ଆଠଗଡ଼ ବିଜୁ ଶିଶୁ ଉଦ୍ୟାନ ଶ୍ରୀହୀନ

Advertisment

ଭାଙ୍ଗିଲାଣି ପାଚେରି; ନଷ୍ଟ ହେଲାଣି ବିଜୁ ପ୍ରତିମୂର୍ତ୍ତି, ପିଲାଙ୍କ ଅବସର ବିନୋଦନ ସାମଗ୍ରୀ

ଭାଙ୍ଗିଲାଣି ପାଚେରି; ନଷ୍ଟ ହେଲାଣି ବିଜୁ ପ୍ରତିମୂର୍ତ୍ତି, ପିଲାଙ୍କ ଅବସର ବିନୋଦନ ସାମଗ୍ରୀ

ଆଠଗଡ଼ ବିଜୁ ଶିଶୁ ଉଦ୍ୟାନ ଶ୍ରୀହୀନ

Sambad

ଆଠଗଡ଼: ଆଠଗଡ଼ ଏନ୍‌ଏସି ଅଞ୍ଚଳର ଶିଶୁଙ୍କ ଅବସର ବିନୋଦନ ନିମନ୍ତେ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଶିଶୁ ଉଦ୍ୟାନ ପ୍ରତିଷ୍ଠା କରାଯାଇଥିଲା। ପ୍ରାୟ ୧୩ବର୍ଷ ତଳେ ଏହି ଶିଶୁ ଉଦ୍ୟାନର ନବୀକରଣ ମଧ୍ୟ କରାଯାଇଥିଲା। ହେଲେ, ରକ୍ଷଣାବେକ୍ଷଣ ଅଭାବରୁ ଏହି ଶିଶୁ ଉଦ୍ୟାନ ଏବେ ଶ୍ରୀହୀନ ହୋଇପଡ଼ିଥିବା ଦେଖିବାକୁ ମିଳିଛି।
ଗତ ୨୦୦୭ ମସିହାରେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁ ଶିଶୁ ଉଦ୍ୟାନର ନବୀକରଣ ଓ ପୁନରୁଦ୍ଧାର କରାଯାଇଥିଲା। ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ କନକବର୍ଦ୍ଧନ ସି˚ହଦେଓ ଏହାର ଉଦ୍‌ଘାଟନ କରିଥିଲେ। ହେଲେ, ନବୀକରଣର ୧୪ବର୍ଷ ପରେ ପୌର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ଉଦ୍ୟାନ ଅସ୍ତିତ୍ବ ହରାଇବାକୁ ବସିଥିବା ଅଭିଯୋଗ ହେଉଛି। ଉଦ୍ୟାନର ବାମ ଓ ଦକ୍ଷିଣ ପାର୍ଶ୍ବ ପାଚେରି ଭାଙ୍ଗି ଯାଇଥିବାରୁ ବୁଲା କୁକୁର, ଗୋରୁଗାଈ ଅବାଧରେ ପ୍ରବେଶ କରୁଛନ୍ତି। ସେଠାରେ ସନ୍ଧ୍ୟା ସମୟରେ ଅସାମାଜିକ ଯୁବକଙ୍କ ଆଡ଼ା ଜମୁଛି। ସେହିପରି ଭଙ୍ଗା ପାଚେରି ବାଟେ ଗୋରୁଗାଈ ଓ ଛେଳିମେଣ୍ଢା ପଶି ଉଦ୍ୟାନରେ ଥିବା ଗଛଲତା ନଷ୍ଟ କରୁଥିବା ଜଣାପଡ଼ିଛି।

publive-image Sambad

ପିଲାଙ୍କ ଅବସର ବିନୋଦନ ପାଇଁ ଏଠାରେ ଲଗାଯାଇଥିବା ଦୋଳି ଓ ଅନ୍ୟ ଖେଳ ସାମଗ୍ରୀ ମଧ୍ୟ ଭାଙ୍ଗିରୁଜି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନାବନା ଲତା ମାଡ଼ି ପାର୍କ ପ୍ରବେଶପଥରେ ଥିବା ସାଇନ୍‌ ବୋର୍ଡକୁ ବି’ ଆଚ୍ଛାଦିତ କରିଦେଇଛି। କେବଳ ସେତିକି ନୁହେଁ, ୨୦୦୭ ମସିହାରେ ଉଦ୍ୟାନ ଭିତରେ ସ୍ଥାପନ କରାଯାଇଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ଥିବା ଛାତ ଭାଙ୍ଗି ଯାଇଥିଲା ବେଳେ ମୂର୍ତ୍ତି‌ରୁ ରଙ୍ଗ ଛାଡ଼ି ଯାଇଥିବା ଦେଖାଯାଇଛି। କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ, ଉତ୍କଳ ଦିବସ ଆଦି ସମୟରେ ଏନ୍‌ଏସି କର୍ତ୍ତୃପକ୍ଷ ଫୁଲମାଳଟିଏ ପକାଇ ଦାୟିତ୍ବ ସାରି ଦେଉଥିବା ଅଭିଯୋଗ ହେଉଛି। ଏ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଓ ବିଜୁପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe