ଅଲିଭ୍‌ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳରେ ବଣଭୋଜି!

Advertisment
ଅଲିଭ୍‌ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳରେ ବଣଭୋଜି!

ଧାମରା: ବିରଳ ବନ୍ୟପ୍ରାଣୀ ଅଲିଭ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଧାମରା ବଙ୍ଗୋପସାଗର ଉପକୂଳ ବାବୁବାଲିଠାରେ ନାଚଗୀତର ଆସର। ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଆଜି ବାବୁବାଲି ସମୁଦ୍ରକୂଳରେ ଏକାଠି ହୋଇଥିଲେ ୨ ଶହରୁ ଅଧିକ ଲୋକ। ସେଠାରେ ବଣଭୋଜି ପାଇଁ ବେଳାଭୂମିରେ ତମ୍ବୁ ଟାଣିବା ସହ ଉଚ୍ଚସ୍ବରରେ ସାଉଣ୍ତ ବକ୍ସ ଲଗାଇ ନାଚଗୀତରେ ମସଗୁଲ ହୋଇଥିଲେ। ତେବେ ବନ ବିଭାଗର ବିନା ଅନୁମତିରେ ଏତେସଂଖ୍ୟକ ଲୋକ ସେଠାରେ ବଣଭୋଜି କରିବା ଏବଂ ପରିବେଶକୁ ଦୀର୍ଘ ସମୟ ଧରି କୋଳାହଳ କରିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପରିବେଶବିତ। ବନ ବିଭାଗର ଜାଣତରେ ଏସବୁ ଚାଲିଥିଲେ ମଧ୍ୟ ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ କେହି ଏ ବାବଦରେ ପାଟି ଫିଟାଇନଥିଲେ କି ସେମାନଙ୍କୁ ରୋକିବାକୁ ଉଦ୍ୟମ କରିନଥିଲେ। ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦର ସ୍ବର ଉଠିବା ସହ ଏହାର ବିଧିବଦ୍ଧ ତଦନ୍ତ ଦାବି କରାଯାଇଛି।
ସାଧାରଣତଃ ଡିସେମ୍ବରରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଅଲିଭ୍‌ ରିଡଲେ କଇଁଛ ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ଗଣଅଣ୍ଡାଦାନ କରିଥାନ୍ତି। ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାର ବାବୁବାଲି ବେଳାଭୂମି ଅନ୍ୟତମ। ସୁଦୂର ଇଣ୍ଡୋନେସିଆ, ଅଷ୍ଟ୍ରେଲିଆରୁ ହଜାର ହଜାର ମାଇଲ ସମୁଦ୍ରପଥ ଅତିକ୍ରମ କରି ଅଲିଭ୍‌ ରିଡଲେ ଏହି ବେଳାଭୂମିରେ ଅଣ୍ତାଦାନ କରିବା ପରେ ଅଣ୍ତାକୁ ବାଲିରେ ପୋତି ପୁଣି ସମୁଦ୍ରକୁ ଫେରିଯାଆନ୍ତି। କଇଁଛଙ୍କ ଗଣ ଅଣ୍ତାଦାନ ସମୟ ଓ ଅଣ୍ତା ଫୁଟି ଛୁଆ ବାହାରିବା ପର୍ଯ୍ୟନ୍ତ ଏହି ଅଞ୍ଚଳର ସୁରକ୍ଷାକୁ କଡ଼ାକଡ଼ି କରାଯାଇଥାଏ। ଏହାର ସଂପୂର୍ଣ୍ଣ ତଦା‌ରଖ ଓ ଜଗାରଖା ଦାୟିତ୍ବ ବନ ବିଭାଗର। ଏହି ସମୟ ମଧ୍ୟରେ ବେଳାଭୂମିକୁ କୌଣସି ଜନସାଧାରଣଙ୍କୁ ଯାତାୟାତ ମଧ୍ୟ ମନା। ହେଲେ ଆଜି ଏ ନିୟମକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ଧାମରା ଅଞ୍ଚଳରୁ ବଣଭୋଜି କରିବାକୁ ଆସିଥିବା ଶତାଧିକ ଲୋକ। ଯେଉଁଥି ପାଇଁ ଆଜି ଅଲିଭ୍‌ ରିଡଲେ କଇଁଛଙ୍କ ଗଣ ଅଣ୍ତାଦାନରେ ବ୍ୟାଘାତ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ସାମାଜିକ କର୍ମୀ। ବନ କର୍ମଚାରୀଙ୍କ ଉପସ୍ଥିତିରେ ଏ ସବୁ କେମିତି ସମ୍ଭବ ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ବିରୋଧାଭାସ ପରେ ବନପାଳ କୁମୁଦ ସାହୁ ବେଳାଭୂମିରୁ ତମ୍ବୁ ହଟାଇବା ସହ ଉକ୍ତ ସ୍ଥାନ ଛାଡ଼ିଯିବାକୁ କହିଥିଲେ। ବହୁ ବାକବିତଣ୍ତା ପରେ ବଣଭୋଜି ପାଇଁ ଆସିଥିବା ବ୍ୟକ୍ତିମାନେ ସେଠାରୁ ତମ୍ବୁ ଉଠାଇଥିଲେ। ଏ ସଂକ୍ରାନ୍ତରେ ଭଦ୍ରକ ଜିଲ୍ଲା ବନ୍ୟପ୍ରାଣୀ ଡିଏଫଓ ଓ ପିସିସିଏଫଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସାମାଜିକ କର୍ମୀ ସଜବାଜ ହୋଇଥିବା ଜଣାପଡ଼ିଛି। ରାଜନୈତିକ ଚାପରେ ବନ ବିଭାଗ ଏହି ଘଟଣାରେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe