Photo by: Times Now
ଭଦ୍ରକ : ଆଜି ମଧ୍ୟାହ୍ନରେ ଭଦ୍ରକ ସହରର ଜନଗହଳିପୂର୍ଣର୍ ନୂଆବଜାର ଷ୍ଟେଟ୍ ବ୍ୟାଙ୍କ ଶାଖା ସାମ୍ନାରୁ ଦୁଇ ଲୁଟେରା ୧୦ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ଲୁଟେରା ଦୁହେଁ ଏକ କଳା ରଙ୍ଗର ପଲ୍ସରରେ ଆସିଥିଲେ। ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ଭଦ୍ରକ ବ୍ଲକର ଗେଲପୁର ଅଞ୍ଚଳର ଅନିଲ ନାୟକଙ୍କ ହାତରୁ ଟଙ୍କାଭର୍ତି ବ୍ୟାଗ୍ ନେଇ ପଳାଇଥିଲେ। ଖବର ପାଇ ପୁଲିସ ତଦନ୍ତ ଜାରି ରଖିଛି। ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ପତ୍ତା ମିଳିନାହିଁ। ଏତିକି ହୋଇଛି, ପୁଲିସ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।
ଅପରାହ୍ନ ପ୍ରାୟ ଦୁଇଟା ବେଳେ ଏହି ଘଟଣା ଘଟିଥିଲା। ଅନିଲ ବ୍ୟାଗରେ ଟଙ୍କା ନେଇ ଆସୁଥିବା ବେଳେ ଲୁଟେରା ଦୁହେଁ ତାଙ୍କ ପିଛା କରୁଥିଲେ। ସୁଯୋଗ ଉଣ୍ଡି ବ୍ୟାଙ୍କ ସମ୍ମୁଖରୁ ସେମାନେ ଲୁଟି ପଳାଇବାରେ ସକ୍ଷମ ହୋଇଥିଲେ। ସମସ୍ତଙ୍କ ଆଖି ସାମ୍ନାରେ ଏ ଘଟଣା ଘଟିଥିଲେ ବି କେହି କିଛି କରିବା ପୂର୍ବରୁ ଲୁଟେରା ଦୁହେଁ ପାର୍ହୋଇ ଯାଇଥିଲେ। ଖବର ପାଇ ଭଦ୍ରକ ଟାଉନ ପୁଲିସ ବିଭିନ୍ନ ସ୍ଥାନରେ ଖାନତଲାସ ଜାରି ରଖିଛି। ହେଲେ କିଛି ସନ୍ଧାନ ମିଳିନାହିଁ। ଏଣେ ଦୁଇ ଜଣ ଯୁବକଙ୍କୁ ପୁଲିସ ସନ୍ଦେହରେ ଅଟକ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଆଇଆଇସି ମନୋଜ ରାଉତ ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣା ପରେ ସହରରେ କଳା ପଲ୍ସର ଲୁଟେରାଙ୍କୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।
Follow Us