ସୁଶାସନ ଦିବସରେ ଏମ୍‌ସର ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

Advertisment
ସୁଶାସନ ଦିବସରେ ଏମ୍‌ସର ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ରାଜନେତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଓଡ଼ିଶା ପ୍ରତି ସ୍ବତନ୍ତ୍ର ଭଲପାଇବା ଓ ଶ୍ରଦ୍ଧା ଥିଲା। ଏମ୍‌ସ ଭୁବନେଶ୍ବରର ପ୍ରତିଷ୍ଠା ହେଉ ଅବା ଅନ୍ୟାନ୍ୟ ଏକାଧିକ ବୃହତ୍‌ ବିକାଶମୂଳକ ପ୍ରକଳ୍ପ ପାଇଁ ଶ୍ରୀ ବାଜପେୟୀ ସର୍ବଦା ଓଡ଼ିଶାବାସୀଙ୍କ ହୃଦୟରେ ଅମର ହୋଇ ରହିବେ। ଯୁଗଦ୍ରଷ୍ଟା ଅଟଳ ବିହାରୀଙ୍କ ୯୭ତମ ଜନ୍ମବାର୍ଷିକୀ ତଥା ସୁଶାସନ ଦିବସ ଅବସରରେ ଏମ୍‌ସ ଭୁବନେଶ୍ବର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶନିବାର ଏମ୍‌ସ ଭୁବନେଶ୍ବର ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏମ୍‌ସ ଭୁବନେଶ୍ବର ଭଳି ଏକ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଧନ୍ୟବାଦ ଦେଇଥିଲେ। ଭୁବନେଶ୍ୱରରେ ଏମ୍‌ସ ପ୍ରତିଷ୍ଠା ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବିର‌ାଟ ପରିବର୍ତ୍ତନ ଆସିଥିବା କହିଥିଲେ।

ପୂରା ଦେଶ ଆଜି ସ୍ବର୍ଗତ ବାଜପେୟୀଙ୍କ ଜନ୍ମଦିବସକୁ ସୁଶାସନ ଦିବସ ଭାବରେ ପାଳନ କରୁଛି | ଆଜି ଏମ୍‌ସ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଡିନ୍ (ଏକାଡେମିକ୍ସ) ପ୍ରଫେସର ଦେବାଶିଷ ହୋତା, ଡେପୁଟି ଡାଇରେକ୍ଟର (ଆଡମିନିଷ୍ଟ୍ରେସନ୍) ପି.କେ .ରାୟ, ଭାରପ୍ରାପ୍ତ ମେଡିକାଲ୍‌ ଅଧୀକ୍ଷକ ପ୍ରଫେସର ଅଶୋକ ଜେନା ଏବଂ ମେଜର ଏମ.ସି. ସାହୁ ପ୍ରମୁଖ ଅତିଥି ଥିଲେ। ଏମ୍‌ସ ଭୁବନେଶ୍ୱର ପରିସରରେ ସ୍ୱର୍ଗତ ବାଜପେୟୀଙ୍କ ଏକ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଅଟଳ ବିହାରୀ ୧୫ ଜୁଲାଇ ୨୦୦୩ ରେ ଏମ୍‌ସ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହା ଦେଶର ଦ୍ୱିତୀୟ ଏବଂ ଏକମାତ୍ର ଏମ୍‌ସ ଯାହାର ଭିତ୍ତିପ୍ରସ୍ଥର ଶ୍ରୀ ବାଜପେୟୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା।

ଭାରତରତ୍ନ ଶ୍ରୀ ବାଜପେୟୀଙ୍କ ଜନ୍ମବାର୍ଷିକୀକୁ ସ୍ବତନ୍ତ୍ର କରିବାକୁ ଏମ୍‌ସ ଭୁବନେଶ୍ୱରର ଜାତୀୟ ସେବା ସଂସ୍ଥା(ଏନଏସଏସ) ପକ୍ଷରୁ କ୍ୟାମ୍ପସ୍‌ ନିକଟବର୍ତ୍ତୀ ଅଞ୍ଚଳରେ ସ୍ବଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ଏମ୍‌ସ ମୁଖ୍ୟ ରାସ୍ତା କଡ଼ରେ ଥିବା ଅପରିଷ୍କାର ଅଞ୍ଚଳକୁ ଏନଏସଏସ ସ୍ବେଚ୍ଛାସେବୀ, ଏମ୍‌ସ ପରିଚ୍ଛନ୍ନ କର୍ମଚାରୀ ଏବଂ ୟୁଥ୍‌ ଫର୍ ସେବାର ସ୍ବେଚ୍ଛାସେବୀଙ୍କ ପକ୍ଷରୁ ପରିଷ୍କାର କରାଯାଇଥିଲା। ନିଜର ପାରିପାର୍ଶ୍ବିକ ପରିବେଶକୁ ପରିଷ୍କାର ଏବଂ ସଫାସୁତୁରା ରଖିବାକୁ ମେଡିକାଲ୍ ଏବଂ ନର୍ସିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି ଅବସରରେ ସ୍ଥାନୀୟ ବିକ୍ରେତା ଏବଂ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଏହି ପ୍ରୟାସକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଥିଲା |

ଉଲ୍ଲେଖଯୋଗ୍ୟଯେ ଏମ୍‌ସ ଭୁବନେଶ୍ୱର ପୂର୍ବ ଭାରତର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନରେ ପରିଣତ ହେବା ସହିତ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି। ଏହି ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ରେସିଡେଣ୍ଟ ଡାକ୍ତର, ନର୍ସିଂ ଅଧିକାରୀ, ଛାତ୍ର ଏବଂ କର୍ମଚାରୀ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଏମ୍‌ସ ଭୁବନେଶ୍ୱରକୁ ସଫଳତାର ଶିଖରକୁ ନେବା ସହିତ ଗରିବଙ୍କ ସେବା କରିବାକୁ ପ୍ରତିଜ୍ଞାବଦ୍ଧ ବୋଲି ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମକୁ ଅତିରିକ୍ତ ପ୍ରଫେସର (ଆନାଟୋମି) ଡ. ପ୍ରଭାସ ରଂଜନ ତ୍ରିପାଠୀଙ୍କ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe