ପୁଲିସ୍‌ ଚେକିଂ ଭୟରେ ପଳାଉଥିବା ବେଳେ ଦୁର୍ଘଟଣା: ମୁକୁଳା ଡ୍ରେନ୍‌ରେ ଖସିଲା ବାଇକ୍‌, ୨ ମୃତ

ପୁଲିସ୍‌ ଚେକିଂ ଭୟରେ ପଳାଉଥିବା ବେଳେ ଦୁର୍ଘଟଣା: ମୁକୁଳା ଡ୍ରେନ୍‌ରେ ଖସିଲା ବାଇକ୍‌, ୨ ମୃତ

Vartha Bharathi

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ବର ଜଗନ୍ନାଥ ମନ୍ଦିର ନିକଟରେ ରବିବାର ରାତି ପ୍ରାୟ ୮ଟା ସମୟରେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଲୁଣିବାହାଲ ପଞ୍ଚାୟତ ମଧୁସୂଦନପୁର ଗ୍ରାମର ରମେଶ ଦଳବେହେରା(୩୫ ବର୍ଷ) ଏବଂ ତିଲେଶ୍ବର ପଞ୍ଚାୟତ ମାଣିକପୁର ଗ୍ରାମର ଗଣେଶ ପ୍ରଧାନ(୪୮ ବର୍ଷ) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରାତି ପ୍ରାୟ ୮ଟା ସମୟରେ ଧଳପୁର ପଟୁ ଏକ ବାଇକ୍‌ରେ ଦୁଇଜଣ ମିସ୍ତ୍ରି ତିଲେଶ୍ବର ଦେଇ ପୁରୁଣାକଟକ ଆଡ଼କୁ ଯାଉଥିଲେ।

ଏହି ସମୟରେ ବୁରୁବୁଡ଼ା ନିକଟରେ ପୁଲିସ ପକ୍ଷରୁ ଗାଡ଼ି ଚେକିଂ ଚାଲିଥିଲା। ଚେକିଂକୁ ଦେଖି ସେମାନେ ଭୟରେ ତିଲେଶ୍ବର ଆଡ଼କୁ ଫେରିଯାଉଥିବା ବେ​ଳେ ଜଗନ୍ନାଥ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଡ୍ରେନ୍ ମଧ୍ୟକୁ ପଶିଯାଇ ଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ମେଡିକାଲ ପଠାଯାଇ ଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୁକୁଳା ଡ୍ରେନରେ ପଡ଼ି ଦୁଇଜଣଙ୍କର ଜୀବନ ଯାଇଥିବାରୁ ତୁରନ୍ତ ଡ୍ରେନ୍ ଉପର ଘୋଡ଼ଣି କାର୍ଯ୍ୟ ଶେଷକରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe