ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତସ୍ଥିତ ପାରଡ଼ିଆ ଗ୍ରାମରେ ବାସ କରୁଥିବା ଚିତ୍ତରଂଜନ ମଳିକ  ଓ ତାଙ୍କ ସ୍ତ୍ରୀ ମନ୍ଦାକିନୀ ମଳିକ ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ଦଳିତ ଦଂପତିଙ୍କ ଆର୍ଥିକ ଅବସ୍ଥା ଦୟନୀୟ। ଆର୍ଥିକ ସହାୟତା ପାଇଁ ଚାନ୍ଦବାଲି ଓ ଭଦ୍ରକ ଦୌଡୁଥିଲେ ବି ତାଙ୍କ କଥା କେହି ଶୁଣୁ ନଥିବା ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ମନ୍ଦାକିନୀଙ୍କ ୨ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଏଥି ପାଇଁ ସେ ପରିବାର ନିୟନ୍ତ୍ରଣ ପାଇଁ ମନ ବଳାଇ ଥିଲେ। ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ସେ ନିଜ ଗାଁର ଆଶାଙ୍କୁ କହିଥିଲେ। ଆଶା ଦିଦି ସୁନ୍ଦରପୁର ଉପସ୍ବାସ୍ଥ୍ୟକେନ୍ଦ୍ରର ଏଏନଏମଙ୍କୁ ଏ ବିଷୟରେ ଜଣାଇଥିଲେ।

Advertisment

ପ୍ରତିଶ୍ରୁତି ପାଣିର ଗାର

ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ମାର୍ଚ୍ଚ ୨ ତାରିଖରେ ତାଙ୍କର ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ପାଇଁ ସ୍ଥିର ହୋଇଥିଲା। ସେହିଦିନ ତାଙ୍କର ରକ୍ତ ଓ ଅନ୍ୟ ଆବଶ୍ୟକ ପରୀକ୍ଷା କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା। ଭଦ୍ରକର ସ୍ତ୍ରୀ ଓ ପ୍ରସୂତି ରୋଗ ଜଣେ ଡାକ୍ତର ଏହି ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିଲେ। ଜୁନ ମାସ ନିଜ ପେଟରେ ପିଲା ବଢୁଥିବା ମନ୍ଦାକିନୀ ଅନୁଭବ କରି ଭଦ୍ରକ ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ଯାଇ ଗର୍ଭ ପରୀକ୍ଷା କରି ସେ ଗର୍ଭବତୀ ଥିବା ଜାଣିଥିଲେ। ଏ ବିଷୟରେ ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରିଣୀଙ୍କୁ ଅବଗତ କରିଥିଲେ। ପିଲାଜନ୍ମ ପରେ ତାଙ୍କୁ ନିୟମାନୁଯାୟୀ ଆର୍ଥିକ ସହାୟତ ଦିଆଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆ ଯାଇଥିଲା।

ଆହୁରି ପଢ଼ନ୍ତୁ: Murder: ଘର ପଛପଟେ ପୁଲିସ କନେଷ୍ଟବଳଙ୍କ ମୃତଦେହ ଲୁଚାଇଥିଲା ଅଭିଯୁକ୍ତ

ଦଂପତିଙ୍କ ଆନ୍ଦୋଳନ ଚେତାବନୀ

ଅସ୍ତ୍ରୋପଚାରର ଠିକ ୮ ମାସ ପରେ ନଭେମ୍ବର ୧ ତାରିଖରେ ମନ୍ଦାକୀନି ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ସରକାରୀ ଆର୍ଥିକ ସହାୟତା ପାଇଁ ଏଏନଏମଙ୍କ ଠାରୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି। ହେଲେ ୨୭୭ ଦିନ ପୂର୍ବରୁ ତାଙ୍କର ପ୍ରସବ ହୋଇ ଥିବାରୁ ସେ ସରକାରୀ ସାହାଯ୍ୟ ପାଇବେ ନାହିଁ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ନିରାଶବାଣୀ ଶୁଣାଇଛନ୍ତି। ଏହାକୁ ନେଇ ମନ୍ଦାକିନୀ ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏହାର ତଦନ୍ତ କରାଯାଇ ଅସ୍ତ୍ରୋପଚାର କରିଥିବା ଡାକ୍ତର ଓ ଏଥିରେ ସଂପୃକ୍ତ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ଏଥି ସହିତ ସେହି ଗରିବ ଦଳିତ ପ୍ରସୂତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି। ଯଦି ଆର୍ଥିକ ସହାୟତା ୧୫ ଦିନ ମଧ୍ୟରେ ନମିଳେ ତେବେ ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣାରେ ବସିବେ ବୋଲି ପ୍ରସୁତି ମନ୍ଦାକିନୀ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Expensive Rice: ଜାପାନରେ ବିଶ୍ୱର ସବୁଠାରୁ ମହଙ୍ଗା ଚାଉଳ