Illustration Courtesy: The Hindu
ଝରିଗାଁ: ନବରଂଗପୁର ଜିଲ୍ଲା ଝରିଗାଁ ଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ଝରିଗାଁ ଥାନା ଅନ୍ତର୍ଗତ କାଠବେଡ଼ା ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ ଚାଳକ ମୃତ୍ୟ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନାନୁଯାୟୀ, ଛତିଶଗଡ଼ ମେଇନପୁର ଥାନା ଅନ୍ତର୍ଗତ ସଭାଗନା ଗ୍ରାମର ରାମଜି ସେନଙ୍କ ପୁଅ ପ୍ରଦୀପ ସେନ (୩୦) ଏବଂ ଫଟିକି ଗ୍ରାମର କାମଦେବ ଠାକୁରଙ୍କ ପୁଅ ପିଣ୍ଟୁ ଠାକୁର ଙଜ ୨୪ଈ ୪୩୮୫ ନମ୍ବର ବାଇକ ଯୋଗେ ଝରିଗାଁର ନିଜ ସମ୍ପର୍କୀୟଙ୍କ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଆସୁଥିଲେ। ସେହିପରି ଝରିଗାଁ ଥାନା ଅନ୍ତର୍ଗତ ଟେକରପାଣି ଗ୍ରାମର ଲଛ ସନ୍ତା(୨୫), ଓକିଲ ସନ୍ତା ଏବଂ ସତ୍ୟ ସନ୍ତା ଉଏ ୨୩ୠ ୬୧୩୩ ନମ୍ବର ବାଇକ ଯୋଗେ କୌଣସି ଏକ କାମରେ ଝରିଗାଁ ଆସି ନିଜ ଘର ଟେକରପାଣି ଗ୍ରାମକୁ ଯାଉଥିଲେ। ତେବେ ଝରିଗାଁ ଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା କାଠବେଡ଼ା ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇ ବାଇକ ଚାଳକ ସହ ଅନ୍ୟମାନେ ମଧ୍ୟ ବାଇକ ସହ ଛିଟିକି ପଡ଼ିଥିଲେ।
ଦୀର୍ଘ ସମୟ ଧରି ରାସ୍ତାରେ ପଡି ରହିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଅଗ୍ନିଶମ ଭିଭାଗକୁ ଫୋନ କରି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ତେବେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପୂର୍ବରୁ ପ୍ରଦୀପ ସେନଙ୍କ ମୃତ୍ୟ ହୋଇଯାଇଥିବା ବେଳେ ପିଣ୍ଟୁ ଠାକୁରଙ୍କ ମୁଣ୍ଡ ରେ ପ୍ରବଳ ଆଘାତ ହେବା ସହ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା।ସେହିପରି ଲଛ ସାନ୍ତାର ମୁହଁ ଏବଂ ମୁଣ୍ଡରେ ପ୍ରବଳ ଆଘାତ ହୋଇଥିବା ବେଳେ ସାଥିରେ ଥିବା ଓକିଲ ସନ୍ତା ଏବଂ ସତ୍ୟ ସନ୍ତା ଅଳ୍ପ ଆହତ ହୋଇଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ଃ. ପ୍ରକାଶ ଚନ୍ଦ୍ର ନାୟକ ପ୍ରଦୀପ ସେନଙ୍କୁ ମୃତ ଘୋଷଣା କରିବା ସହ ପିଣ୍ଟୁ ଠାକୁର ଏବଂ ଲଛ ସନ୍ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଖବର ପାଇ ଝରିଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି। ସେହିପରି ଆସନ୍ତା କାଲି ପ୍ରଦୀପ ସେନର ମୃତ ଶରୀର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଝରିଗାଁ ପୁଲିସ ତରଫରୁ ସୂଚନା ମିଳିଛି।
Follow Us