ଯନ୍ତ୍ରଣାରେ ଛଟପଟ ହେଉଛି ଶୈଶବ: ପେଟରେ ଟ୍ୟୁମର, ଗୋଡ଼ ଅଚଳ, ଅସ୍ୱାଭାବିକ ଭାବରେ ବଢ଼ୁଛି ହାତ

Advertisment
ଯନ୍ତ୍ରଣାରେ ଛଟପଟ ହେଉଛି ଶୈଶବ: ପେଟରେ ଟ୍ୟୁମର, ଗୋଡ଼ ଅଚଳ, ଅସ୍ୱାଭାବିକ ଭାବରେ ବଢ଼ୁଛି ହାତ

ଚାନ୍ଦବାଲି: ବୟସ ମାତ୍ର ଆଠ ବର୍ଷ, ଖେଳିବା ବୁଲିବା ବୟସରେ ବିଛଣାରେ ପଡ଼ି ରହୁଛି ଅଭିଜିତ୍ ମାଝୀ। ଦୁଇ ଗୋଡ଼ ଅଚଳ ଥିବାରୁ ନା ସେ ଚାଲି ପାରୁଛି ନା ଚକା ମାଡ଼ି ବସି ପାରୁଛି। ପେଟର ଟ୍ୟୁମରର ଯନ୍ତ୍ରଣା ସାଙ୍ଗକୁ ଅସ୍ୱାଭାବିକ ଭାବରେ ବଢ଼ିଚାଲିଛି ହାତରେ ମାଂସ। ତେବେ ପୁଅକୁ ଭଲ କରିବା ପାଇଁ ସର୍ବସ୍ୱ ବିକି ଦେଇଥିବା ବେଳେ ଏବେ ନିଃସ୍ୱ।
ନଡ଼ାଛପର ଘର କରି ପରଘର ଡ଼ିହରେ ମୁଣ୍ଡ ଗୁଞ୍ଜିଛନ୍ତି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ନରେନ୍ଦ୍ରପୁର ଗାଁର ଅଭୟ ମାଝୀ ଓ ଭାରତୀ ମାଝୀ। ଅଭୟ ମାଝୀ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ବେଳେ ପତ୍ନୀ ଓ ୫ପିଲାଙ୍କୁ ନେଇ ବହୁ ଦୁଃଖରେ ଦିନ କାଟୁଛନ୍ତି। ଦିନ ଥିଲା ଅଭୟ ମାଝୀ ଜଣେ ରାଜମିସ୍ତ୍ରୀ ହେଲପର ଭାବରେ କାମ ୭ପ୍ରାଣୀ ମୁହଁରେ ଦାନା ଯୋଗାଉଥିଲା। ୩ବଡ଼ ଝିଅ ଜଣେ ୧୫ ବର୍ଷର ଆଉ ଜଣେ ୧୩ ଏବଂ ୧୦ ବର୍ଷର, ଦୁଇ ପୁଅ ଜଣେ ୮ବର୍ଷ ଓ ଅନ୍ୟଜଣେ ୩ବର୍ଷର। ୩ବର୍ଷ ପୂର୍ବେ ଅଭୟ ରାଜମିସ୍ତ୍ରୀ ନିକଟରେ ହେଲପର କାମ କରୁଥିବା ବେଳେ ମେସିନରେ ଗୋଡ଼ର ୩ଆଙ୍ଗୁଳି କଟିଯିବାରୁ ସେଥିରେ ଭଲ ହେବା ପାଇଁ ପୈତୃକ ସମ୍ପତି ଥିବା ଘର ଡ଼ିହ ବିକ୍ରି କରିଦେଇଥିଲେ। ତେବେ ୪ନମ୍ବର ପୁଅ ଅଭିଜିତର ଦେଢ଼ ବର୍ଷ ହେବ ରୋଗଗ୍ରସ୍ତହୋଇ ଚିକିତ୍ସିତ ହେଉଛି।

ଅଭିଜିତ ଜନ୍ମ ବେଳେ ସବୁକିଛି ଠିକଠାକ୍ ଥିଲା। ଦେଢ଼ ବର୍ଷ ବୟସରେ ହାତର ମାଂସ ଅସ୍ୱାଭାବିକ ଭାବରେ ବଢ଼ିବାରେ ଲାଗିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତରଙ୍କୁ ଦେଖାଇଥିଲେ। ସେଠାରୁ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ଼ ମେଡ଼ିକାଲ ନେଇଥିଲେ। ପୁଅର ଏପରି ଅବସ୍ଥା ଦେଖି ଡ଼ାକ୍ତର ତାଙ୍କ ହାତ କାଟି ଦେବାକୁ କହିଥିଲେ। ହେଲେ ବାପା ମା’ ଡ଼ାକ୍ତରଙ୍କୁ ବହୁ ନେହୁରା ହୋଇ ଚିକିତ୍ସା କରାଇବାକୁ କହିଥିଲେ। ସେବେ ଠାରୁ ଡ଼ାକ୍ତରୀ ଚିକିତ୍ସାରେ ମେଡିସିନ ଖାଇଥିବା ବେଳେ ହଠାତ ପେଟରେ ମଧ୍ୟ ଯନ୍ତ୍ରଣା ହେଲା। ପୁଣି ଡ଼ାକ୍ତରୀ ଚିକିତ୍ସାରେ ପେଟର ପାକସ୍ଥଳୀରେ ଏହା ଟ୍ୟୁମର ହୋଇ ଜାଣିବାକୁ ପାଇବା ପରେ ତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ପରି ବିପଦ ମାଡ଼ି ପଡ଼ିଥିଲା ।

ପୁଅର ଟ୍ୟୁମର ଚିକିତ୍ସା ପାଇଁ କଟକରେ କିଛି ଦିନ ରହିବା ପରେ ଡ଼ାକ୍ତର ଡ଼ିସଚାର୍ଜ କରିଦେଲେ ହେଲେ ଅଭୟଙ୍କ ମନ ନ ବୁଝିବାରୁ ଭୁବନେଶ୍ୱର ଏମ୍ସକୁ ନେଇଥିଲେ ସେଠାରେ ଅପରେସନ ହେବା ପାଇଁ ଆଡ଼ମିସନ କରାଇଥିଲେ, ହେଲେ ଡାକ୍ତର ଦୁଇ ମାସ ପାଇଁ ଔଷଧ ଲେଖି ବିଦା କରିଦେଲେ। ତେବେ ପୁଅକୁ ଭଲ କରିବା ପାଇଁ ଭୁବନେଶ୍ୱର ଏମ୍ସକୁ ଧାଇଁ ଧାଇଁ ନିରାଶ ହୋଇଥିବାର ବେଳେ ଏକ ମାତ୍ର ସମ୍ବଳ ଥିବା ଘରଡ଼ିହ ଖଣ୍ଡିକ ବିକି ଦେଇଥିବା ବେଳେ ଏବେ ପର ଡ଼ିହରେ ନଡ଼ାଛପର ଘର କରି ମୁଣ୍ଡ ଗୁଞ୍ଜିଛନ୍ତି। ତେବେ ଅଭୟ ମାଝୀ ଓ ଭାରତୀ ମାଝୀ ଅତି ଗରିବ ଶ୍ରେଣୀର ପରିବାର ହୋଇଥିବାରୁ ରାସନ କାର୍ଡ଼ ଚାଉଳ ଛଡ଼ା ତାଙ୍କର ଘର ଖଣ୍ଡ ମଧ୍ୟ ନାହିଁ। ଭଙ୍ଗା ଦଦରା ଘରେ ୭ ପ୍ରାଣୀ କୁଟୁମ୍ବ ମୁଣ୍ଡ ଗୁଞ୍ଜିଛନ୍ତି। ତାଙ୍କୁ ତୁରନ୍ତ ସରକାରୀ ସ୍ତରରେ ପୁଅକୁ ଚିକିତ୍ସା କରାଇବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe