ଯୋଗ୍ୟଙ୍କୁ ମିଳୁନି କଳାକାର ଭତ୍ତା

Advertisment
ଯୋଗ୍ୟଙ୍କୁ ମିଳୁନି କଳାକାର ଭତ୍ତା

Photo: Financial Express

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ କଳାକାର ଭତ୍ତା ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ରାଜନୈତିକ ଚାପରେ ହେଉ କିମ୍ବା ହିତାଧିକାରୀ ଚୟନ କ୍ଷେତ୍ରରେ ପ୍ରିୟାପ୍ରୀତି ତୋଷଣ ଯୋଗୁ ହେଉ ଯୋଗ୍ୟତା ଥାଇ ମଧ୍ୟ ବହୁ କଳାକାର ସୁଯୋଗରୁ ବଞ୍ଚିତ ହୋଇଥିବା ବେଳେ ନାମକୁ ମାତ୍ର କଳାକାର ବୋଲାଉଥିବା ଲୋକେ ତାଲିକାରେ ସାମିଲ ହୋଇଛନ୍ତି। ଗତ ୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କଳାକାର ଯୋଜନା ଆରମ୍ଭ ହେବା ପରେ ଭଦ୍ରକ ଜିଲ୍ଲା ପାଇଁ ୧୬୫୨ ଜଣଙ୍କୁ ଏଥିରେ ସାମିଲ କରିବାକୁ ଟାର୍ଗେଟ ପ୍ରଦାନ କରାଯାଇଥିଲା। ତେବେ ଜିଲ୍ଲାରେ ଏତେ ସଂଖ୍ୟକ କଳାକାର ନଥିବାରୁ ସଂସ୍କୃତି ବିଭାଗ ପକ୍ଷରୁ ମାତ୍ର ୧୧୦୬ ଜଣଙ୍କୁ ଯୋଜନାରେ ସାମିଲ କରିବାକୁ ସମର୍ଥ ହୋଇଥିଲେ।

ତେବେ ୨୦୨୧ ମସିହା ବେଳକୁ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ ମଧ୍ୟରୁ ଆହୁରି ୫୬୮ ଜଣ କଳାକାର ହିତାଧିକାରୀ ନିଯୁକ୍ତିର ଆବଶ୍ୟକତା ପଡିଥବା ବେଳେ ଏଥିପାଇଁ ଆବେଦନକାରୀଙ୍କ ସଂଖ୍ୟା ହଜାରେ ଟପି ଯାଇଥିଲା। ଯାହାକୁ ନେଇ ଅଡୁଆରେ ପଡ଼ିଥିଲେ କର୍ତ୍ତୃପକ୍ଷ। ପୂର୍ବରୁ କେବଳ କାଗଜପତ୍ର ତଥ୍ୟକୁ ଆଧାର କରି କଳାକାର ଭତ୍ତା ପାଇଁ ହିତାଧିକାରୀ ଚୟନ ହେଉଥିବା ବେଳେ ନୂତନ ବ୍ୟବସ୍ତାରେ ହିତାଧିକାରୀ ଚୟନ ପାଇଁ କଳାକାର ସମ୍ବଧିତ କାଗଜପତ୍ର ସହିତ ଅଡିସନ ବାଧ୍ୟତା ମୁଳକ କରା ଯାଇଥିଲା। ତେବେ ଏହି ବ୍ୟବସ୍ଥାରେ ବହୁ ଯୋଗ୍ୟ କଳାକାର ଚୟନ ପ୍ରକ୍ରିୟାରୁ ବାଦ ପଡିଥିବା ନେଇ ଅଭିଯୋଗ ହୋଇଛି। ଚୟନ କମିଟି ଯୋଗ୍ୟତା ପରିବର୍ତ୍ତ‌େ ଆବେଦନକାରୀ କଳାକାରଙ୍କ ବୟସକୁ ପ୍ରାଧାନ୍ୟ ଦେବା ଯୋଗୁ ବହୁ ଯୋଗ୍ୟ କଳାକାର ତାଲିକାରୁ ବାଦ ପଡିଥିବା ବେଳେ ବହୁ ଅଯୋଗ୍ୟ କଳାକାର ଭତ୍ତା ତାଲିକାରେ ସାମିଲ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଚୟନ ପ୍ରକ୍ରିୟାରୁ ବାଦ ପଡିଥିବା ବହୁ କଳାକାର। ସେମାନଙ୍କ ଅଭିଯୋଗ ପାର୍ଥୀଙ୍କ ବୟସ ଆଳରେ ହିତାଧିକାରୀ ଚୟନରେ ବ୍ୟାପକ ପ୍ରିୟା ପ୍ରୀତି ତୋଷଣ ହୋଇଛି। ଚୟନ ପେନାଲରେ ଥିବା କିଛି ତଥାକଥିତ କଳାକାରଙ୍କ ଇଙ୍ଗିତରେ ହିତାଧିକାରୀ ଚୟନ ହେବା ଯୋଗୁ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି। ସବୁଠାରୁ ବଡ଼ କଥା ହେଲା ହିତାଧିକାରୀ ଚୟନ କ୍ଷେତ୍ରରେ ଜିଲ୍ଲାର ପ୍ରତ୍ୱେକ ବ୍ଲକକୁ ସମାନ ଗୁରୁତ୍ୱ ଦିଆଯାଇ ନାହିଁ। ହିତାଧିକାରୀ ଚୟନ କ୍ଷେତ୍ରରେ ଜିଲ୍ଲାର ବାସୁଦେବପୁର ଏବଂ ଧାମନଗର ବ୍ଲକକୁ ଅଗ୍ରାଧିକାର ଦିଆ ଯାଇଥିବା ବେଳେ ଅନ୍ୟ ବ୍ଲକ ଏବଂ ସହରାଞ୍ଚଳକୁ ଅନୁରୂପ ଗୁରୁତ୍ୱ ଦିଆଯାଇ ନାହିଁ।

ଏହି ସୂଚନା ଅନୁଯାଇ ବାସୁଦେବପୁର ବ୍ଲକ ଏବଂ ମୁନିସିପାଲିଟିରେ ସର୍ବାଧିକ ୧୪୮ ଜଣ କଳାକାରଙ୍କୁ ତାଲିକାରେ ସାମିଲ କରାଯାଇଥିବା ବେଳେ ଧାମନଗର ବ୍ଳକରେ ୧୨୪ ଜଣଙ୍କୁ ତାଲିକାଭୁକ୍ତ କରା ଯାଇଛି। ଏହି ଦୁଇ ବ୍ଲକ ଭିନ୍ନ ଅନ୍ୟ ୫ ବ୍ଳକରେ ହିତାଧିକାରୀଙ୍କ ସଂଖ୍ୟା ନଗଣ୍ୟ ରହିଛି। ଏହି ସୁଚନା ଅନୁଯାୟୀ, ଚାନ୍ଦବାଲି ବ୍ଳକରେ ସର୍ବନିମ୍ନ ୩୫ ଜଣ, ତିହିଡି ବ୍ଳକରେ ୪୩ ଜଣ, ଭଦ୍ରକ ବ୍ଲକ ଏବଂ ମୁନିସିପାଲିଟିରେ ୪୮ ଜଣ, ଭଣ୍ଡାରିପୋଖରୀ ବ୍ଳକରେ ୬୧ ଜଣ ଏବଂ ବନ୍ତ ବ୍ଳକରେ ୯୧ ଜଣ କଳାକାରଙ୍କ ଭତ୍ତା ତାଳିକାରେ ସାମିଲ କରା ଯାଇଛି। ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀ ଚୟନ ପରେ ଅପେକ୍ଷାରତ ତାଲିକାରେ ଆହୁରି ପ୍ରାୟ ୧ ହଜାର କଳାକାର ରହିଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି। ତେବେ ଜିଲ୍ଲା ପାଇଁ ଆଉ ଟାର୍ଗେଟ ନଥିବାରୁ କେବଳ ମୃତ ଅଥବା ଅଯୋଗ୍ୟ ହିତାଧିକାରୀଙ୍କ ଶୂନ୍ୟସ୍ଥାନ ପୂରଣ କରିବା ଛଡା ଜିଲ୍ଲା ସଂସ୍କୃତି ବିଭାଗ ନିକଟରେ ଅନ୍ୟ କୌଣସି ବିକଳ୍ପ ପନ୍ଥା ନଥିବା କହିଛନ୍ତି କର୍ତ୍ତୃପକ୍ଷ। ତେବେ ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀ ଚୟନରେ ଯୋଗ୍ୟତା ସମ୍ପନ୍ନ କଳାକାରଙ୍କ ବାଦ ଦେଇ ବୟସାଧିକ କଳାକାରଙ୍କୁ ତାଲିକାଭୁକ୍ତ କରାଯିବାର ଯଥାର୍ଥତା ପ୍ରଶ୍ନର ଉତ୍ତରରେ କର୍ତ୍ତୃପକ୍ଷ କହିଛନ୍ତି ଯେ ସରକାରଙ୍କ ନିର୍ଦେଶ ଅନୁଯାୟୀ ଏହି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି।

ତେବେ ଏହା ଯଦି ଠିକ ଜିଲ୍ଲାର ବାସୁଦେବପୁର ଏବଂ ଧାମନଗର ବ୍ଳକରେ କଣ କେବଳ ବୟସାଧିକ କଳାକାର ରହିଛନ୍ତି ଅନ୍ୟ ବ୍ଳକରେ ନୁହେଁ ବୋଲି ପ୍ରଶ୍ନ ଉଠାଇ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ତାଲିକାରୁ ବାଦ ପଡିଥିବା କଳାକାର। କଳାକାର ଚୟନ ପ୍ରକ୍ରିୟାରେ ଅଡିସନ୍ ଟେଷ୍ଟ ପ୍ରକ୍ରିୟା ଏକ ପ୍ରହସନ ପାଲଟିଛି। ଏଥିପାଇଁ ଅଡିସନ୍‌ର ଆବଶ୍ୟକ ତା ନାହିଁ। କଳାକାର ଭତ୍ତା ସରକାରଙ୍କର ଏକ ଅନୁକମ୍ପା ମୂଳକ ଭତ୍ତା ଯୋଜନା। ଏଥିରେ ଟେଷ୍ଟ ପ୍ରକ୍ରିୟା କରି ଅଯଥା ବିବାଦ ସୃଷ୍ଠି କରାଯାଉଛି। ଯେଉଁ କଳାକାର ମାନେ ଭତ୍ତା ପାଇଁ ଆବେଦନ କରିଛନ୍ତି। ସେମାନଙ୍କୁ ସରକାର କଳାକାର ଭତ୍ତା ଯୋଜନାରେ ସାମିଲ କରିବା ଉଚିତ। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ନିର୍ମାଣ ଶ୍ରମିକ ଭତ୍ତା, ଭିନ୍ନକ୍ଷମ ଭତ୍ତା ଭଳି ଯେଉଁମାନେ କଳାକାର ସେମାନେ ସେମାନଙ୍କର ଆବଶ୍ୟକ କାଗଜ ପତ୍ର ଦେଇ କଳାକାର ଭତ୍ତା ପାଇଁ ଆବେଦନ କରିଛନ୍ତି। ସରକାର କଳାକାର ଭତ୍ତା ଯୋଜନାକୁ ଆହୁରି କୋହଳ କରି କଳାକାର ମାନଙ୍କୁ ଅଧିକ ସଂଖ୍ୟାରେ ଭତ୍ତା ଦେବାକୁ ଦାବି କରିଛନ୍ତି କଳାକାର ତଥା ଜିଲ୍ଲା ସୂଚନା ଅଧିକାର ଅଭିଯାନର ଜିଲ୍ଲା ସଂଯୋଜକ ବିପ୍ଳବ ହୋତା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe