ଯାଜପୁରକୁ ଭୂମି ସମ୍ମାନ

ଯାଜପୁରକୁ ଭୂମି ସମ୍ମାନ

ଯାଜପୁର: ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ସର୍ବଭାରତୀୟ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଜପୁର ଜିଲ୍ଲାକୁ ଭୂମି ସମ୍ମାନରେ ସମ୍ମାନିତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଡ. ଦିବ୍ୟଲୋଚନ ମହାନ୍ତ ଯୋଗଦେଇ ଭୂମି ସମ୍ମାନ ପ୍ଲାଟିନମ୍ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି। ଭୂମି ସଂସ୍କାର ନିମନ୍ତେ ଜିଲ୍ଲାରେ ନିଆଯାଇଥିବା କାର୍ଯ୍ୟକ୍ରମ ଜମିପଟ୍ଟାର କମ୍ପ୍ୟୁଟରୀକରଣ, ରେଜିଷ୍ଟ୍ରେସନ୍ କାର୍ଯ୍ୟର ସରଳୀକରଣ ଓ ସ୍ବଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡ ରୁମ୍ ପରିଚାଳନା ଓ ଜମିଜମା କାଗଜପତ୍ରର ରକ୍ଷଣାବେକ୍ଷଣ, ପୁରୁଣା ଜମି କାଗଜପତ୍ରର ସ୍କାନିଂ ଓ କମ୍ପ୍ୟୁଟରୀକରଣ, ତହସିଲ ଓ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ମଧ୍ୟରେ ସଂଯୋଜନା ଓ ସୁପରିଚାଳନା ଆଦି କ୍ଷେତ୍ରରେ ଯାଜପୁର ଜିଲ୍ଲାର ଦଶଟି ତହସିଲରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦିଆଯାଇ ଜମିଜମା ଓ ଭୂ-ମାମଲା କାର୍ଯ୍ୟଗୁଡ଼ିକ ସରଳୀକରଣ କରାଯାଇଥିବା ହେତୁ ଯାଜପୁର ଜିଲ୍ଲାକୁ ଭୂମି ସମ୍ମାନ-୨୦୨୩ ରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ସମଗ୍ର ଭାରତରେ ୭୫ ଟି ଜିଲ୍ଲା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥିମଧ୍ୟରେ ଯାଜପୁର ଜିଲ୍ଲା ସ୍ଥାନ ପାଇଛି। ଏହି ସମ୍ମାନ ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe