କଟକ: ଧାମନଗର ଏନ୍‌ଏସି ଅଧ୍ୟକ୍ଷା ନିବେଦିତା ଜେନାଙ୍କ ଅଡ଼ୁଆ ବଢିଛି। ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ତଥା ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ତରଫରୁ ଅଗଷ୍ଟ ୬ରେ ଜାରି ନୋଟିସକୁ ରଦ୍ଦ କରିବାକୁ ନିବେଦନ କରି ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଏଥି ସହିତ ଶ୍ରୀମତୀ ଜେନାଙ୍କ ତରଫରୁ ଦାୟର ରିଟ୍‌ ଅପିଲର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଜଣିକିଆ ବିଚାରପତିଙ୍କ ଅଗଷ୍ଟ ୨୧ର ନିର୍ଦ୍ଦେଶ ବିରୋଧରେ ଖଣ୍ଡପୀଠ ନିବେଦିତା ଜେନାଙ୍କ ତରଫରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

Advertisment

୨୧ ଦିନ ଭିତରେ ଜବାବ

ମାମଲାର ବିବରଣୀରୁ ପ୍ରକାଶ ଯେ ଧାମନଗର ଏନ୍‌ଏସି ଅଧ୍ୟକ୍ଷାଙ୍କୁ ପୌର ପ୍ରଶାସନ ନିର୍ଦ୍ଦେଶକ ଅଗଷ୍ଟ ୬ରେ ନୋଟିସ୍ ଜାରି କରି ୨୧ ଦିନ ଭିତରେ ଜବାବ ରଖିବାକୁ କହିଥିଲେ। ଆଇନ ଅନୁସାରେ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ ସ୍ପଷ୍ଟୀକରଣ ଦେବାକୁ ଅଧ୍ୟକ୍ଷାଙ୍କୁ କୁହାଯାଇଥିଲା। ନୋଟିସ୍‌ରେ ଉଲ୍ଲେଖ କରାଯାଇଥିଲା ଯେ ଧାମନଗର ଏନ୍‌ଏସିର କାଉନସିଲ ବୈଠକ ପ୍ରତି ମାସରେ ଅତି କମରେ ଥରେ ବସୁ ନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଆବଶ୍ୟକ ସଂଖ୍ୟକ କାଉନସିଲ ବୈଠକ ଡାକିବାରେ ଅଧ୍ୟକ୍ଷା ବିଫଳ ହୋଇଛନ୍ତି। ଅଧ୍ୟକ୍ଷାଙ୍କ ଏପରି ପଦକ୍ଷେପ ଓଡ଼ିଶା ପୌର ଆଇନ, ୧୯୫୦ର ଧାରା ୬୩ର ଉଲ୍ଲଂଘନ। ଏଥି ସହିତ ଅଧ୍ୟକ୍ଷାଙ୍କ ବିରୋଧରେ ରହିଥିବା ଅନ୍ୟ କେତେକ ଅଭିଯୋଗ ପ୍ରସଂଗରେ ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Accident: ବାଇକ୍‌ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌, ଅକାଳରେ ଚାଲିଗଲା ୩ ଆରୋହୀଙ୍କ ଜୀବନ

ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍‌ ଅପିଲ

ପୌର ଆଇନର ଧାରା ୫୩ ଅନୁସାରେ ଅଧ୍ୟକ୍ଷାଙ୍କୁ ଏହି ପ୍ରସଂଗରେ ସ୍ପଷ୍ଟୀକରଣ ୨୧ ଦିନ ଭିତରେ ଭଦ୍ରକଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଥିଲା। ଏହି ନୋଟିସକୁ ଚାଲେଞ୍ଜ କରି ଅଧ୍ୟକ୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ଏପରି ନୋଟିସ୍ ଜାରି କରାଯାଇଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ଅଧ୍ୟକ୍ଷାଙ୍କ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ନୋଟିସର ଅଧ୍ୟକ୍ଷା ଜବାବ ରଖି ପାରିବେ ବୋଲି କହିଥିଲେ। ଏହାପରେ ଜଣିକିଆ ବିଚାରପତିଙ୍କ ଅଗଷ୍ଟ ୨୧ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଅଧ୍ୟକ୍ଷା ଶ୍ରୀମତୀ ଜେନା ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍‌ ଅପିଲ ଦାୟର କରିଥିଲେ। ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ: Human Sagar: ଭୁବନେଶ୍ବର ଏମ୍‌ସରେ ହ୍ୟୁମାନ ସାଗର, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ