ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଧାମନଗର ନିର୍ବାଚନ ମଣ୍ଡଳୀରେ ୭ଟି ସେତୁ ନିର୍ମାଣ ହେବ। ଧାମନଗର ବିଧାୟକ ତଥା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏହି ସେତୁ ନିର୍ମାଣ ପ୍ରସ୍ତାବ ଉପରେ ଫିଜିବିଲିଟି ରିପୋର୍ଟ ମାଗିଛନ୍ତି ଗ୍ରାମ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ। ଧାମନଗର ନିର୍ବାଚନ ମଣ୍ଡଳୀର ତିହିଡ଼ି ବ୍ଲକ ଅନ୍ତର୍ଗତ ବିଲଣା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ନାଳିଆ ନଦୀ ଉପରେ ବଳିଆରପୁର ଅଞ୍ଚଳକୁ ଥିବା ସେତୁଟି ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ବନ୍ୟା ସମୟରେ ଏହି ସେତୁ ବୁଡ଼ିଯାଉଛି। ଫଳରେ ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

Advertisment

ଏଠାରେ ଏକ ନୂତନ ଓ ଉଚ୍ଚ ସେତୁ ନିର୍ମାଣ ପାଇଁ ବହୁ ଦିନରୁ ଲୋକଙ୍କ ଦାବି ହୋଇଆସୁଥିଲା। ଏହାକୁ ଦୃଷ୍ଟିରେ ରଖି  ଏଠାରେ ଏକ ନୂତନ ସେତୁ ନିର୍ମାଣ ଲାଗି ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ସେହିଭଳି ଏହି ଅଞ୍ଚଳ ଦେଇ ବହି ଯାଇଥିବା କପାଳି ନଦୀର କାସିମପୁର ପତିସାହି ନିକଟରେ, କାଁପଡ଼ା ପଞ୍ଚୟତ ବରଣକୁଳରେ, ବାରୋ ପଞ୍ଚାୟତ ଅଖୁମାହାରା ଛକ ନିକଟରେ ନାଳିଆ ନଦୀରେ ସେତୁ ନିର୍ମାଣ ଲାଗି ପ୍ରସ୍ତାବ ଦେଇଛନ୍ତି। ରାମେଶ୍ବରପୁର ଗ୍ରାମ୍ୟ ଭନ୍ନୟନ ରାସ୍ତାରୁ କରଦା ରାସ୍ତାକୁ ସଂଯୋଗକାରୀ ସେତୁଟି ଅତି ବିପଦସଙ୍କୁଳ ହୋଇଥିବାରୁ ସେଠାରେ ନୂତନ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ବିଲଣା ପଞ୍ଚାୟତରେ ନୂତନ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ଅଞ୍ଚଳରେ ‘ସେତୁ ବନ୍ଧନ’ ଯୋଜନାରେ ପ୍ରସ୍ତାବ ଦେବାକୁ ବିଭାଗୀୟ ନିର୍ଦେଶ ଦିଆଯିଛି। 

ସେତୁ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନଗୁଡ଼ିକ

  • କପାଳି ନଦୀ – କାସିମପୁର ପତିସାହି

  • କାଁପଡ଼ା ପଞ୍ଚାୟତ – ବରଣକୁଳ

  • ବାରୋ ପଞ୍ଚାୟତ – ଅଖୁମାହାରା ଛକ

  • ରାମେଶ୍ୱରପୁର–କରଦା ସଂଯୋଗ ସେତୁ

  • ବିଲଣା ପଞ୍ଚାୟତ – ନୂତନ ସେତୁ

  • ତଳଗୋପବିନ୍ଧା – ଐଶନ୍ୟଚଣ୍ଡୀ ମନ୍ଦିର ନିକଟ

  • ଗଳଗଣ୍ଡପୁର – ସାଳନ୍ଦୀ ନଦୀ

ଆହୁରି ପଢ଼ନ୍ତୁ: Orissa HC: ଅଡୁଆରେ ଧାମନଗର ଏନ୍‌ଏସି ଅଧ୍ୟକ୍ଷା: ନୋଟିସ ରଦ୍ଦ ପ୍ରସଂଗକୁ ନେଇ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ

‘ସେତୁ ବନ୍ଧନ’ ଯୋଜନା ପାଇଁ ପ୍ରସ୍ତାବ

୨୬-୨୭ ଆର୍ଥିକବର୍ଷ ‘ସେତୁ ବନ୍ଧନ' ଯୋଜନା ଲାଗି ପ୍ରକଳ୍ପ ପ୍ରସ୍ତାବ ଦେବାକୁ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୩ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଭାଗୀୟ ସମୀକ୍ଷା ବୈଠକରେ ଏ ସମ୍ପର୍କରେ ଆଲୋଚନା ପରେ ପ୍ରକଳ୍ପ ପ୍ରସ୍ତାବ ଦେବାକୁ ବିଭାଗୀୟ ଯନ୍ତ୍ରୀମୁଖ୍ୟ ସବୁ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇତମିଧ୍ଯରେ ସେତୁ ବନ୍ଧନ ଯୋଜନା ମାର୍ଗଦର୍ଶିକାରେ ପରିବର୍ତନ କରାଯାଇଛି। ଯେଉଁଠାରେ ସେତୁ ନିର୍ମାଣ ଲାଗି ପ୍ରସ୍ତାବ ଦିଆଯିବ ସେହିସ୍ଥାନରୁ ୪ କିମି ଦୂରତା ମଧ୍ୟରେ କୌଣସି ସେତୁନଥିବା ଦରକାର। ଉକ୍ତସ୍ଥାନରେ ସେତୁ ନିର୍ମାଣ ଲାଗି ଅନ୍ୟ କୌଣସି ଯୋଜନାରେ ପୂର୍ବରୁ କୌଣସି ପ୍ରସ୍ତାବ ମଞ୍ଜୁର ହୋଇ ନଥିବା ଆବଶ୍ୟକ। ପ୍ରସ୍ତାବ ସହିତ ଏକ ଫିଜିବିଲଟି ରିପୋର୍ଟ ମଧ୍ୟ ସଂଲଗ୍ନ କରାଯିବ। ତେବେ ପ୍ରକଳ୍ପ ପ୍ରସ୍ତାବ ଦେବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳର ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସହ ଆବଶ୍ୟକ ପରାମର୍ଶ କରିବାକୁ କୁହାଯାଇଛି। ନଭେମ୍ବର ୩୦ ତାରିଖ ସୁଦ୍ଧା ପ୍ରକଳ୍ପ ପ୍ରସ୍ତାବ ବିଭାଗୀୟ ଯନ୍ତ୍ରୀ ମୁଖ୍ୟ (ଇଞ୍ଜିନିୟର ଇନ ଚିଫ)ଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ ବୋଲି ବିଭାଗୀୟ  ତାଙ୍କ ଚିଠି ନଂମ୍ୱର - ୩୬୫୬୩) ରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: Silent human voice: ନିରବିଗଲା ହ୍ୟୁମାନଙ୍କ ସ୍ବର: ଅକାଳରେ ଝଡ଼ିଗଲେ, ସଙ୍ଗୀତ ଜଗତ ସ୍ତବ୍ଧ

ଚିଠି ଲେଖିଥିଲେ ମନ୍ତ୍ରୀ

ସେହିପରି ଗଳଗଣ୍ଡପୁରରେ ସାଳନ୍ଦୀ ଉପରେ ସେତୁ ନିର୍ମାଣ ଲାଗି ପ୍ରସ୍ତାବ ଦେଇଛନ୍ତି ମନ୍ତ୍ରୀ। ତଳଗୋପବିନ୍ଧା ପଞ୍ଚାୟତ ଐଶନ୍ୟଚଣ୍ଡୀ ମନ୍ଦିର ନିକଟରେ ନାଳିଆ ନଦୀ ଉପରେ ଥିବା ସେତୁ ବିପଦସଙ୍କୁଳ ଥିବାରୁ ସେଠାରେ ମଧ୍ୟ ନୂତନ ସେତୁ ନିର୍ମାଣ ଲାଗି ପ୍ରସ୍ତାବ ଦେଇଛନ୍ତି। ଗତ ଅକ୍ଟୋବର ୨୨ ତାରିଖରେ ମନ୍ତ୍ରୀ ଶ୍ରୀ ସୂରଜ ନିଜ ନିର୍ବାଚନମଣ୍ଡଳୀର ଏହିସବୁ ସେତୁ ନିର୍ମାଣ ଲାଗି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ବଣ୍ଟନ, ଉଦ୍ଧାର ଓ ଥଇଥାନ ଲାଗି ବନ୍ୟାଞ୍ଚଳର ଏହିସବୁ ସେତୁ ନିର୍ମାଣ ଜରୁରୀ ବୋଲି ମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଥିଲେ। ଏହି କ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗୟର ସଚିବଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଯନ୍ତ୍ରୀ ମୁଖ୍ୟ ଭଦ୍ରକ ଡିଭିଜନ କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀଙ୍କ ପ୍ରସ୍ତାବ କାର୍ଯ୍ୟକାରିତା ପାଇଁ (ଫିଜିବିଲିଟି) ରିପୋର୍ଟ  ନଭେମ୍ବର ମାସ ଶେଷ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।