ଭାରତ ବନ୍ଦର ପ୍ରଭାବ: ପିକନିକ କରିବାକୁ ଗଲେ ସହରବାସୀ

Advertisment

ଅଧା ସଟରରେ ଚାଲିଲା ବେପାର, ଆମ୍ବୁଲାନ୍ସ ହେଲା ହଟହଟା

ଅଧା ସଟରରେ ଚାଲିଲା ବେପାର, ଆମ୍ବୁଲାନ୍ସ ହେଲା ହଟହଟା

ଭାରତ ବନ୍ଦର ପ୍ରଭାବ: ପିକନିକ କରିବାକୁ ଗଲେ ସହରବାସୀ

ଜୟପୁର: ଶ୍ରମିକ କର୍ମଚାରୀ ସଙ୍ଗଠନ ମାନଙ୍କର ମିଳିତ ମଞ୍ଚ ପକ୍ଷରୁ ସାଧାରଣ ଧର୍ମଘଟ ଆଜି ସଫଳ ହୋଇଛି। ୯ ଦଫା ଦାବିରେ ଠପ ହୋଇଛି ଜନଜୀବନ। ଫଳରେ ସାରା ରାଜ୍ୟରେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିବାବେଳେ କୋରାପୁଟ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ୯ ଦଫା ଦାବି ମଧ୍ୟରେ ଶ୍ରମିକ ଓ କୃଷକ ବିରୋଧୀ ଶ୍ରମ ଓ କୃଷି ଆଇନ ପ୍ରତ୍ୟାହାର, ରେଳ, ବ୍ୟାଙ୍କ, ବୀମା, ପ୍ରତିରକ୍ଷା ଓ ଅନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇ କରଣକୁ ବନ୍ଦ କରିବା, ଗ୍ରାମାଞ୍ଚଳରେ ୨୦୦ ଦିନର କାମ, ମନରେଗାରେ ୫୦୦ ଟଙ୍କା ମଜୁରୀ, ସହରାଞ୍ଚଳ ରୋଜଗାର, ଗରିବଙ୍କୁ ମାସିକ ୭୫୦୦ ଟଙ୍କା ସହାୟତା ଓ ୧୦ କେଜି ଚାଉଳ ପ୍ରଦାନ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ରୋକ ପ୍ରତ୍ୟାହାର, ପ୍ରବାସୀ ଶ୍ରମିକଙ୍କ ପାଇଁ କଡାକଡି ସୁରକ୍ଷା ଆଇନ ଓ ରୋଜଗାର, ନିର୍ମାଣ ଶ୍ରମିକଙ୍କୁ କରୋନା ସହାୟତା, ନବୀକରଣ ଓ ପଞ୍ଜୀକରଣ, ଆଶା, ପାଚିକା, ଅଙ୍ଗନବାଡିକୁ ସରକାରୀ ମାନ୍ୟତା ଓ ସାମାଜିକ ସୁରକ୍ଷା ଇତ୍ୟାଦି ରହିଛି।

publive-image

ସକାଳ ୫ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ଟ୍ରେନ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା। କୋରାପୁଟ ଜିଲ୍ଲା ଜୟପୁର ସହରରେ ଅଧିକାଂଶ ସ୍ଥାନରେ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଜିଲ୍ଲାରେ ପ୍ରଶାସନ ପକ୍ଷରୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଶିକ୍ଷାନୁଷ୍ଠାନ ଛୁଟି କରିଦିଆ ଯାଇଥିଲାବେଳେ ସକାଳ ୯ଟା ସୁଦ୍ଧା ସରକାରୀ କାର୍ଯ୍ୟଳୟରେ କର୍ମଚାରୀଙ୍କୁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ବିକ୍ଷୋଭକାରୀମାନେ ପିକେଟିଂ କରି ପୌରପାଳିକ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କ୍ରୀଟ କାର୍ଯ୍ୟାଳୟ, ଉଦ୍ୟାନ କୃଷି ବିଭାଗ ଓ ବ୍ଲକ କାର୍ଯଳୟ ସହ ବିଭିନ୍ନ ବ୍ୟାଙ୍କକୁ ମଧ୍ୟ ବନ୍ଦ କରିଥିଲେ। ତେବେ ସହରରେ ରହିଥିବା ବିଭିନ୍ନ ବ୍ୟାଙ୍କ ସହ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ସେବା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ତେବେ ବନ୍ଦ ପାଳନ ଯୋଗୁ ରାଜ୍ୟରେ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହୋଇଛି। ଏହାସହ ଡାକସେବା ମଧ୍ୟ ବନ୍ଦ ରହିଥିଲା। କଂଗ୍ରେସ ପକ୍ଷରୁ ମଧ୍ୟ ଧାରଣା ଦିଆଯାଇଥିଲା। ଜିଲ୍ଲା ସଭାପତି ମିନାକ୍ଷୀ ବାହିନିପତିଙ୍କ ସଭାପତିତ୍ବରେ କେନ୍ଦ୍ର ବିରୋଧରେ ନାରାବାଜି କରାଯିବା ସହ ଧାରଣା ଦିଆଯାଇଥିଲା। ଏଥିରେ କଂଗ୍ରେସର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ଭାରତ ବନ୍ଦ କରି କିଏ ପାଉଛି ଫାଇଦା?
କରୋନା କାଳରେ ଏହି ଧର୍ମଘଟ କାହାକୁ ଲାଭ ମିଳୁଛି। ରାଜନୈତିକ ଦଳ ନା ସାଧାରଣ ଲୋକେ? ୧୨ ଘଣ୍ଟା ଧରି ଜନଜୀବନ ଠପ୍ କରି କି ଲାଭ ମିଳୁଛି? କିଏ କ୍ଷତି ସହୁଛି? ଆଜି ଭାରତ ବନ୍ଦ ବେଳେ ବହୁତ ଲୋକେ ହନ୍ତସନ୍ତ ହେବା ପରେ ଆନ୍ଦୋଳନକାରୀଙ୍କୁ ଏମିତି କିଛି ପ୍ରଶ୍ନ କରିଛନ୍ତି ହଇରାଣ ହୋଇଥିବା ସାଧାରଣ ଲୋକେ।

(ରାସ୍ତା କଡ ଜଳଖିଆ ଦୋକାନ ବନ୍ଦ): ବନ୍ଦ କାରଣରୁ ଗାଡି ମଟର ଚାଲୁନଥିବାରୁ ଆଉ ଲୋକଙ୍କ ଗହଳି କମ ଥିବାରୁ ବେପାର ନହେବା ଭୟରେ ଆଜି ରାସ୍ତା କଡ ଜଳଖିଆ ଦୋକାନ ଗୁଡିକ ବନ୍ଦ କରିଦେଇଥିଲେ। କିନ୍ତୁ ମୁଖ୍ୟ ରାସ୍ତାକୁ ଛାଡିଦେଲେ ଅନ୍ୟ ସାହି ଗଳି କନ୍ଦିରେ ଥିବା ଜଳଖିଆ ଦୋକାନ ଗୁଡିକ ଖୋଲା ଯାଇଥିଲା।

(ଟ୍ରାଫିକ ପୋଷ୍ଟ ଫାଙ୍କା ଫାଙ୍କା):ବନ୍ଦ ପ୍ରଭାବରୁ ରାସ୍ତାରେ ଗାଡି ମଟର ଯିବା ଆସିବା ଏତେ ବେଶି ହେଉନଥିଲା। ତେଣୁ ସହରର ଟ୍ରାଫିକ ପୋଷ୍ଟ ଗୁଡିକରେ ଆଜି କୌଣସି କର୍ମଚାରୀ ନଥିଲେ। ଯଦିଓ ସେମାନେ ପୋଷ୍ଟରେ ନରହି କିଛି ଦୁରରେ ବାଇକ ଉପରେ ବସି ରାସ୍ତା ଉପରେ ନଜର ରଖିଥିଲେ। ମାତ୍ର ଟ୍ରାଫିକ ପୋଷ୍ଟ ଫାଙ୍କା ଥିବାରୁ ମନଇଚ୍ଛା ଗାଡି ଚଳାଉଥିଲେ ଲୋକେ।

(ପିକନିକ ସ୍ପଟ ରେ ଭିଡ): ଆଜି ଗୁରୁବାର,ସାଙ୍ଗକୁ ବନ୍ଦର ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ କରି ଲୋକମାନେ ସାଙ୍ଗସାଥି ମେଳରେ ନିକଟସ୍ଥ ସ୍ଥାନ ମାନଙ୍କରେ ଭୋଜି କରିବାକୁ ଚାଲି ଯାଇଥିଲେ। ନିକଟସ୍ଥ ଶିତଳାଗୁଡି, ହାତିଶାଳ, ଗଡପଦର, ପାତ୍ରପୁଟ୍ ଅଞ୍ଚଳରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା।

(ଅଧା ସଟରରେ ଚାଲିଥିଲା ବେପାର): ସଉଦା ବିକ୍ରି କରି ଟଙ୍କା ଉପାର୍ଜନ କରିବାକୁ ଗୋଟିଏ ପଟେ ଦୋକାନ ମାଲିକଙ୍କ ଆଶା ଥିବା ବେଳେ ଅନ୍ୟପଟେ ବନ୍ଦ କରିବାକୁ ବାହାରିଥିବା ଯୁବକ ମାନଙ୍କୁ ଦେଖି ଭୟ କରୁଥିବା ଘଟଣା ଆଜି ଦେଖିବା ଯୋଗ୍ୟ ଥିଲା। ଦୋକାନ ମାଲିକ ଡରରେ ଅଧା ସଟର ଖୋଲି ସଉଦା ସବୁ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା।

(ଆମ୍ବୁଲାନ୍ସ ହେଲା ହଟହଟା): ଆଜିର ବନ୍ଦ ପ୍ରଭାବରେ କେବଳ ଗାଡି ନୁହଁ ରୋଗୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ଏହି ବନ୍ଦରୁ ବାଦ ପଡିନଥିଲା। ଠାରେ ଆନ୍ଦୋଳନକାରୀ ମାନେ ରାସ୍ତା ଉପରେ ଗାଡି ରଖି ରାସ୍ତା ଅବରୋଧ କରିଥିବା ବେଳେ ଜୟପୁର ଠାରୁ ରାବଣାଗୁଡା ଅଭିମୁଖେ ଯାଉଥିବା ତିନି ତିନି ଆମ୍ବୁଲାନସକୁ ଆନ୍ଦୋଳନକାରୀମାନେ ଅଟକାଇଥିଲେ। ଫଳରେ ନାହିଁ ନ ଥିବା ହଇରାଣ ହୋଇଥିଲେ ଆମ୍ବୁଲାନ୍ସ ଚାଳକ ଓ ରୋଗୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe