ମହିଳାଙ୍କ ସୁରକ୍ଷା ନେଇ ‘ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି’ର ଦାବି

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରସ୍ଥିତ ଏକ ଘରୋଇ ଭେଷଜ ମହାବିଦ୍ୟାଳୟରେ ଅଧ୍ୟୟନରତ ଓଡ଼ିଆ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ନ୍ୟାୟିକ ତଦନ୍ତ କରିବା, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆନୁଷ୍ଠାନିକ ହତ୍ୟା ଘଟଣା...

IMG-20251013-WA0015

ଭଦ୍ରକ: ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରସ୍ଥିତ ଏକ ଘରୋଇ ଭେଷଜ ମହାବିଦ୍ୟାଳୟରେ ଅଧ୍ୟୟନରତ ଓଡ଼ିଆ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ନ୍ୟାୟିକ ତଦନ୍ତ କରିବା, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆନୁଷ୍ଠାନିକ ହତ୍ୟା ଘଟଣା ଓ ବଳଙ୍ଗା ଛାତ୍ରୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା, ସହସ୍ର ବର୍ଷର ଭାଇଚାରାର ସହର କଟକରେ ହିଂସା, ଦୋକାନ ଭଙ୍ଗାରୁଜା, ପୁଲିସ ଉପରକୁ ପଥର ଫିଙ୍ଗିବା ଘଟଣାରେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା, ଓଡ଼ିଶାରେ ମହିଳାମାନଙ୍କ ସୁରକ୍ଷାକୁ ଗ୍ୟାରେଣ୍ଟି କରିବା, ମହିଳାମାନଙ୍କ ଜୀବନ ଜୀବିକାର ସୁରକ୍ଷା, ଓଡ଼ିଶା ଜୀବିକା ମିସନ ସମେତ ସମସ୍ତ ସ୍କିମରେ କାମ କରୁଥିବା ମହିଳାମାନଙ୍କୁ ସ୍ଥାୟୀ ଶ୍ରମିକଙ୍କ ମାନ୍ୟତା ଦେବା, ଚଢ଼ା ସୁଧହାରରେ ଋଣ ଯୋଗାଉଥିବା ବିଭିନ୍ନ ଘରୋଇ ଫାଇନାନ୍ସ ମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବା, ଆମ ଦେଶର ସମ୍ବିଧାନ, ନିରପେକ୍ଷ  ନିର୍ବାଚନ ପ୍ରକ୍ରିୟା ଓ ସ୍ୱାଧୀନ ବିଚାର ବ୍ୟବସ୍ଥାର  ସୁରକ୍ଷା ଆଦି ଦାବି ନେଇ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କମିଟି ବୈଠକ ଭଦ୍ରକ ନେତାଜୀ ନଗରସ୍ଥିତ ଜାନକୀ ନିଳୟ ଠାରେ ସଂଗଠନର ଜିଲ୍ଲା ଉପସଭାନେତ୍ରୀ ସୁମତି ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ରାଜ୍ୟ ସଂପାଦିକା ସୁରଜିତା ନାୟକ ଯୋଗଦେଇ ପଶ୍ଚିମବଙ୍ଗ ରାଜ୍ୟର ଓଡ଼ିଆ ଡାକ୍ତର ଛାତ୍ରୀଙ୍କୁ ନ୍ୟାୟ ନମିଳିଲେ ଓଡ଼ିଶା ତମାମ ବୃହତ୍ତର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେବା ସଂଗେସଂଗେ ପଶ୍ଚିମବଙ୍ଗ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଧରେ ସ୍ୱର ଉତ୍ତୋଳନ କରିଥିଲେ।

ଓଡ଼ିଶାରେ ଗତ ବର୍ଷକ ଭିତରେ ୯୩ ଜଣ ମହିଳା ଦୁଷ୍କର୍ମର ଶିକାର ହେବା ଏବଂ ୩୫୦୦ରୁ ଊର୍ଦ୍ଧ୍ବ ନାରୀନିର୍ଯାତନା ବିରୋଧୀ ମକଦ୍ଦମା ବିଭିନ୍ନ ଥାନାରେ ରୁଜୁ ହେବା ଘଟଣା ଓଡିଶାରେ ନାରୀ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିବା ସହ ନାରୀ ନିର୍ଯ୍ଯାତନା ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ। 

ଏହି ବୈଠକରେ ଜିଲ୍ଲା ସଂପାଦିକା ପ୍ରଭାତୀ ଜେନା ସଂଗଠନର  କାର୍ଯ୍ୟ ରିପୋର୍ଟ ଉପସ୍ଥାପନ କରିଥିବା ବେଳେ ଜିଲ୍ଲା କମିଟି ସଭ୍ୟା ସୀତା ଦାସ, ରୋଜାଲିନି ସାମ୍ୟବାଦୀ, ମଧୁସ୍ମିତା ପାକଳ, ପ୍ରତିମା ସ୍ୱାଇଁ, ଶାନ୍ତିଲତା ନାୟକ, ସବିତା ବିଶ୍ବାଳ, ସଞ୍ଜିତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

Bhadrak 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe