ୍ବ ଦିଆଯିବ ବୋଲି ଯୋଜନା କରାଯାଉଥିଲା। ବିଶେଷକରି ବିଦେଇପୁର ଠାରୁ ଏହି ସହର ଯୋଜନାକୁ ଆରମ୍ଭ କରାଯିବ ବୋଲି ପ୍ଲାନିଂ ପ୍ରସ୍ତୁତ କାରାଯିଛି। ଧାମରା ରୟାର ଷ୍ଟ୍ରିପ ଠାରୁ ଆରମ୍ଭ କରି ଶିଳ୍ପ ପାର୍କ ପ୍ରତିଷ୍ଠା ପର୍ଯ୍ୟନ୍ତ ଏହି ସହର ବିକାଶ ଯୋଜନାରେ ସାମିଲ କରାଯାଇଛି। ଧାମରା ମଡେଲ ସହର ଓ ଏହାର ବିକାଶ ଦିଗରେ ଜିଲ୍ଲାପାଳ ଦିଲୀପ ରାଉତରାୟ କହନ୍ତି, ଧାମରାର ବିକାଶ ପାଇଁ ଓ ଏହି ସହରକୁ ନୂଆ କରି ଗଢ଼ାଯିବା ନେଇ ସରକାରଙ୍କର ନଗର ଉନ୍ନୟନ ବିଭାଗକୁ ସମସ୍ତ ପ୍ରକାର କ୍ଷେତ୍ରୀୟ ରିପୋର୍ଟ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ମଧ୍ୟ ଧାମରା ବନ୍ଦର ସହରର ବିକାଶ ଦିଗରେ ସକରାତ୍ମକ କାର୍ଯ୍ୟ ଆରମ୍ଭ କରିବା ନେଇ ପ୍ରୟାସ ଆରମ୍ଭ କରିଛନ୍ତି।
Follow Us