୮୦ କିଲୋମିଟର ଦୂର ଯାଇ ବନ୍ୟା ବିପନ୍ନଙ୍କୁ  ଖାଦ୍ୟ ଓ ବସ୍ତ୍ର ବାଣ୍ଟିଲେ ମହିଳା ଚାଷୀ ଛାୟାରାଣୀ

Advertisment
୮୦ କିଲୋମିଟର ଦୂର ଯାଇ ବନ୍ୟା ବିପନ୍ନଙ୍କୁ  ଖାଦ୍ୟ ଓ ବସ୍ତ୍ର ବାଣ୍ଟିଲେ ମହିଳା ଚାଷୀ ଛାୟାରାଣୀ

ବାଲେଶ୍ବର : ଦେଶବ୍ୟାପୀ ଲକଡାଉନ୍‌ ସମୟରେ ନିଜ ଅଞ୍ଚଳର ଶହଶହ ଗରିବ ଓ ଅସହାୟ ଲୋକଙ୍କୁ ପନିପରିବା ଓ ଖାଦ୍ୟ ଯୋଗାଇ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଥିଲେ ଭଦ୍ରକ ଜିଲ୍ଲାର ମହିଳାଚାଷୀ ଛାୟାରାଣୀ ସାହୁ। ଏବେ ବନ୍ୟା ବିପତ୍ତି ସମୟରେ ପୁଣିଥରେ ସେ ନିଜ ପରିବାର ଓ ଗ୍ରାମବାସୀଙ୍କୁ  ଏକାଠି କରି ୧୦୦ କିଲୋମିଟର ଦୂରରେ ଭୋକଉପାସରେ ରହିଥିବା ଲୋକଙ୍କୁ ଖାଦ୍ୟ ଓ ବସ୍ତ୍ର ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କୁରୁଦା ଗ୍ରାମର ମହିଳା ଚାଷୀ ହେଲେ ଛାୟାରାଣୀ ସାହୁ। ନିକଟରେ ଯାଇଥିବା ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାର ବହୁ ଅଞ୍ଚଳ ବନ୍ୟାପାଣିରେ ବୁଡ଼ିଛି। ଲୋକଙ୍କ ଘରଦ୍ବାର ନଷ୍ଟ ହୋଇଥିବା ବେଳେ ଚାଷଜମି ଧୋଇ ହୋଇଯାଇଛି। ଏଭଳି ପରିସ୍ଥିତିରେ ବନ୍ୟା ପ୍ରଭାବିତ ଲୋକମାନେ ଭୋକଉପାସରେ ଏଣେତେଣେ ଆଶ୍ରୟ ନେଇଥିବା ଦେଖାଯାଇଛି। ତେବେ ଶ୍ରୀମତୀ ସାହୁ ନିଜ ସ୍ବାମୀ, ଦୁଇପୁଅଙ୍କ ସହ ଗ୍ରାମର ବୈକୁଣ୍ଠ ସାହୁ, ଶିକ୍ଷାବିତ ଭଗବାନ ମିଶ୍ର, ସପନ ପଣ୍ଡିତ ଓ ତଥାଗତ ରାଉତ ଏବଂ ଅନ୍ୟମାନଙ୍କୁ ଏକାଠି କରି ୩ କ୍ୟୁଣ୍ଟାଲ ଚୂଡ଼ା, ୫୦ କେଜି ଚିନି, ୨ଶହ ଗାମୁଛା, ୫୦ ଖଣ୍ଡ ଶାଢ଼ି, ୩୦ ଖଣ୍ଡ ଧୋତି, ୨୦କେଜି ସୁଜି, ୨୫୦ ପକେଟ୍‌ ବିସ୍କୁଟ ଆଦି ସଂଗ୍ରହ କରିଥିଲେ। ଏହାପରେ ସେଗୁଡ଼ିକୁ ଏକ ଡାଲାଅଟୋରେ ଧରି ବାସୁଦେବପୁରରୁ ଚାନ୍ଦବାଲି ପ୍ରାୟ ୮୦ କିଲୋମିଟର ଦୂର ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇଥିଲେ। ସେଠାରେ ‌ଗାଁ ଗାଁ ବୁଲି ଏହି ଗରିବ ପରିବାରଗୁଡ଼ିକୁ ଏହି ଖାଦ୍ୟ ଓ ବସ୍ତ୍ର ବିତରଣ କରିଥିଲେ। ବନ୍ୟାପାଣିରେ ପଶି ଲୋକମାନଙ୍କ ପାଖରେ ସହାୟତା ପହଞ୍ଚାଉଥିବାର ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ତାଙ୍କର ଏହି ମହତକାର୍ଯ୍ୟକୁ ପ୍ରଶଂସା କରାଯାଇଛି।

ପୂର୍ବରୁ ଗତ ଏପ୍ରିଲ ମାସରେ ସାରାଦେଶ ଲକ୍‌ଡାଉନ ଥିବା ବେଳେ ଗରିବ ଅସହାୟ ଲୋକଙ୍କ ପରିବାର ଭୋକଉପାସରେ ଆଉଟୁପାଉଟୁ ହେଉଥିଲେ। ଏହି ସମୟରେ ଦୋକାନବଜାର ବନ୍ଦ ରହୁଥିବାରୁ ଛାୟାରାଣୀଙ୍କ କ୍ଷେତରୁ ବାହାରୁଥିବା କ୍ୟୁଣ୍ଟାଲ କ୍ୟୁଣ୍ଟାଲ ପନିପରିବା ବିକ୍ରି ହେବାକୁ ବଜାର ଆସିପାରୁନଥିଲା। ତେବେ ଅନ୍ୟ ଚାଷୀଙ୍କ ଭଳି ନିଜ ଝାଳବୁହା ପରିଶ୍ରମରେ ଫଳାଇଥିବା ପନିପରିବାକୁ ପିଙ୍ଗିନଦେଇ କିମ୍ବା ନଷ୍ଟ ନକରି ଲଗାତାର ଦୁଇମାସ ପର୍ଯ୍ୟନ୍ତ ସେହି ଅଞ୍ଚଳର ଗରିବ ଅସହାୟ ପରିବାରକୁ ମାଗଣାରେ ବାଣ୍ଟିଥିଲେ। କେବଳ ଏତିକି ନୁ‌ହେଁ ଲକଡାଉନ କଟକଣାକୁ ବଜାୟ ରଖିବା ଲାଗି ଦିନରାତି ରାସ୍ତା ଉପରେ ଜଗିଥିବା କରୋନାଯୋଦ୍ଧା ପୁଲିସକର୍ମୀଙ୍କୁ ମଧ୍ୟ କ୍ଷୀର ଯୋଗାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe