ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୋଧରେ ବିଜେପିର ଦାବିପତ୍ର

Advertisment
ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୋଧରେ ବିଜେପିର ଦାବିପତ୍ର

ଭଦ୍ରକ: ବିଦ୍ୟୁତ ଦର ଶୁଳ୍କ ବୃଦ୍ଧି ବିରୋଧରେ ବିଜେପିର ଦାବି ଜୋର ଧରିଛି। କ୍ରମାଗତ ଭାବେ ବିଦ୍ୟୁତ ଶୁଳ୍କ ବୃଦ୍ଧି ଦ୍ୱାରା ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ରାଜ୍ୟ ସରକାର ଦୋହାଲାଇ ଦେଉଥିବା ପ୍ରତିବାଦରେ ଭାରତୀୟ ଜନତା ଦଳ ପକ୍ଷରୁ ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ ଓ ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓଡିଶା ସରକାର ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଗତ ୩୦ ବର୍ଷ ଧରି ବିଭିନ୍ନ କମ୍ପାନିଙ୍କୁ ନିୟୋଜିତ କରି ଆସୁଛନ୍ତି। ଏବେ ଟାଟା କମ୍ପାନିକୁ ଦାଇତ୍ୱ ଦିଆଯାଇଛି। ମାତ୍ର ବିଦ୍ୟୁତ ବିତରଣ କ୍ଷେତ୍ରରେ ହେଉଥିବା ସମସ୍ତ କ୍ଷତିକୁ ଭରଣା କରିବା ସହ ଅଧିକ ଲାଭ ଆଶାରେ ଶୁଳ୍କବୃଦ୍ଧି ମାଧ୍ୟମରେ ଉପଭୋକ୍ତାମାନଙ୍କ ଠାରୁ ଆଦାୟ କରାଯାଉଛି।

ବିଧାନସଭା ଅଧିବେଶନ ସମୟରେ ବିଜେପି ବିଧାୟକଙ୍କ ମୁଲତବି ପ୍ରସ୍ତାବ ଆଧାରରେ ସରକାର ରିଭ୍ୟୁ ପିଟିସନ ମାଧ୍ୟମରେ ସଂଶୋଧନ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ଟାଳି ଦିଆଯାଇଛି। ବିଶେଷ କରି କରୋନା ମହାମାରୀ ସମୟରେ ଏହି ଶୁଳ୍କ ବୃଦ୍ଧି ଅସହ୍ୟ ହୋଇଛି। ଏହାର ପ୍ରତିବାଦ କରାଯିବା ସହ ବିଦ୍ୟୁତ ଶୁଳ୍କ କମାଯିବା, ପ୍ରଥମ ଶହେ ୟୁନିଟ୍‌କୁ ଗୋଯିଏ ସ୍ଲାବରେ ରଖାଯିବା, ଗ୍ରାମାଞ୍ଚଳରେ ଲୋ ଭୋଲେଟେଜ ସମସ୍ୟାର ସମାଧାନ କରାଯିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯାଇ ୨୪ଘଣ୍ଟିଆ ବିଜୁଳି ଯୋଗାଣ କରାଯିବା, କୃଷିକ୍ଷେତ୍ର ଓ ଶୀତଳଭଣ୍ଡାର ବିଦ୍ୟୁତ ପାଇଁ ସବସିଡି ପ୍ରଦାନ କରାଯିବା ଓ ବକେୟା ଆଦାୟ ବେଳେ ଜୁଲମ ନକରିବା ଆଦି ଦାବିରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପିର ଦାବି ପ୍ରତି ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଡାକ୍ତର ପ୍ରଦୀପ ନାୟକ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe